ପରିବର୍ତ୍ତନ ହେଲେହିଁ ବିକାଶ ଘଟିବ : ଧର୍ମେନ୍ଦ୍ର
ଦିଗପହଣ୍ଡ : ସହର ବଜାର ସାହି ଗାନ୍ଧୀଛକ ଠାରେ ରବିବାର ଅପରାହ୍ନରେ ବିଜେପିର ବିଜୟ ସଂକଳ୍ପ ସମାରୋହ ପାଳିତ ହୋଇଯାଇଛି । ଏଥିରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସାଧାରଣ ସମ୍ପାଦକ ତଥା ପୂର୍ବତନକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ର, ଦିଗପହଣ୍ଡି ବିଧାୟିକା ପ୍ରାର୍ଥୀନୀ ଅଭିନେତ୍ରୀ ପିଙ୍କି ପ୍ରଧାନ, ବିଜେପି ଉପସଭାପତି ପରେଶ ଚନ୍ଦ୍ର ରଥ, ଶୁଭେନ୍ଦୁ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପଣ୍ଡା, ଜିଲ୍ଲା ଯୁବ ସଭାପତି ସିଦ୍ଧାନ୍ତ ଗଙ୍ଗଦେବ, ଯୁବରାଜ ଶ୍ରୀଧର ପ୍ରସାଦ ଦେବ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା, ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢୀ, ନଗର ସଭାପତି ଭବାନୀ ଶଙ୍କର ପଣ୍ଡା, ଅଶ୍ୱିନୀ ସାହୁ, ବିଶାଳ ମହାନ୍ତି, ସୂର୍ଯ୍ୟନାରାୟଣ ସାହୁ, ଗଦାଧର ସ୍ୱାଇଁ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ପାତ୍ର ପ୍ରମୁଖଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ବିଜେପି ନେତା ମହନ୍ତ ଚିନ୍ମୟାନନ୍ଦ ସଂଯୋଜନା କରିଥିଲେ । ଏହି ଅବସରରେ ଦିଗପହଣ୍ଡି ବ୍ଳକର ଭ୍ରମରପୁର ପଞ୍ଚାୟତର ଗୋପୀନାଥପୁର ଗ୍ରାମର ଟୁନା ରଣା, ଦାମୋଦର ପ୍ରଧାନ, ନିରଞ୍ଜନ ପ୍ରଧାନ, ହରି ପାଇକ, ଜଟିଆ ପ୍ରଧାନ ପ୍ରମୁଖଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଅନ୍ୟ ଦଳ ଛାଡି ନିଜକୁ ବିଜେପିରେ ସାମିଲ କରିଥିଲେ । ସେମାନଙ୍କୁ ଦଳ ପକ୍ଷରୁ ଫୁଲତୋଡା ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଏବଂ ବିଜେପିର ନିତୀରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଥିବା ନେଇ କହିଥିଲେ । ପ୍ରତ୍ୟେକ ସମସ୍ୟାର ସ୍ଥାୟୀ ସମାଧାନ ଓ ଅଞ୍ଚଳର ବିକାଶ ନେଇ ଗାଁ ରୁ ଦିଲ୍ଲୀ ସଂସଦ ଯାଏଁ ସେତୁ ବାନ୍ଧିବେ ବୋଲି ଧର୍ମେନ୍ଦ୍ର ନିଜ ଉଦ୍ବୋଧନରେ କହିଥିଲେ । ମୋଦି ସରକାରଙ୍କ ଶାସନରେ ଉଜ୍ଜଳା ଓ ସୌଭାଗ୍ୟ ଯୋଜନାରେ ଲୋକେ ରନ୍ଧନ ଗ୍ୟାସ୍ ଓ ବିଦ୍ୟୁତ୍ ପାଇଥିବା ବେଳେ ବିଭିନ୍ନ ପ୍ରକାର ବିକାଶମୂଖୀ ଯୋଜନାର ସଫଳ ରୂପାୟନ ହୋଇଥିବା ତଥ୍ୟ ଉପସ୍ଥାପନା କରିଥିଲେ । ଚଳିତ ସାଧାରଣ ନିର୍ବାଚନରେ ପୁଣି ସୁଯୋଗ ଦେଇ ସରକାର ଗଢିବା ପାଇଁ ଜନଆହ୍ୱାନ୍ ଦେଇଥିଲେ । ସେହିପରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଅଦ୍ୟାବିଧି ବିଭିନ୍ନ ପ୍ରକାର ଦୁର୍ନିତୀ ଚାଲିଥିବା ବେଳେ ସେସବୁର ମୂଳତ୍ପାଟନ ହେଉନଥିବା ଅଭିଯୋଗ ହୋଇଥିଲା । ଭତ୍ତା ଠାରୁ ଆରମ୍ଭ କରି ରାସନକାର୍ଡ ପର୍ଯ୍ୟନ୍ତ ହିତାଧିକାରୀ ଚୟନରେ ପାତରଅନ୍ତର ହେଉଥିବା ବେଳେ ସ୍ୱଛ ଶାସନର କବର ତଳେ ଦୂର୍ନିତୀର ଗନ୍ତାଘର ରହିଛି ବୋଲି ଭୃଗୁ ବକ୍ସି ପାତ୍ର ଏବଂ ପିଙ୍କି ପ୍ରଧାନ ନିଜ ଉଦ୍ବୋଧନରେ କହିଥିଲେ । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପରବର୍ତ୍ତନ ଘଟିଲେ ହିଁ ବିକାଶ ସୁନିଶ୍ଚିତ ବୋଲି ଦଳୀୟ ନେତୃମଣ୍ଡଳୀ ମତବ୍ୟକ୍ତ କରିଥିଲେ । ଅପରାହ୍ନ ପ୍ରାୟ ୧.୩୦ ସମୟରେ ଧର୍ମେନ୍ଦ୍ର ଆକାଶ ମାର୍ଗରେ ଆସି ସ୍ଥାନୀୟ ମିନିଷ୍ଟାଡିୟମ୍ ସ୍ଥିତ ହ୍ୟାଲିପେଡ୍ରେ ଓହ୍ଲାଇଥିଲେ । ସେଠାରୁ ଏକ ବିରାଟ ପଟୁଆରରେ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଦଳୀୟ କର୍ମୀ ଓ ନେତୃମଣ୍ଡଳୀ ଧର୍ମେନ୍ଦ୍ରଙ୍କୁ ମଞ୍ଚ ଉପରକୁ ପାଛୋଟି ନେବା ସହିତ ସେଠାରେ ବିରାଟ ପୁଷ୍ପ ଗୁଚ୍ଛ ଆବରଣରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ସାବତ, ଭିକାରୀ ସେଠୀ, ପ୍ରଦୀପ ଦାସ, ଗଦାଧର ସ୍ୱାଇଁ, ସୁକାନ୍ତ ଖୁଣ୍ଟିଆ, ଚିନ୍ମୟ ରେଡ୍ଡି ପ୍ରମୁଖଙ୍କ ସମେତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।


