ପଦ୍ମନାଭ ପୁର ରେ “ମୋ ଗାଁ ରେ ତହସିଲ ” କାର୍ଯ୍ୟକ୍ରମ
ଦିଗପହଣ୍ଡି,(ୱାଇଏନ୍ଏସ୍): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ପୁଣିଥରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ରାଜସ୍ବ ସର୍କଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅତିରିକ୍ତ ଉପ ଜିଲାପାଳ ଡ଼. ଶ୍ଵେତ କୁମାର ଦାସ ଯୋଗଦେଇ ରାଜସ୍ବ କର୍ମଚାରୀ ଙ୍କ ପକ୍ଷରୁ ଲୋକଙ୍କୁ କିଭଳି ସେବା ଯୋଗାଇ ଦିଆଯାଉଛି ସେ ନେଇ ଅନୁଧ୍ୟାନ କରିବା ସହ ସଠିକ କାର୍ଯ୍ୟକ୍ରମ କରାଯାଇ ଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ରାଜସ୍ବ ବିଭାଗ ଅଧିନରେ ଯେଉଁ କାର୍ଯ୍ୟ ପାଇଁ ଲୋକେ ତହସିଲ କାର୍ଯ୍ୟାଳୟ କୁ ଦୈାଡି ଦୈାଡି ନିରାଶ ହୋଇ ଫେରୁଥିଲେ ଏହି ଯୋଜନା ଅନୁସାରେ ତହସିଲ ପ୍ରଶାସନ ର ସମସ୍ତ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚି ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବା ସେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ତହସିଲ ଅଧିନସ୍ଥ ପଦ୍ମନାଭପୁର ରାଜସ୍ବ ସର୍କଲ ର ମଙ୍ଗରାଜ ପୁର, ଚୈତନ୍ୟ ପୁର, ଭୀମ ପୁର, ଭୂଷୁଣ୍ଡା, ନନ୍ଦ ଗାଁ ଆଦି ବିଭିନ୍ନ ଗ୍ରାମ ରୁ ଆସିଥିବା ଲୋକେ ବିଭିନ୍ନ କାମ ପାଇଁ ନାମ ପଞ୍ଜିକରଣ କରାଇଥିଲେ । ମୋ ଗାଁ ରେ ତହସିଲ ଯୋଜନା ମାଧ୍ୟମରେ ଲୋକଙ୍କ ଘରପଟ୍ଟା, ମ୍ୟୁଟେସନ (ଦାଖଲ ଖାରଜ) , ଜାତିଗତ ପ୍ରମାଣ ପତ୍ର , କିସମ ପରିବର୍ତ୍ତନ, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର , ଋଣ ପତିଶୋଧ ସମ୍ବଧୀୟ ସମସ୍ତ ସେବା ଯୋଗାଇ ଦିଆଯାଇଛି | ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମରେ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଉପଜିଲାପାଳ ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି , କଇଠଡ଼ା ପଞ୍ଚାୟତ ସମିତି ସଭ୍ୟ ବାସୁଦେବ ରେଡ୍ଡୀ,ସାମାଜିକ କର୍ମୀ ମନୋଜ ଚୌଧୁରୀ ଅତିଥି ଭାବେ ଯୋଗଦେଇ ସାଧାରଣ ଜନତାଙ୍କୁ ସରକାରୀ ଯୋଜନାର ସମସ୍ତ ସେବା ସୁବିଧା ନେବା ପାଇଁ କହିଥିଲେ । ରାଜସ୍ବ ନୀରିକ୍ଷକ ଫକୀର ମୋହନ ରାଉତ, ପୁଷ୍ପାଞ୍ଜଳି ମଲ୍ଲିକ ଏବଂ ଗିରିଜା ଭୂଷଣ ମଲ୍ଲିକ ଙ୍କ ମିଳିତ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ବ ସୁପରଭାଇଜର ସତ୍ୟ ନାରାୟଣ ପାଣିଗ୍ରାହୀ , ବାବୁ ସେଠୀ ଙ୍କ ସମେତ ଦିଗପହଣ୍ଡି ତହସିଲ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୯ ଜଣଙ୍କୁ ବିଭିନ୍ନ ପଟ୍ଟା ,୧୧ ଜଣକୁ ବିଭିନ୍ନ ପ୍ରମାଣପତ୍ର ବଣ୍ଟନ କରାଯାଇଥିବା ବେଳେ ୭ ଜଣଙ୍କ ଅଭିଯୋଗ ଶୁଣାଣୀ ସମେତ ୨ ଟି ରାଜସ୍ବ ସମ୍ବନ୍ଧୀୟ ମାମଲା ର ଫଇସଲା କରାଯାଇଥିଲା।