ପାବନ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ଓ ବଡ଼ବଡ଼ୁଆ ପ୍ରଜ୍ଜଳନ ପାଇଁ ଭିଡ଼

ହିିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଦୀପାବଳି ଅବସରରେ ଜନସାଧାରଣଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରୀଜୀଉ ମାନଙ୍କ ଅତ୍ୟନ୍ତ ଆକର୍ଷଣୀୟ ବେଶ ଦର୍ଶନ ପାଇଁ ଭୋର ୫ ଟାରୁ ମନ୍ଦିର ପରିସରରେ ଗହଳି ଚହଳି ଲାଗି ରହିଥିଲା । ମଙ୍ଗଳ ଆଳତି ଦର୍ଶନ ଓ କାର୍ତିକ ମାସର ନିତ୍ୟ ରାଧାଦାମୋଦର ବେଶ ସ୍ୱଳ୍ପ ସମୟ ପାଇଁ ଦର୍ଶନ ସୁଯୋଗ ମିଳିଥାଏ । ଅପରାହ୍ନ ୩ଟାରୁ ବିଭିନ୍ନ ଅଂଚଳରୁ ଭକ୍ତ ମାନେ ଆସି ମନ୍ଦିର ପରିସରରେ ପୟାଶ୍ରାଦ୍ଧ, ବଡ଼ବଡ଼ୁଆ ପ୍ରଜ୍ଜଳନ ପାଇଁ ଭକ୍ତ ଓ ଜନସାଧାରଣଙ୍କ କ୍ରମଶଃ ଗହଳ ଚହଳ ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟରେ ମନ୍ଦିର ପରିସର ଲୋକାରଣ୍ୟ ହୋଇପଡ଼ିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଏଥି ସକାଶେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସ୍ଥାନୀୟ ଶ୍ୟାମାକାଳୀ ଓ ଦଣ୍ଡକାଳୀ ମନ୍ଦିରରେ ଘଟପୂଜନ ଓ ହୋମ, ପୂଜାର୍ଚ୍ଚନା କରାଯାଇଥିଲା । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ଗୁଡ଼ିକରେ ସନ୍ଧ୍ୟାରେ ଆନନ୍ଦ ଉତ୍ସାହର ସହ ଜନସାଧାରଣ ନିଜ ନିଜ ଗୃହକୁ ଦୀପ ପ୍ରଜ୍ଜଳନ ସହ ବିଭିନ୍ନ ରଙ୍ଗୀନ ବିଦ୍ୟୁତ ଆଲୋକ ମାଳାରେ ସୁସଜ୍ଜିତ କରିଥିଲେ । ସାରା ସହର ଆଲୋକ ମାଳାରେ ଝଲସି ଉଠିଥିଲା । ବାଣ ଫୁଟାଇବାରେ କଟକଣା ଜାରୀ ସତ୍ୱେ ଲୋକମାନେ ବିଭିନ୍ନ ପ୍ରକାର ବାଣ ଫୁଟାଇ ପରମ୍ପରା ପାଳନ କରିଥିଲେ । ବିଭିନ୍ନ ପରିବାରରେ ମଧ୍ୟ ଦୀପଦାନ ପୟାଶ୍ରାଦ୍ଧ ସମ୍ପନ୍ନ ହୋଇଥିଲା । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ଗୁଡ଼ିକରେ ହର୍ଷ ଉଲ୍ଲାସର ସହ ଦୀପାବଳି ପର୍ବ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ