ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ
ଇସଲାମାବାଦ: ପାକିସ୍ତାନରେ ମହାମାରୀ କରୋନା ଏବେ ବଡ଼ବଡ଼ ନେତା ଓ ସେଲିବ୍ରେଟିଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି। ଜଣେ ପାକିସ୍ତାନୀ କ୍ରିକେଟ୍ ଖେଳାଳି କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜ ଗିଲାନୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଗିଲାନୀ ବାରମ୍ବାର ମାମଲାର ଶୁଣାଣି ପାଇଁ ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋରେ ହାଜର ହେଉଥିଲେ। ଏହି ସମୟରେ ୬୭ ବର୍ଷୀୟ ଗିଲାନୀ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଉଛି। ପିପିଇର ସଂସଦୀୟ ଦଳ ନେତା ଶେରୀ ରେହମାନ ଟ୍ୱିଟ କରି ଗିଲାନୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି, ଗିଲାନୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଶୁଣି ମୁଁ ବହୁତ ଦୁଃଖିତ। ଶୁଣାଣି ବେଳେ ହାଜର ହୋଇ ସେ କରୋନାରେ ସଂକ୍ରମିତ ହୋଇଛନ୍ତି। ମୁଁ ପ୍ରାର୍ଥନା କରୁଛି କି ସେ ଶୀଘ୍ର ସୁସ୍ଥ ହୋଇଯିବେ। ଏହାପୂର୍ବରୁ ଏହି ପ୍ରାଣଘାତୀ ଭାଇରସରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକ୍କନ ଆବାସୀ ଓ ବର୍ତ୍ତମାନର ରେଳମନ୍ତ୍ରୀ ଶେଖ ରଶିଦ ଅହମଦ ସଂକ୍ରମିତ ହୋଇଥିଲେ।