ପାପଡାହାଣ୍ଡିରେ ଶହିଦ ସ୍ମୃତି ଦିବସ
ନବରଙ୍ଗପୁର,(ୱାଇଏନଏସ): ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ପାପଡାହାଣ୍ଡି ଗୁଳିକାଣ୍ଡ ଦିବସ ବା ସହିଦ ଦିବସ l ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ର ସହିଦ ମିନାର ଠାରେ ଏହି ଗୁଳିକାଣ୍ଡ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ଝରୀଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିଲେ l୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ଆଜିର ଦିନ ରେ ପାପଡାହାଣ୍ଡି ତୁରି ନଦୀ କୂଳରେ ଇଂରେଜ ମାନଙ୍କ ଅତର୍କିତ ଗୁଳିମାଡ଼ ରେ ୧୯ ଜଣ ସ୍ବାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ l ସେହି ସହିଦ ମାନଙ୍କ ସ୍ମୃତି ରେ ଏହି ସହିଦ ଦିବସ ବା ଗୁଳିକାଣ୍ଡ ଦିବସ ପାଳିତ ହୋଇଆସୁଛି । ନବରଙ୍ଗପୁର ରୁ ପାପଡାହାଣ୍ଡି ଠାରେ ସହିଦ ମଶାଲ ପହଞ୍ଚିବା ପରେ ଅତିଥି ମାନଙ୍କ ଦ୍ୱାରା ମଶାଲକୁ ସ୍ୱାଗତ କରାଯାଇଥିଲା l ପରେ ଏକ ବିଶାଳ ରାଲ୍ଲୀ ରେ ସହିଦ ମିନାର ଠାରେ ମଶାଲ ପହଞ୍ଚିବା ପରେ ସ୍ତମ୍ଭ ଠାରେ ମଶାଲ କୁ ସ୍ଥାପନ କରାଯାଇଥିଲା l ଏହାପରେ ତୁରି ନଦୀ କୂଳରେ ଅତିଥି ମାନଙ୍କ ଦ୍ୱାରା ସହିଦ ମାନଙ୍କ ଉଦେଷ୍ୟ ରେ ତିଳତର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ନବରଙ୍ଗପୁର ପୋଲିସ ପ୍ରଶାସନ ତରଫରୁ ସହିଦ ମାନଙ୍କ ଉଧ୍ୟେଶରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା l ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ମାନଙ୍କ ଦ୍ୱାରା ସ୍ୱାଧୀନତା ଆନ୍ଦୋଳନରେ ନବରଙ୍ଗପୁର ଜିଲ୍ଲା ଓ ପାପଡାହାଣ୍ଡି ଗୁଳିକାଣ୍ଡ ର ଭୂମିକା ସମ୍ପର୍କ ରେ ବର୍ଣ୍ଣନା କରାଯିବା ସହିତ ସହିଦ ମାନଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ସହିଦ ଙ୍କ ଗାଁ ରେ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରିବେ ବୋଲି କହିଥିଲେ । ଚଳିତ ବର୍ଷ ବର୍ଷା ଯୋଗୁଁ ସହିଦ ଦିବସ କାର୍ଯ୍ୟକ୍ରମ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅତିଥି ଓ ସମ୍ମାନିତ ଅତିଥିଙ୍କ ବ୍ୟତୀତ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ, ସମେତ ସମସ୍ତ ପ୍ରଶାସନିକ, ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ଙ୍କ ସମେତ ପାପଡାହାଣ୍ଡି ବିଡ଼ିଓ ତଥା ଅନେକ ପ୍ରଶାସନିକ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପରିଶେଷରେ ସହିଦ ପରିବାର ର ଦାୟାଦ ମାନଙ୍କୁ ଉପୋଢକନ ଦେଇ ସମ୍ମାନିତ କରାଯାଇଥିଲା । ଆଗାମୀ ଦିନ ରେ ସହିଦ ପୀଠ ର ଉନ୍ନତି କରାଯିବା ସହିତ ସହିଦ ପରିବାର ର ଦାୟାଦ ଙ୍କ ଦାବି ଗୁଡିକୁ ଖୁବ ଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଚଳିତ ବର୍ଷ ଅଷ୍ଟମ ଶ୍ରେଣୀର ପାଠ୍ୟକ୍ରମ ରେ ପାପଡାହାଣ୍ଡି ଗୁଳିକାଣ୍ଡ ଦିବସ ପାଠ୍ୟକ୍ରମ ରେ ସାମିଲ କରାଯାଇ ସହିଦ ପରିବାରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇଥିବା ବେଳେ ଆଗାମୀ ଦିନ ରେ ପାପଡାହାଣ୍ଡି ଅଞ୍ଚଳ ର ବିକାଶ ପାଇଁ ସରକାର ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଥିଲେ ।ପ୍ରତିବର୍ଷ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପ୍ରଶାସନ ସହୀଦଙ୍କ ଦାୟାଦ ମାନଙ୍କ କଥା ଭୁଲି ଯାଉଛି ତେଣୁ ଦାୟାଦ ପରିବାରଙ୍କ ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ଗୁଡିକରେ ସାମିଲ କରିବାକୁ ଦାବି କରିଛନ୍ତି ସହିଦ ପରିବାର।


