ପଶୁଧନ କ୍ଷେତ୍ରରେ ଆଶାର କିରଣ
ତପନ କୁମାର ମିଶ୍ର
‘ଘିଅ ମହୁରେ ଭାସିବା’ କଥାଟି ଯାହା ଓଡ଼ିଆରେ କୁହାଯାଏ ତାହା ସମୃଦ୍ଧି, ସ୍ୱାବଲମ୍ବନ, ପୁଷ୍ଟିସାଧନ ଓ ସ୍ୱଚ୍ଛଳତା ସହ ସଂପୃକ୍ତ । ସଭ୍ୟତାର କେଉଁ ପୁରୁଣା କାଳରୁ ମଣିଷ ଚାଷବାସ ସହ ପଶୁଧନକୁ ଜୀବିକା ଅର୍ଜନର ପନ୍ଥା ଭାବେ ଗ୍ରହଣ କରି ନେଇଛି । ଗୃହପାଳିତ ପଶୁପକ୍ଷୀଙ୍କ ସହିତ ଆଉକିଛି ବେଉସା କରି ମଣିଷ ତା’ର ଖାଦ୍ୟ ଓ ଅର୍ଥନୈତିକ ଆବଶ୍ୟକତା ପୂରଣ କରିଆସୁଛି । ଭାରତ ପରିପ୍ରେକ୍ଷୀରେ ଦେଖିଲେ ଏହି ପ୍ରାଣୀଧନ ବା ପଶୁସଂପଦ କ୍ଷେତ୍ରଟି ବଡ଼ ବ୍ୟାପକ ଏବଂ ଏଥିରେ ପଶୁପକ୍ଷୀ ମାଛ, ମାଂସ, ମହୁମାଛି, ଟସରପୋକ ଠାରୁ ଆରମ୍ଭ କରି ରୋଜଗାର ତଥା ଖାଦ୍ୟ ଯୋଗାଉଥିବା ଅନେକ ଜୀବଜନ୍ତୁ ସଂପୃକ୍ତ ।
ବିଂଶତମ ପ୍ରାଣୀଧନ ଗଣନାନୁସାରେ ଭାରତରେ ଗୋରୁ ଓ ମଇଁଷିଙ୍କ ସଂଖ୍ୟା ଯଥାକ୍ରମେ ୧୯୨.୫ ଓ ୧୦୯.୯ ନିୟୁତ । ଏହି ଉଭୟ ପ୍ରାଣୀ ସଂଖ୍ୟା ଅନୁସାରେ ଭାରତ ପୃଥିବୀରେ ପ୍ରଥମ । ଭାରତ ବିଶ୍ୱରେ ଦୁଗ୍ଧ ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଛି । ୨୦୧୭-୧୮ ତଥ୍ୟ ଅନୁସାରେ ଭାରତରେ ବାର୍ଷିକ ୧୭୬.୩୪ ନିୟୁତ ଟନ୍ ଦୁଧ ଉତ୍ପାଦିତ ହୁଏ । ସେହିଭଳି ଭାରତରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଛେଳି (୧୪୮.୮୮ ନିୟୁତ) ଦ୍ୱିତୀୟ ସର୍ବାଧିକ କୁକୁଟ୍ଟଆଦି ପକ୍ଷୀ ଅଛନ୍ତି । ମେଣ୍ଢାଙ୍କ ସଂଖ୍ୟା ୭୪.୨୬ ନିୟୁତ, ଯାହା ବିଶ୍ୱରେ ମଧ୍ୟ ତୃତୀୟ ସର୍ବାଧିକ । ମାଛ ଉତ୍ପାଦନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହାଛଡ଼ା ଅଣ୍ଡା ଓ ମହୁ ଆଦି ଉତ୍ପାଦନରେ ଦେଶ ମଧ୍ୟ ତୁଳନାତ୍ମକ ଭାବେ ଯଥେଷ୍ଟ ଆଗୁଆ ।
୨୦୧୯ ତଥ୍ୟ ଅନୁସାରେ ଭାରତର ମୋଟ ପଶୁଧନ ବଜାରର ମୂଲ୍ୟ ୯୦ ହଜାର କୋଟି ଟଙ୍କା । ଦେଶର ୨୦.୫ ନିୟୁତ ଲୋକ ଏହି ପଶୁପକ୍ଷୀଧନ ଉପରେ ନିର୍ଭର କରି ଜୀବିକା ଅର୍ଜନ କରିଥାନ୍ତି । ଛୋଟ ଓ ନାମମାତ୍ର ଚାଷୀଙ୍କ ମୋଟ ଆୟର ୧୬ ଶତାଂଶ ଏହି କ୍ଷେତ୍ରରୁ ଆସେ । ଗ୍ରାମାଂଚଳର ଦୁଇ-ତୃତୀୟାଂଶ ପରିବାରକୁ ଏହି ଉଦ୍ୟୋଗ ଦାନା ଯୋଗାଏ । ପଶୁଧନ କ୍ଷେତ୍ରରେ ଭାରତର ୮.୮ ଶତାଂଶ ଲୋକ ନିଯୁକ୍ତ । ଏହା ସତ୍ୱେ ପଶୁଧନ ଓ ତତ୍ ସଂଲଗ୍ନ କ୍ଷେତ୍ରର ଜି.ଡ଼ି.ପିକୁ ଅବଦାନ ମାତ୍ର ୪.୧୧ ଶତାଂଶ । ଅବଶ୍ୟ ମୋଟ କୃଷି ଜି.ଡ଼ି.ପି.ରେ ଏହାର ଅଂଶ ୨୫.୬ ଭାଗ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ଜନସଂଖ୍ୟାର ଏକ ବଡ଼ଭାଗ ନିରାମିଷାସୀ । ତେଣୁ ସେମାନେ ଦୁଧ ଓ ଦୁଗ୍ଧ ଜାତୀୟ ସାମଗ୍ରୀ ଉପରେ ନିର୍ଭରଶୀଳ । ଦ୍ୱିତୀୟ କଥାଟି ହେଲା ଭାରତରେ ଦୁଧ, ଅଣ୍ଡା, ମାଛ ଓ ମାଂସ ପ୍ରଚୁର ପରିମାଣରେ ମିଳୁଥିଲେ ହେଁ ଅର୍ଥାଭାବ ଯୋଗୁଁ ଅନେକ ଲୋକ ଏହାକୁ ସବୁବେଳେ ଖାଇପାରିନଥାନ୍ତି । ସୁଖର କଥା କ୍ରମଶଃ ଲୋକଙ୍କ ଆୟ ବୃଦ୍ଧି ଓ ଜୀବନ ଧାରଣ ମାନରେ ଉନ୍ନତି ଆସୁଥିବାରୁ ଦେଶରେ ଦୁଧ, ଦୁଗ୍ଧଜାତ ସାମଗ୍ରୀ ତଥା ମାଛ, ମାଂସ ଆଦିର ଚାହିଦା ବଢୁଛି । ତଥାପି ଏସବୁ ସାମଗ୍ରୀର ରପ୍ତାନୀ କ୍ଷେତ୍ରରେ ଭାରତର ପ୍ରଦର୍ଶନ ସେତେ ଭଲ ନୁହେଁ । ତେଣୁ ଯେଉଁମାନେ ପଶୁଧନ ଉପରେ ନିର୍ଭର କରି ଚଳୁଛନ୍ତି, ବିଶେଷ କରି ଚାଷୀ ଓ ସ୍ୱଳ୍ପ ରୋଜଗାରୀ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସୁନାହିଁ । ମାଛ, ମାଂସ, ଅଣ୍ଡା, ଚମଡ଼ା, ପ୍ରକ୍ରିୟାକୃତ ଦୁଧ, ଦହି, ଛେନା, ଘିଅ, ଲହୁଣି ଆଦିର ରପ୍ତାନୀ ବଢ଼ାଇବାକୁ ଗତ କିଛିକାଳ ଧରି ନିରନ୍ତର ଉଦ୍ୟମ ଅବଶ୍ୟ ଚାଲିଛି । ଏଥିପାଇଁ ବାହାରେ ମଧ୍ୟ ବେଶ୍ ଭଲ ବଜାର ରହିଛି । ତେଣୁ ଏହି କ୍ଷେତ୍ରର ଯେଉଁ ବିପୁଳ ସମ୍ଭାବନା ରହିଛି ତାହାକୁ ସାକାର କରିବାକୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ କାର୍ଯ୍ୟକାରୀ କରୁଛନ୍ତି । ଏହାର ମୁଖ୍ୟ ଲକ୍ଷ୍ୟ ହେଲା ଲୋକଙ୍କୁ ନିଯୁକ୍ତି ଓ ରୋଜଗାର ସୁଯୋଗ ଦେବା ଏବଂ ଚାଷୀଙ୍କ ଆୟବୃଦ୍ଧି କରାଇ ସେମାନଙ୍କୁ ସମର୍ଥ ଓ ସଶକ୍ତ କରିବା ।
କୋଭିଡ଼ – ୧୯ ର ପ୍ରଭାବ ଅର୍ଥନୀତିର ସବୁକ୍ଷେତ୍ର ଭଳି ଚାଷବାସ ଓ ତତ୍ ସଂଲଗ୍ନ କ୍ଷେତ୍ର ଉପରେ ପଡ଼ିଛି । ତେଣୁ କେନ୍ଦ୍ର ସରକାର ଆତ୍ମନିର୍ଭରଶୀଳ ଭାରତ ଯୋଜନା ଘୋଷଣା କରି ବିଭିନ୍ନ ଉଦ୍ୟୋଗ ଓ କ୍ଷେତ୍ରକୁ କରୋନା ପ୍ରଭାବରୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି ସେଥିରେ କୃଷି ଓ ତତ୍ସଂଲଗ୍ନ ପଶୁଧନ ଉଦ୍ୟୋଗ ରହିଛି । ଏଥିପାଇଁ ପ୍ରାଣୀସଂପଦ ବା ପଶୁଧନ କ୍ଷେତ୍ର ପାଇଁ ୧୫ ହଜାର କୋଟି ଟଙ୍କାର ଭିତିଭୂମି ବିକାଶ ପାଣ୍ଠି ସୃଷ୍ଟିର ବ୍ୟବସ୍ଥା କରାଯାଇଛି । ଏ ସଂକ୍ରାନ୍ତ ପ୍ରସ୍ତାବଟି ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ ଲାଭ କରିଛି । ସରକାର ଏହି କ୍ଷେତ୍ର ପାଇଁ ଯେଉଁ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରିଛନ୍ତି ତଦନୁସାରେ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ଋଣ ଉପରେ ତିନି ଶତାଂଶ ସୁଧ ରିହାତି ଦିଆଯିବ । ଘରୋଇ କ୍ଷେତ୍ରକୁ ଭିତିଭୂମି ବିକାଶ ଓ ବ୍ୟବସାୟ ପାଇଁ ଅନୁମତି ମିଳିବା ସହ ଦୁଗ୍ଧ ପ୍ରକ୍ରିୟାକରଣ ନିମନ୍ତେ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ସରକାର ଯୋଗାଇଦେବେ । ଏହି କ୍ଷେତ୍ରର ଉତ୍ପାଦିତ ସାମଗ୍ରୀକୁ ମୂଲ୍ୟ ମିଶ୍ରିତ କରି ରପ୍ତାନୀକୁ ପ୍ରୋତ୍ସାହିତ କରାଯିବ । ଏହାଫଳରେ ଚାଷୀ ଉପକୃତ ହେବେ ଏବଂ ସେମାନଙ୍କ ଆୟ ବଢ଼ିବ । ଏହି କ୍ଷେତ୍ରର ବିକାଶ ଓ ସଂପ୍ରସାରଣ ଦ୍ୱାରା ଅଧିକରୁ ଅଧିକ ରୋଜଗାର ସୃଷ୍ଟି ହେବ ଏବଂ ୩୫ ଲକ୍ଷ ଲୋକ ନିଯୁକ୍ତିର ସୁଯୋଗ ପାଇବେ ବୋଲି ସରକାର ଆଶା ରଖିଛନ୍ତି । ସବୁଠୁ ବଡ଼ କଥା ହେଲା ଯେ, ଅସଂଗଠିତ କ୍ଷେତ୍ରରେ ରହି ଉପଯୁକ୍ତ ବଜାର ଏବଂ ବିକ୍ରିବଟା ସୁଯୋଗ ପାଉନଥିବା ଅଧିକରୁ ଅଧିକ ଗୋପାଳକ ଏବଂ ଚାଷୀ ବ୍ୟବସ୍ଥିତ ତଥା ସଂଗଠିତ ଡ଼େରୀ ଉଦ୍ୟୋଗରେ ସାମିଲ ହୋଇପାରିବେ ।
ସରକାର ନୂଆ ବ୍ୟବସ୍ଥାରେ ଦେଶରେ ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ବର୍ତମାନର ୫୩.୫୫ ନିୟୁତ ମେଟ୍ରିକ୍ ଟନ୍ରୁ ୧୦୮ ନିୟୁତ ମେଟ୍ରିକ୍ ଟନ୍କୁ ବଢ଼ାଇବାର ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ଦୈନିକ ଦୁଗ୍ଧ ଶୀତଳୀକରଣ କ୍ଷମତା ଦୈନିକ ତିନିହଜାର ଲକ୍ଷ ଲିଟର କରିବାର ଲକ୍ଷ୍ୟ ରଖାଯାଇଛି ।
ଯେଉଁ କ୍ଷେତ୍ରଟି ବିଭିନ୍ନ କାରଣରୁ ବିକଶିତ ହୋଇପାରୁନଥିଲା ତାହାକୁ ବିକାଶର ଏକ ନୂଆ ରାହା ଦେବାରେ କରୋନା ମହାମାରୀ ସଫଳ ହୋଇଛି କହିଲେ ଭୁଲ୍ ହେବ ନାହିଁ । ଏଥିପାଇଁ ଠିକଣା ସମୟରେ ସରକାର ଉପଯୁକ୍ତ ପଦକ୍ଷେପ ନେଇ ତାଙ୍କର ରାଜନୈତିକ ଇଚ୍ଛାଶକ୍ତି ଓ କୃଷକ କଲ୍ୟାଣ ଆଭିମୁଖ୍ୟର ଯଥାର୍ଥ ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସଂପଦ ଯୋଜନା ଅଧୀନରେ ଇତି ମଧ୍ୟରେ ବୃହତ୍ ଫୁଡ଼ପାର୍କ, ସମନ୍ୱିତ ଶୀତଳ ଜଂଜିର, ଆଗ୍ରୋପ୍ରସେସିଂ ଭାଲ୍ୟୁ ଆଡ଼ିସନ୍ ଭିତିଭୂମି, ନୂଆ ଉପାୟରେ ମାଛ ଓ ମହୁଚାଷ ଆଦି ପାଇଁ ଭିତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏବେ ପ୍ରାଣୀ ସଂପଦ ବିକାଶ କ୍ଷେତ୍ରରେ ନୂଆ ପ୍ରୟାସ ଦ୍ୱାରା ଚାଷୀଙ୍କୁ ଉତମ ବଜାର ମିଳିବ ଏବଂ ସେମାନଙ୍କର ସାମଗ୍ରୀର ବିକ୍ରିବଟା ତଥା ବିପଣନ ପାଇଁ ଦେଶ ବିଦେଶର ବଜାର ସୁବିଧା ଉପଲବ୍ଧ ହେବ ।
ଚାଷବାସ ଭଳି ଏକ ବିରାଟ ଓ ସମସ୍ୟା ବହୁଳ କ୍ଷେତ୍ରକୁ ସଜାଡ଼ିବାକୁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଓ ବିପୁଳ ପୁଞ୍ଜିର ଆବଶ୍ୟକତା ରହିଛି । ଏ ଦିଗରେ ସରକାର ନିରନ୍ତର ଉଦ୍ୟମଶୀଳ । କୃଷିକ୍ଷେତ୍ରକୁ ପୁଞ୍ଜିନିବେଶ ପାଇଁ ମୁକ୍ତ କରିବା ସହ ଏଥିରେ ଘରୋଇ ଉଦ୍ୟୋଗ ଓ ନିବେଶକଙ୍କୁ ସାମିଲ ନ କଲେ ଲକ୍ଷ୍ୟ ହାସଲ କରିବା ସହଜ ନୁହେଁ । ତେଣୁ ଘରୋଇ ନିବେଶ ଦ୍ୱାରା କୃଷିକ୍ଷେତ୍ରର ବିକାଶ ଏକ ବାସ୍ତବବାଦୀ ପଦକ୍ଷେପ ।
ନିଜ ପାଖରେ ଉପଲବ୍ଧ ସମ୍ବଳ ଓ ସାମଗ୍ରୀର ମାନବୃଦ୍ଧି, ତାହାର ଉପଯୁକ୍ତ ବିକ୍ରିବଟା ଓ ବଜାର ସୁବିଧା ସହିତ ଚାଷୀଙ୍କ ଆୟପନ୍ଥା ନିର୍ଭରଶୀଳ । ସେମାନଙ୍କୁ ଏହି ସୁବିଧା ସୁଯୋଗ ଯୋଗାଇ ସେମାନଙ୍କ ଆୟ ବୃଦ୍ଧି କରାଇଲେ ସେମାନେ କେବଳ ଉପକୃତ ହେବେ ନାହିଁ; ଦେଶର ଅର୍ଥନୀତି ମଧ୍ୟ ସମୃଦ୍ଧ ହେବ । ଆତ୍ମନିର୍ଭରଶୀଳ ହେବା ପାଇଁ ଅଧ୍ୟବସାୟ, ଉପାୟ ଓ ଦୂରଦୃଷ୍ଟି ଲୋଡ଼ା । ତେଣୁ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ କ୍ଷେତ୍ରରେ ଏହା ଯେ ଏକ ସମୟୋପଯୋଗୀ ଯଥାର୍ଥ ପଦକ୍ଷେପ ଏହା ନିଃସନ୍ଦେହରେ କୁହାଯାଇପାରେ