ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବିଧାନସଭା ଆସନ ସକାଶେ ଉଭୟ ବିଜେଡି ଓ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଶାସକ ବିଜେଡ଼ି ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେଉଥିବା ବେଳେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ରଙ୍କ ନାମ ଘୋଷଣା କରାଯାଇଛି। ହିଞ୍ଜିଳି ବିଧାନସଭା ଆସନ ସକାଶେ ହିଞ୍ଜିଳି ମାଟିର ପୁଅ ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ପ୍ରାର୍ଥୀ ରଜନୀକାନ୍ତ ପାଢି ଲବିରେ ରହିଥିଲେ। ବିଜେପି ପକ୍ଷରୁ ହିଞ୍ଜିଳି ବିଧାନସଭା ଆସନ ସକାଶେ ଶିଶିର ମିଶ୍ରଙ୍କ ନାମ ଘୋଷଣା ପରେ ଦଳୀୟ ଅସନ୍ତୋଷ ବୃଦ୍ଧି ପାଇଛି। ଶିଶିର ମିଶ୍ରଙ୍କ ନାମକୁ ପରିବର୍ତ୍ତନ କରାନଗଲେ ଆଗାମୀ ଦିନରେ ଏକ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବା ସହ ୫ ଶହରୁ ଊର୍ଦ୍ଧ୍ବ ଦଳୀୟ କର୍ମକର୍ତ୍ତା ଦଳରୁ ପ୍ରାଥମିକ ସଦସ୍ୟରୁ ସମୁହ ଉସ୍ତଫା ଦେବା ସହ ନିର୍ବାଚନ ସମୟରେ ସଠିକ୍ ଜବାବ ଦିଆଯିବ ବୋଲି ସଂପୃକ୍ତ ଦଳୀୟ କର୍ମୀମାନେ ଚରମବାଣୀ ଶୁଣାଇଛନ୍ତି। ପ୍ରକାଶ ଥାଉକି, ବିଜେପି ପକ୍ଷରୁ ମଙ୍ଗଳବାର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ହିଞ୍ଜିଳି ବିଧାନସଭା ଆସନ ସକାଶେ ଶିଶିର ମିଶ୍ରଙ୍କ ନାମ ଘୋଷଣା ପରେ ଶିଶିରଙ୍କ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବ୍ଲକ୍ ସିକିରି ରାସବିହାରୀ ମଠ ପରିସରରେ ବରିଷ୍ଠ କର୍ମୀ ରଜନୀକାନ୍ତ ପାଢିଙ୍କ ଅଧ୍ୟକ୍ଷତାରେ ଏକ ଦଳୀୟ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ମାଟିର ପୁଅକୁ ଅଣଦେଖା କରି ବାହାର ବ୍ୟକ୍ତିଙ୍କୁ ହିଞ୍ଜିଳି ଆସନରୁ ପ୍ରାର୍ଥୀ କରାଯିବାକୁ ଦଳ ପକ୍ଷରୁ ବିରୋଧ କରାଯାଇଥିଲା। ବୈଠକର ନିଷ୍ପତି ପ୍ରକାରେ ଗୁରୁବାର ରଜନୀକାନ୍ତ ପାଢିଙ୍କ ନେତୃତ୍ୱରେ ୫ ଶହରୁ ଊର୍ଦ୍ଧ୍ବ କର୍ମୀ ହିଞ୍ଜିଳିକାଟୁ ଠାରୁ ବାହାରି ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଥିଲେ। ଭୂବନେଶ୍ବର ରାମ ମନ୍ଦିର ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରାଜ୍ୟ କାର୍ଯ୍ୟାଳୟରେ ଅସନ୍ତୋଷ ପ୍ରକାଶ କରିବା ସ‌ହ ଶିଶିର ମିଶ୍ରଙ୍କ ନାମ ପରିବର୍ତ୍ତନଶୀଳ ସକାଶେ ଦଳୀୟ କର୍ମୀମାନେ ହୋହାଲ୍ଲା କରିଥିଲେ। ଏପରିକି ଦଳୀୟ କାର୍ଯ୍ୟାଳୟରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପଛରେ ପ୍ରାକ୍ତନ ରାଜ୍ୟ ସଭାପତି ସମିର ମହାନ୍ତି ଘଟଣାର ହସ୍ତକ୍ଷେପ କରିଥିଲେ। ହିଞ୍ଜିଳି ବିଧାନସଭା ଆସନ ସକାଶେ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ଶିଶିରଙ୍କ ନାମ ଆସନ୍ତା ୬ ତାରିଖ ମଧ୍ୟରେ ପରିବର୍ତ୍ତନ କରାଯିବାକୁ ଦାବି ଜଣାଇଛନ୍ତି। ଦାବି ନଶୁଣିଲେ ୭ ତାରିଖ ଠାରୁ ହିଞ୍ଜିଳି ଠାରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବା ସହ ଏଥି ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦାୟୀ ରହିବେ ଏବଂ ୫ ଶହରୁ ଊର୍ଦ୍ଧ୍ବ ଦଳୀୟ କର୍ମୀ ସମୁହ ଉସ୍ତଫା ଦେବେ ବୋଲି ଚରମବାଣୀ ଶୁଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରଜନୀକାନ୍ତ ପାଢିଙ୍କ ସମେତ ସୁଜିତ ବିଷୋୟୀ, ଗୈାରି ଶଙ୍କର ଗୈାଡ, ‌ସାଗର ପ୍ରଧାନ, ସୂର୍ଯ୍ୟ ନାୟକ, ସନ୍ତୋଷ ପ୍ରଧାନ, କାହ୍ନୁ ଚରଣ ସାହୁ, ପ୍ରଶାନ୍ତ ବେହେରା, ଆର ଗିତାଞ୍ଜଳି, ପଞ୍ଚାନନ ଡାକୁଆ, ବୃନ୍ଦାବନ ଦାସଙ୍କ ସମେତ ବହୁ ମଣ୍ଡଳ ସଭାପତି, ସମ୍ପାଦକ, ଯୁବ ମୋର୍ଚ୍ଚା ସଭାପତି, ଉପସଭାପତି, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଙ୍କ ସମେତ ୫ ଶହରୁ ଊର୍ଦ୍ଧ୍ବ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, ହିଞ୍ଜିଳି ମାଟିରେ ବାହାର ନେତାଙ୍କ ପ୍ରବେଶକୁ ବିରୋଧ କରି ଗତ ୨ ବର୍ଷ ଧରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜେପିର ୨ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବିଜେପିର ଉଭୟ ଗୋଷ୍ଠୀ ପକ୍ଷରୁ ପୃଥକ୍ ପୃଥକ୍ ଭାବେ କାର୍ଯ୍ୟକ୍ରମ ପାଳନ କରାଯାଉଥିବା ଦେଖିବାକୁ ମିଳୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ