ପରିବେଶ ସୁରକ୍ଷାର ୨୯ ବର୍ଷ ସାଧନା ପାଇଁ ମିଳିଲା ଜାତୀୟ ସମ୍ମାନ

ନିମାପଡ଼ା, (ସନ୍ତୋଷ ଦାଶ):ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ୨୯ ବର୍ଷ ଜୀବନବ୍ୟାପୀ ଅବଦାନ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଗୁଣ୍ଡଳବା ଗ୍ରାମର ବିଚିତ୍ରାନନ୍ଦ ବିଶ୍ବାଳ ଙ୍କୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଜାତୀୟ ପୁରସ୍କାର ରେ ସମ୍ମାନିତ କରାଯାଇଛି।ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ “ଟିଭି ନାଇନ୍”ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ କେନ୍ଦ୍ର ବିଦେଶ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଚିତ୍ରାନନ୍ଦ ଙ୍କୁ ସମ୍ମାନିତ କରିଥିଲେ।୧୯୯୪ ମସିହାରୁ ଶ୍ରୀ ବିଶ୍ଵାଳ ନିଜର ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେ, ଘରଚଟିଆ, ଆର୍ଦ୍ରଭୂମି ଓ ଲୁଣା ଜଙ୍ଗଲ ସଂରକ୍ଷଣ, ସାପ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି । ତୃଣମୂଳସ୍ତରରେ ଭାରତୀୟ ପରିବେଶ ସୁରକ୍ଷାରେ ନିୟୋଜିତ ଶ୍ରୀ ବିଶ୍ଵାଳ ଉପକୂଳ ଜୈବ ବିବିଧତା ସଂରକ୍ଷଣ ପରିଚାଳନା ଦିଗରେ କାର୍ଯ୍ୟ କରୁଛନ୍ତି । ଘର ତ୍ୟାଗ କରି ଅତି ନିରାଡମ୍ବର ଭାବରେ ବଞ୍ଚୁଥିବା ଶ୍ରୀ ବିଶ୍ଵାଳଙ୍କ କେବଳ ପୁରୀ ଜିଲ୍ଲା ନୁହେଁ ଜଗସିଂହପୁର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ପରି ଉପକୂଳବର୍ତୀ ଅଞ୍ଚଳରେ ଅବଦାନ ଅନେକ ରହିଛି । ସ୍ଥାନୀୟ ମତ୍ସ୍ୟଜୀବୀ, ଯୁବକ, ମହିଳା, ବ୍ୟବସାୟୀ ଆଦି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରେରିତ କରି ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେ ସଂରକ୍ଷଣ, ଉପକୂଳ ବାଲୁକା ଗୁଳ୍ମ ପ୍ରଜାତି ଉଦ୍ଭିଦ ପୁନଃରୁଦ୍ଧାର, ପ୍ରାକୃତିକ ହେନ୍ତାଳ ଜଙ୍ଗଲ ପରିସଂସ୍ଥାନ ସଂରକ୍ଷଣ,ଡଲଫିନ ତଥ୍ଯ ସଂଗ୍ରହ, ଘରଚଟିଆ ସଂରକ୍ଷଣ, ବିଷଧର ସାପ ଉଦ୍ଧାର ସାଙ୍ଗକୁ ଅନ୍ୟାନ୍ୟ ସରୀସୃପ ପ୍ରଭୃତି ସଂରକ୍ଷଣରେ ପାଖାପାଖି ୩ ଦଶନ୍ଧି ହେବ ନିଜକୁ ସମର୍ପି ଦେଇଛନ୍ତି । ଏନେଇ ୨୦୧୯ ମସିହାରେ ଓଡ଼ିଶା ସରକାରଙ୍କ ସର୍ବୋଚ୍ଚ ବନ୍ୟଜନ୍ତୁ ସଂରକ୍ଷଣ ପୁରସ୍କାର ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରରେ ମଧ୍ୟ ଶ୍ରୀ ବିଶ୍ବାଳଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ସମ୍ମାନୀତ କରାଯାଇଛି। ୨୦୧୮ ମସିହାରୁ ପକ୍ଷାଘାତରେ ପୀଡ଼ିତ ହୋଇ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟାବସ୍ଥା ସୁଧିରି ନଥିଲେ ମଧ୍ଯ ଶ୍ରୀ ବିଶ୍ଵାଳ ସକ୍ରିୟ ରହି ଅସ୍ତରଙ୍ଗର ଦେବୀ ନଦୀ ମୁହାଣ ଠାରୁ ଋଷିକୂଲ୍ୟା ମୁହାଣ ପର୍ଯ୍ୟନ୍ତ ନିଜ କାର୍ଯ୍ୟ ଜାରି ରଖିବା ସହ ଯୁବ ପିଢ଼ିକୁ ଉପକୂଳ ଜୈବ ବିବିଧତା ସଂରକ୍ଷଣ ଦିଗରେ ଯୋଡିବାକୁ ପ୍ରାଧାନ୍ୟ ଦେଇ ଚାଲିଛନ୍ତି । ଏହି ଜାତୀୟ ସମ୍ମାନ ମିଳିବା ପରେ ନୂଆଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ସ୍ୱାଇଁ, ଲାଇଫ ଗାର୍ଡ ବାବୁ ବେହେରା ପ୍ରମୁଖଙ୍କ ସମେତ ଅସ୍ତରଙ୍ଗ ଅଞ୍ଚଳର ବୁଦ୍ଧିଜୀବି ମାନେ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ