‘ପରିବେଶ ବିପର୍ଯ୍ୟୟ ଭିତରେ କେନ୍ଦୁଝର’
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଆଖି ବୁଜା ଖଣି ଖନନ ଏବଂ ତଦ୍ଜନିତ କାର୍ଯ୍ୟ ଯୋଗୁ କେନ୍ଦୁଝରର ପରିବେଶ ଆଜି ବିପର୍ଯ୍ୟସ୍ଥ ହୋଇପଡ଼ିଛି । କେନ୍ଦୁଝରର ଝରଣା, ନଦନଦୀ, ଭୂତଳ ଜଳ, ପବନ, ପାଣି, ମାଟି ଆଦି ଏଥିଯୋଗୁ ଗଭୀର ଭାବରେ ପ୍ରଭାବିତ । ଠିକ୍ ଏହି ସମୟରେ ରାଜ୍ୟ ସରକାର ୧୬ଟି ଖଣି ବ୍ଲକ ଅକ୍ସନ କରିବାକୁ ଯାଉଛନ୍ତି । ଏହି ୧୬ଟି ଖଣି ଭିତରୁ ୯ଟି ନୂଆ ଖଣି ବ୍ଲକ (ଭର୍ଜିନ ଗ୍ରୀନ୍ ଫିଲ୍ଡ଼ ମାଇନସ୍) ବାକି ୭ଟି ପୁରୁଣା ଖଣି ବ୍ଲକ ଯାହାର କାର୍ଯ୍ୟକାଳ ପୁରିଯାଇଛି । ଯଦିଓ ଏହି ୯ଟି ନୂଆ ଖଣି ବ୍ଲକ ପାଇଁ ନିରୂପିତ ସ୍ଥାନଗୁଡ଼ିକ ଏପର୍ଯ୍ୟନ୍ତ ସରକାର ଲୋକଙ୍କୁ ଜଣାଇ ନାହାଁନ୍ତି, ତଥାପି ଏଗୁଡ଼ିକ ଜିଲ୍ଲାର ବର୍ତ୍ତମାନ ବିପର୍ଯ୍ୟସ୍ଥ ପରିବେଶକୁ ଆହୁରି ସଙ୍କଟ ଭିତରକୁ ଟାଣି ଆଣିବ ଏଥିରେ ସନ୍ଦେହ ନାହିଁ ।ବର୍ତ୍ତମାନ ଜିଲ୍ଲାରେ ୧୩୯ଟି ମାଇନ୍ସ ରହିଛି । ଏସବୁ ମୋଟ ଆୟତନ ହେଉଛି ୩୩ ହଜାର ହେକ୍ଟର ଏବଂ ସେଥିରୁ ଜଙ୍ଗଲ ଜମି ହେଉଛି ୨୪ ହଜାର ହେକ୍ଟର । ୨୪୦ ବର୍ଗ କିମି ବ୍ୟାପୀ ଜଙ୍ଗଲ ବର୍ତ୍ତମାନ ସୁଦ୍ଧା କ୍ଷୟ ହୋଇସାରିଲାଣି । ଏହାଦ୍ୱାରା ଜିଲ୍ଲାର ପ୍ରାକୃତିକ ପରିବେଶ ଏବଂ ଏହାର ଜୈବ ବିବିଧତା ଗଭୀର ଭାବରେ ପ୍ରଭାବିତ ହୋଇପଡ଼ିଛି । ଏହାଦ୍ୱାରା ଅନେକ ପାହଡ଼ି ଝରଣା ଶୁଖିଯାଇଛି, ବୈତରଣୀ ନଦୀ ଗଭୀର ଭାବରେ ପ୍ରଭାବିତ ହୋଇଛି । ଭୂତଳ ଜଳସ୍ତର ତଳକୁ ଖସି ଯାଇଛି, ବାୟୁ ପ୍ରଦୂଷଣ ଭୀଷଣ ଭାବରେ ଜନ ଜୀବନକୁ ପ୍ରଭାବିତ କରିଛି । ଜୈବ ମଣ୍ଡଳର ଅବକ୍ଷୟ ଦେଖାଦେଇଛି । ଏସବୁକୁ ସରକାର ଅଣଦେଖା କରୁଛନ୍ତି । ସମ୍ପ୍ରତି ଆଉ ୯ଟି ନୂଆ ଖଣି ବ୍ଲକ ଏହି ସମସ୍ୟାକୁ ଆହୁରି ଘନିଭୂତ କରାଇବ । କେନ୍ଦୁଝରବାସୀ ଏହାକୁ କେବେ ବରଦାସ୍ତ କରିବେ ନାହିଁ । ଏହା କେବଳ କେନ୍ଦୁଝରବାସୀଙ୍କ ସମସ୍ୟା ନୁହେଁ, ବରଂ ଓଡ଼ିଶାର ସମସ୍ୟା । ତେଣୁ ଆମେ ଓଡ଼ିଶାବାସୀଙ୍କୁ ମଧ୍ୟ ଏହାର ପ୍ରତିବାଦ କରିବା ପାଇଁ ଆହ୍ୱାନ କରୁଛୁ ।ମାନ୍ୟବର ସୁପ୍ରିମକୋର୍ଟ, ତାଙ୍କର ଏକ ରାୟରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଖଣି ଜନିତ କ୍ଷତିପୂରଣ ଅର୍ଥକୁ ଓଏମ୍ବିଏଡ଼ିସି ମାଧ୍ୟମରେ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏଥିରେ ୧୫ ହଜାର କୋଟି ଟଙ୍କା କ୍ଷତିପୂରଣ ବାବଦକୁ ଆଦାୟ ହୋଇ ପଡ଼ିରହିଛି । କେନ୍ଦୁଝର ଅଞ୍ଚଳର ପରିବେଶ ସୁରକ୍ଷା ଏବଂ ଜନ ସମୁଦାୟର ହିତ ପାଇଁ ଏ ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିବା ଦୁର୍ଭାଗ୍ୟଜନକ । ଅନୁରୂପ ଭାବରେ କେନ୍ଦ୍ର ସରକାରଙ୍କର ଏକ ନୂତନ ଆଇନ୍ ଅନୁଯାୟୀ ଡ଼ିଏମ୍ଏଫ୍ ଗଠିତ ହୋଇଛି ଯାହାକି ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ବିକାଶ ପାଇଁ ବ୍ୟବହାର ହେବା ଉଚିତ୍ । ଅଦ୍ୟାବଧି ଡ଼ିଏମ୍ଏଫ୍ର ଟ୍ରଷ୍ଟ ପଞ୍ଜିକରଣ ହୋଇନାହିଁ କିମ୍ବା ଏଥିରେ ଗଚ୍ଛିତ ଥିବା ୩୬୩୨ କୋଟି ଟଙ୍କାକୁ ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚ କରାଯାଉନାହିଁ । ଏହା ସରକାରଙ୍କର କେନ୍ଦୁଝରବାସୀଙ୍କ ପ୍ରତି ସମ୍ବେଦନଶୀଳହୀନତାର ପରିପ୍ରକାଶ । ଏହାକୁ ଆମେ ବରଦାସ୍ତ କରିବୁ ନାହିଁ ।କେନ୍ଦୁଝର ଆଜି ଶ୍ରୀହୀନ ହେବାକୁ ବସିଲାଣି । ଏହାର ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଦୃଷ୍ଟିଗୋଚର ହେଲାଣି । କେନ୍ଦୁଝରରୁ ସଂଗୃହୀତ ରାଜସ୍ୱରେ ସରକାର ଲାଭବାନ, ମାତ୍ର କେନ୍ଦୁଝରବାସୀଙ୍କୁ ତାର ମୂଲ୍ୟ ଦେବାକୁ ପଡୁଛି । ଏହାକୁ କେନ୍ଦୁଝରବାସୀ ବରଦାସ୍ତ କରିବେ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ନାଗରିକ ମଞ୍ଚର ସଭାପତି ଶ୍ରୀ କିରଣ ଶଙ୍କର ସାହୁ, ଆଗାମୀ ଓଡ଼ିଶାର ଆବାହକ ଶ୍ରୀ ସୁଦର୍ଶନ ଦାସ, ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍ଗୋ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଶ୍ରୀ ବିଜୟ ପ୍ରଧାନ, ପ୍ରସନ୍ନ ବିଷୋୟୀ, ଦୁର୍ଯ୍ୟୋଧନ ବେହେରା, ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।