ପର କରିଦେଲା ଜନ୍ମକଲା ପୁଅ, ୮ବର୍ଷ ହେଲା ପରଘରେ ଆଶ୍ରୟ ନେଇଛନ୍ତି ଅସହାୟ ବୃଦ୍ଧା
ହାଟଡିହି, (ବିକାଶ ବିଶ୍ୱାଳ):କଥାରେ ଅଛି ଲକ୍ଷେ ଶିବ ପୁଜି ପାଇଥିଲି ପୁଅ । କିନ୍ତୁ ସେହି ପୁଅ ଯେ ଦିନେ ବଇରି ହେବ ସେକଥା ମୁଁ କେବେ କଳ୍ପନା କରିନଥିଲି । ଏପରି କାନ୍ଦି କାନ୍ଦି କହିଛନ୍ତି ଜଣେ ଅସହାୟ ମା । ପର କରିଦେଲା ଜନ୍ମକଲା ପୁଅ, ଘରୁ ବାହାର ମଧ୍ୟ କରିଦେଲା, ନିଜର ଜମିବାଡି, ଘରଦ୍ୱାର ଥାଇବି ଏବେ ୮ବର୍ଷ ହେଲା ଆସି ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି ବୃଦ୍ଧା । ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ବେତିରା ଗ୍ରାମରେ । ଗ୍ରାମର ସନ୍ଧ୍ୟାରାଣୀ ପଣ୍ଡା ନାମକ ଏହି ମହିଳାଙ୍କ କହିବାନୁଯାଇ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର । ସ୍ୱାମୀ ମାୟାଧର ପଣ୍ଡା ତିରିଶ ବର୍ଷ ପୁର୍ବରୁ ମୃତ୍ୟୁବରଣ କରିସାରିଛନ୍ତି । ଦୁଇପୁଅଙ୍କୁ ବାହାଘର କରିସାରିଦେବା ପରେ ବଡପୁଅ ଅଲଗା ହୋଇଯାଇଥିଲା । ସାନପୁଅ ଭିନ୍ନକ୍ଷମ ହୋଇଥିବାବେଳେ ତାର ମଧ୍ୟ ବିଭାଗର ସାରିଥିଲି । କିନ୍ତୁ ଘରର ପରିସ୍ଥିତି ଏପରି ହେଲା ଯେ ସାନପୁଅ ବାଧ୍ୟହୋଇ ନିଜ ଶ୍ୱଶୁର ଘରକୁ ପଳାଇଲା । ଏପରି ଅବସ୍ଥାରେ ବଡପୁଅ ମୋତେ ଘରୁ ବାହାର କରିଦେବାରୁ ମୁଁ ଆସି ଜଣେ ପଡିଶାଙ୍କ ଘରେ ଆଶ୍ରୟ ନେଇଛି । ମାସକୁ ଯେଉଁ ଚାଉଳ ୫କିଲୋ ପାଉଛି ଓ ଭତ୍ତା ପାଞ୍ଚଶହ ଟଙ୍କା ପାଉଛି ସେତିକି ହିଁ ମୋର ସାହା ଭରଷା । ଅଧେ ଦିନ ଖାଇଲେ ଅଧେ ଦିନ ଉପାସରେ କଟୁଛି । ଔଷଧ ଟିକେ କିଣିବାକୁ ମଧ୍ୟ ମୋ ପାଖରେ ସମ୍ବଳ ନାହିଁ । ମୁଁ ଏବେ ୭୦ବର୍ଷ ବୟସରେ ପାଦଥାପିଥିବାବେଳେ ଠିକ ଭାବେ ଚାଲି ପାରୁନି । ସେଇଥିରେ ବହୁ କଷ୍ଟରେ ଭାତ ଗଣ୍ଡେ ରାନ୍ଧିକି ଖାଉଛି । କଣବା କରିବି ଝିଅକୁ ବିଭା ଦେଇଥିଲି ଯେ ତାର ସ୍ୱାମୀ ମରିଯିବା ପରେ ତାର ଇଛା ଥିଲେ ମଧ୍ୟ ସେ ମଧ୍ୟ ମୋତେ ସହାୟ ହୋଇ ପାରୁନି । ସାନପୁଅକୁ ତାର ଶ୍ୱଶୁର ଘର ଲୋକେ ବାହାର କରିଦେବା ପରେ ସେ ଏବେ ଅସହାୟ ହୋଇ ବାର ଦୁଆର ବୁଲୁଛି । ତେଣୁ ମୋ ଦୁଖଃ ଶୁଣିବ କିଏ । ଯେଉଁ ପୁଅକୁ ଜନ୍ମ କରିଥିଲେି ସେ ତ ଭଗାରୀ ହେଲା । ଯଦି ମୋ କଥା ସରକାର ଶୁଣନ୍ତେ ତେବେ ମୁଁ ମୋର ଅବଶିଷ୍ଟ ଜୀବନ ଖୁସିରେ ରହି ପାରନ୍ତି ବୋଲି କୋହଭଣା କଣ୍ଠରେ କହିଛନ୍ତି ସନ୍ଧ୍ୟାରାଣୀ ।