ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟଟକ ଙ୍କ ଭିଡ଼ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ଶୀତ ଋତୁ ପାଇଁ ପୁରୀ ଜିଲ୍ଲା ର ପୁରୀ,କୋଣାର୍କ, ନିମାପଡା, ଅସ୍ତରଙ୍ଗ, କାକଟପୁର, ପ୍ରଭୁତି ଅଞ୍ଚଳ ରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ରେ ପର୍ଯ୍ୟଟକ ଙ୍କ ଅସମ୍ଭବ ଭିଡ ଜମୁଛି। କିଛିଦିନ ହେଲା ଏହି ସବୁ ସ୍ଥାନ କୁ ପର୍ଯ୍ୟଟକ, ଯାତ୍ରୀ ଙ୍କ ସୁଅ ଛୁଟୁଛି । କୋଣାର୍କ ର ଚନ୍ଦ୍ରଭାଗାରୁ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ, ସ୍କୁଲ ଛାତ୍ରଛାତ୍ରୀ, ବନ୍ଧୁ ପରିଜନ, ଯୁବକଯୁବତୀ ଭୋଜି ଭାତରେ ମସଗୁଲ ହେଉଛନ୍ତି। ସବୁଠି ଖଚାଖଚ ଭିଡ଼। ରିଙ୍ଗ ରୋଗରୁ ଆଇବି ଛକ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖାଦେଉଛି । ପୁରୀ ର ଶ୍ରୀ ମନ୍ଦିର ଓ ସମୁଦ୍ର କୂଳ, କାକଟପୁର ର ମାମଙ୍ଗଳା ଙ୍କ ମନ୍ଦିର, ଅସ୍ତରଙ୍ଗ ର ଜାହାନିଆଁ, କେଳୁଣି ମୁହାଁଣ, ସହନ ଠାରେ ଯାତ୍ରୀ, ପର୍ଯ୍ୟଟକ ଙ୍କ ଭିଡ଼ ଲାଗିରହୁଛି।ସବୁ ସ୍ଥାନ ରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନ ରେ ଓ ମୁଖ୍ୟ ରାସ୍ତା ମାନଙ୍କ ରେ ସକାଳେ ଓ ସନ୍ଧ୍ୟାରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେବେଳେ ଜରୁରୀକାଳୀନ ରୋଗୀ ମାନଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକ ଭିଡ଼ ରେ ଫସିଯାଉଛି। ଜାନୁୟାରୀ ମାସ ସାରା ଏ ସବୁ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଯାତ୍ରୀ, ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିବା ସମ୍ଭାବନା ରହିଛି। ଏଥିପାଇଁ ପିପିଲି- କୋଣାର୍କ, ପିପିଲି – ଅସ୍ତରଙ୍ଗ, କାକଟପୁର – କୋଣାର୍କ, ଗୋପ – ପୁରୀ, ଚାରିଛକ- ନଖରା ମୁଖ୍ୟ ରାସ୍ତା ମାନଙ୍କ ରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ନିୟମିତ ପାଟ୍ରୋଲିଂ ସାଙ୍ଗକୁ ଟ୍ରାଫିକ ବ୍ୟବସ୍ଥା ର ନିୟନ୍ତ୍ରଣ କରାଯିବା ଜରୁରୀ ହୋଇପଡିଛି।ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।