ପଟ୍ଟାମୁଣ୍ଡାଇ ତହସିଲ ସରକାରୀ ଜମି ଜାଲିଆତି ଘଟଣା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ସରକାରୀ ଜମି ଜାଲିଆତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୨୮ତାରିଖରେ ଗରାପୁରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୁନର୍ବାର ଅହୋରାତ୍ର ଧାରଣା ଦେବେ ବୋଲି ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗରେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ସରକାରୀ ଜମି ସରକାରଙ୍କ ଖାତାକୁ ଫେରାଇ ଆଣାଯିବା ସହିତ ସେହି ଜାଲିଆତି ଘଟଣାରେ ସାମିଲ ଥିବା ପଟ୍ଟାମୁଣ୍ଡାଇ ତହସିଲର ପ୍ରାକ୍ତନ ତହସିଲଦାର, ପେସ୍କାର, ଅମିନ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ଆଚାର୍ଯ୍ୟ ତାଙ୍କର ଦିବାନିଶି ଧାରଣା ଗରାପୁର ଡାକବଙ୍ଗଳା ଛକସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଗତ ୩୧ଅଗଷ୍ଟରେ ଧାରଣା ଦେଇଥିଲେ । ଧାରଣା ଷଷ୍ଠ ଦିବସରେ ପହଞ୍ଚିଥିବା ବେଳେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀ ଏବଂ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସେଠାରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ ପରେ ଶ୍ରୀ ଆଚାର୍ଯ୍ୟ ଧାରଣା ପ୍ରତ୍ୟାହୃତ କରିନେଇଥିଲେ । ଦାବି ମୁତାବକ ପ୍ରାୟ ୨ ଏକର ଜମି ଜାଲିଆତି ଘଟଣାରେ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହି ଗ୍ରାମର କାଶୀନାଥ ଭୋଳ ସଂପୃକ୍ତ ଥିବା ସହିତ ସେହି ସରକାରୀ ଜମିକୁ ହାତେଇ ନେଇଥିବା ଦୁଷ୍ମନ୍ତ ଅଭିଯୋଗ କରିଥିଲେ । ସୂଚନା ଅଧିକାର ଅଭିଯାନ ସଦସ୍ୟ ଦୁଷ୍ମନ୍ତ ତଥ୍ୟ ପ୍ରମାଣ ଆଧାରରେ ଏହି ଜାଲିଆତି ଘଟଣା ସମ୍ପର୍କରେ ଦୁଇମାସ ତଳେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରାୟ ଦେଢମାସ ତଳେ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଏ ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ସେହି ଘଟଣାରେ ଦୋଷୀଙ୍କ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଗତ ୧ତାରିଖରେ ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଶ୍ରୀ ଆଚାର୍ଯ୍ୟ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଭେଟି ଜମି ଜାଲିଆତି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ପୁନର୍ବାର ଧାରଣା ଦେବେ ବୋଲି ପ୍ରଶାସନକୁ ଲିଖିତ ଭାବରେ ଚେତାବନୀ ଦେଇଥିଲେ । ତେଣୁ ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାର ଶ୍ରୀ ଆଚାର୍ଯ୍ୟଙ୍କୁ ସେହି ତହସିଲର ଆର.ପି.କେଶ ନମ୍ବର ୪୭୪/୨୦୦୭ ଏବଂ ମିସ କେଶ ନମ୍ବର ୧୭/୨୦୧୧ ଉପରେ ସେ କରିଥିବା ଅଭିଯୋଗର ଶୁଣାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରାଯିବ ଓ ଶ୍ରୀ ଆଚାର୍ଯ୍ୟ ଆବଶ୍ୟକ କାଗଜାଦ ସହ ଉପସ୍ଥିତ ରହିବାକୁ ନୋଟିସ ଜାରି କରିଥିଲେ । ସେହି ଅନୁଯାୟୀ ଅଭିଯୋଗକାରୀ ଗତ ୧୮.୧୦.୨୨ରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହୋଇଥିଲେ ବି ନିଜେ ଉପଜିଲ୍ଲାପାଳ ଅନୁପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ ଗତ ନଭେମ୍ବରମାସ ୫ତାରିଖରେ ଶୁଣାଣି କରାଯାଇଥିଲା । କିନ୍ତୁ ଶୁଣାଣିରେ ପ୍ରଶାସନର ପୂର୍ବ ପ୍ରତିଶୃତି ଅନୁଯାୟୀ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ତେଣୁ ଆସନ୍ତା ୨୮ତାରିଖ ମଧ୍ୟରେ ଯଦି ସେହି ଜାଲିଆତି ଜମିକୁ ସରକାରୀ ଖାତାକୁ ଫେରାଇ ଅଣାନଯାଏ ଓ ଦୋଷୀ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଏବଂ ଅଭିଯୋଗକାରୀ ପଟ୍ଟାମୁଣ୍ଡାଇ ଥାନାରେ ଦେଇଥିବା ଲିଖିତ ଅଭିଯୋଗକୁ ପଞ୍ଜିକୃତ କରାନଯାଏ ତେବେ ସେ ବାଧ୍ୟ ହୋଇ ଗରାପୁରସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ପୂନର୍ବାର ଅହୋରାତ୍ର ଧାରଣାରେ ବସିବା ସହିତ ତାଙ୍କ ପାଖରେ ଥିବା ସମସ୍ତ ତଥ୍ୟ ପ୍ରମାଣର ଭିଜୁଆଲ ସେଠାରେ ପ୍ରସାରଣ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏହି ଅଭି÷ଯାଗର ନକଲ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, କଟକ ଓ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।