ପାରଳା ଜଗନ୍ନାଥ ମନ୍ଦିର ନିର୍ମାଣାରମ୍ଭ କରା ନ ଗଲେ ଲକ୍ଷ୍ମୀବାବା ଧାରଣା ଦେବେ ।
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବହୁ ପୁରାତନ ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରକୁ ଗତ କିଛି ବର୍ଷ ତଳେ ନୂତନ ମନ୍ଦିର ନିର୍ମାଣ ପାଇଁ ଭଙ୍ଗା ଯାଇଥିଲା । ଏଠାରେ ଥିବା ତିନି ଠାକୁରଙ୍କୁ ନିକଟସ୍ଥ ଏକ ଅସ୍ଥାୟୀ କୋଠରୀରେ ରଖାଯାଇ ଗତ ୪ବର୍ଷ ଧରି ଯଥା ରୀତିରେ ପୁଜାର୍ଚ୍ଚନା ଚାଲିଛି । ହେଲେ ପୁରାତନ ଜଗନ୍ନାଥ ମନ୍ଦିର ଭଳି ଏଠାରେ ବିଭିନ୍ନ ସୁବିଧା ନ ଥିବାରୁ ଭକ୍ତ ଓ ଜଗନ୍ନାଥ ପ୍ରେମୀ ମାନଙ୍କ ପୁଜାର୍ଚ୍ଚନା ସମୟରେ ବହୁ ସମସ୍ୟା ଓ ଅସୁବିଧା ସୃଷ୍ଟି ହେଉଛି । ତଥାପି ନୂତନ ମନ୍ଦିରର ନିର୍ମଣ କାର୍ଯ୍ୟ ଆରମ୍ଭ କରାଯାଉନାହିଁ ବୋଲି ମହେନ୍ଦ୍ରାଶ୍ରମର ମୁଖ୍ୟ ତଥା ସାଧୁ ଲକ୍ଷ୍ମୀବାବା ଅତ୍ୟନ୍ତ ଦୁଃଖ ପ୍ରକାଶ କରି କହିଛନ୍ତି,ମନ୍ଦିର କାର୍ଯ୍ୟ ତୁରନ୍ତ ଆରମ୍ଭ ନ କରା ଗଲେ ଧାରଣା ଦେବାକୁ ବାଧ୍ୟ ହେବେ । ଏ ନେଇ ଲକ୍ଷ୍ମୀବାବା ଏକ ଅନୁରୋଧ ପତ୍ର ଦ୍ୱାରା ପାରଳାଖେମୁଣ୍ଡିର ରାଜଜେମା କଲ୍ୟାଣୀ ଗଜପତିଙ୍କୁ ଅନୁରୋଧ ଜଣାଇ କହିଛନ୍ତି,ଜଗନ୍ନାଥ ମନନ୍ଦିର ପରିସରରେ ଥିବା ଅରବିନ୍ଦ ଶିକ୍ଷା କେନ୍ଦ୍ରକୁ ଏଠାରୁ ଉଠାଇ ଏହାର ଏକ ପୁରାତନ ଅସ୍ଥାୟୀ କୋଠରୀରେ ତିନି ଠାକୁରଙ୍କୁ ରଖାଯାଇ ପୁଜାପାଠ କରାଯାଉଛି । ହେଲେ ଏଠାରେ ସୀମିତ ସ୍ଥାନ ରହିଛି । ମନ୍ଦିର ଭଳି ବିଭିନ୍ନ ସୁବିଧା ନ ଥିବାରୁ ସବୁ ସମୟରେ ଭକ୍ତମାନେ ଜଗନ୍ନାଥଙ୍କ ଦର୍ଶନ ଓ ପୁଜାପାଠ ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏ ସବୁ ଦୃଷ୍ଟିରୁ ରାଜଜେମା ଅତି ତୁରନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ କିମ୍ବା ଏହାର ନିର୍ମାଣ ଦାୟୀତ୍ୱ ସରକାର କିମ୍ବା କୌଣସୀ ଟ୍ରଷ୍ଟକୁ ସମର୍ପଣ କରନ୍ତୁ । ଆଗାମୀ ୨୦ତାରିଖ ସୁଦ୍ଧା ଯେଭଳି ଭାବେ ହେଲେ ସୁଦ୍ଧା ମନ୍ଦିର କାର୍ଯ୍ୟାରମ୍ଭ ନ ହେଲେ ଆସନ୍ତା ୨୧ତାରିଖ ଠାରୁ ପାରଳା ରାଜପ୍ରାସାଦ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବି ବୋଲି ଲକ୍ଷ୍ମୀବାବା ଜଣାଇଛନ୍ତି ।


