ପବିତ୍ର ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଉଚ୍ଚ ନ୍ୟାୟଳୟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବହୁ ଚର୍ଚ୍ଚିତ ଗୃହ ମାଲିକ ପବିତ୍ର ପ୍ରଧାନଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ ନେଇଛି । ଏଥିରେ ଓଡିଶା ଉଚ୍ଚ ନ୍ୟାୟଳୟ ହସ୍ତକ୍ଷେପ କରି ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ସରୋଜକାନ୍ତ ସାହୁ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ଦଣ୍ଡାମୁଣ୍ଡ ଛକରେ ଥିବା ଘର ମାଲିକ ପବିତ୍ର ପ୍ରଧାନଙ୍କ ଘରକୁ ଭଡାରେ ନେଇ ସେଠାରେ ରହି ଆସୁଥିଲେ । ଗତ ୨୦୨୨ ମସିହା ମାର୍ଚ୍ଚ ମାସ ୨୫ ତାରିଖ ବିଳମ୍ବିତ ରାତିରେ ଘର ମାଲିକ ଶ୍ରୀ ପ୍ରଧାନଙ୍କୁ ଗୁରୁତ୍ୱର ଅବସ୍ଥାରେ ତାଙ୍କ ଘରେ ଭଡାରେ ରହୁଥିବା ଡେରାବିଶ୍ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜକାନ୍ତ , ତାଙ୍କ ଗାଡି ଡ୍ରାଇଭର ଜଷ୍ଟିନ୍ ଜେନା, କେଆରଟେକର ଗଙ୍ଗାଧର ବିଶ୍ୱାଳ ଏକ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶ୍ରୀ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ । ସୁସ୍ଥ ସବଳ ଥିବା ଘର ମାଲିକ ଶ୍ରୀ ପ୍ରଧାନଙ୍କ ଏଭଳି ଆକସ୍ମିକ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ପବିତ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ତାଙ୍କ ପୁଅ ଉତ୍କଳ କେଶରୀ ପ୍ରଧାନ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଏଥିରେ ସମ୍ପୃକ୍ତି ଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ । ସେହି ଅନୁଯାୟୀ ସଦର ଥାନା ପୋଲିସ ସରୋଜକାନ୍ତ ସାହୁଙ୍କ ସମେତ ଡ୍ରାଇଭର ଏବଂ କେଆରଟେକରଙ୍କୁ ଥାନାକୁ ଡାକି ଜେରା କରିଥିଲେ ବି ସେହି ଅଭିଯୋଗ ଉପରେ କୈାଣସି ମାମଲା ରୁଜୁ କରିନଥିଲା । ନିଶା ସେବନ କାରଣରୁ ଶ୍ରୀ ପ୍ରଧାନ ଛାତରୁ ପଡି ମୃତ୍ୟୁ ବରଣ କରିଛନ୍ତି ବୋଲି କହି ପୋଲିସ ମାମଲା ରୁଜୁ କରିନଥିବା ସହିତ ସରୋଜକାନ୍ତଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା । ଏହା ବିରୋଧରେ ମୃତ ଶ୍ରୀ ପ୍ରଧାନଙ୍କ ପୁଅ ଉତ୍କଳ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ, କେନ୍ଦ୍ରାଞ୍ଚଳ ଆଇ.ଜି ଏବଂ ଡି.ଜିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ସଦର ଥାନା ପୋଲିସ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ବିରୋଧରେ କୈାଣସି ମାମଲା ରୁଜୁ ନ କରିବାରୁ ମୃତ ଶ୍ରୀ ପ୍ରଧାନଙ୍କ ପୁଅ ଉତ୍କଳ କେନ୍ଦ୍ରାପଡା ଏସ୍‌.ଡି.ଜେ.ଏମ.ଙ୍କ କୋର୍ଟରେ ଏକ ମାମଲା ଦାୟର କରି ସରୋଜଙ୍କ ସମେତ ତାଙ୍କ ଗାଡି ଡ୍ରାଇଭର ଏବଂ କେଆରଟେକରଙ୍କ ନାଁରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୪୧, ୨୯୪, ୫୦୬, ୩୦୨, ୧୨୦ ବି ଓ ୩୪ ରେ ମାମଲା ରୁଜୁ କରାଯିବାକୁ ପ୍ରାର୍ଥନା କରିଥିଲେ । କେନ୍ଦ୍ରାପଡା ଏସଡିଜେଏମ ତାହାର ଶୁଣାଣି କରି ଏଥିରେ ସମ୍ପୃକ୍ତି ଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ, ଡ୍ରାଇଭର ଏବଂ କେଆରଟେକରଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରିବାକୁ ସଦର ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସଦର ଥାନା ପୋଲିସ ଅଦାଲତଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏହା ହତ୍ୟାକାଣ୍ଡ ନୁହେଁ ବୋଲି କହି ତଦନ୍ତକୁ ଚାପି ଦେଇଥିଲା । ଏହା ବିରୋଧରେ ପୁଅ ଉତ୍କଳ ଓଡିଶା ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଆବେଦନ କରିଥିଲେ । ଓଡିଶା ଉଚ୍ଚ ନ୍ୟାୟାଳୟ ମାମଲାର ଗୁରୁତ୍ୱକୁ ବିଚାର କରି ଘଟଣାର କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ ପୋଲିସ ନିଶା ସେବନ ଦ୍ୱାରା ସ୍ୱର୍ଗତ ପ୍ରଧାନଙ୍କର ମୃତ୍ୟୁ ହୋଇଥିବା କହୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟରେ ନିଶା ସେବନ କରିବାର କୈାଣସି ପ୍ରମାଣ ମିଳିନଥିବା ବେଳେ ତାଙ୍କ ଶରୀରରେ ୧୭ଟି ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖା ଯାଇଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ସ୍ୱର୍ଗତ ପ୍ରଧାନଙ୍କୁ ସରୋଜକାନ୍ତଙ୍କ ସହିତ ତାଙ୍କ ଡ୍ରାଇଭର ଓ କେଆରଟେକର ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସ୍ୱର୍ଗତ ପ୍ରଧାନଙ୍କ ପୁଅ ଉତ୍କଳ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ