ପାରିବାରିକ କଳହକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ବୁଲିଲା କାତି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କୁମାର ପୂର୍ଣ୍ଣିମା ପାଇଁ ଚାରିଆଡେ ଚାଲିଥିଲା ଆନନ୍ଦ ଉଲ୍ଲାସର ମାହୋଲ। ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜୁଆ ଖେଳରେ ସମସ୍ତେ ମସଗୁଲ ଥିଲେ। ହଠାତ୍ ପାରିବାରିକ କଳହକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି। ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ। ଗୋଟିଏ ଗୋଷ୍ଠୀର କାତି ଚୋଟରେ ଅପର ଗୋଷ୍ଠୀର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ପ୍ରକାରେ, କୁମାରପୂର୍ଣ୍ଣିମା ପାଇଁ ରବିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମ ନେଳିଆବନ୍ଧ ମଣ୍ଡପ ନିକଟରେ ଚାଲିଥିଲା ତାସ ଖେଳ। ଖେଳ ଚାଲିଥିବା ମଣ୍ଡପ ନିକଟରେ ସଂପୃକ୍ତ ଗ୍ରାମର କାହ୍ନା ସାହୁ, ରାକେଶ ସାହୁ, କୃଷ୍ଣ ସାହୁ ଓ ସ୍ବରାଜ୍ୟ ବେହେରା ବସିଥିଲେ। ଏହି ସମୟରେ ସେହି ଗ୍ରାମର ସନ୍ତୋଷ କୁମାର ସାହୁ (୩୨) ଓ ତାଙ୍କର ସାନ ଭାଇ ଶମ୍ଭୁ ସାହୁ (୨୪) ଆସି ପାରିବାରିକ କଳହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନେଳିଆ ବନ୍ଧ ମଣ୍ଡପ ନିକଟରେ ବସିଥିବା ୪ ଜଣଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଘଟଣାକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ସଂପୃକ୍ତ ଗ୍ରାମର ସନ୍ତୋଷ ଓ ଶମ୍ଭୁ ମିଶି ଅପର ଗୋଷ୍ଠୀର କାହ୍ନା ସାହୁ ଓ ରାକେଶ ସାହୁଙ୍କୁ ଏକ ଇଟାରେ ଆକ୍ରମଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କାହ୍ନା ଓ ରାକେଶ ଗାଳିଗୁଲଜ କରିବା ସହ ପ୍ରତିଆକ୍ରମଣ କରିଥିଲେ। ପରେ ସନ୍ତୋଷ ଗାଡି ଭିତରୁ ଏକ କାତି ବାହାର କରି ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିବା ସହ କୃଷ୍ଣ ସାହୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆକ୍ରମଣରେ କୃଷ୍ଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଘଟଣା ନେଇ କାହ୍ନା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର ୮୨୨/୨୩ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ୨ ଭାଇଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ତଥା ହିଞ୍ଜିଳି ଥାନା ଏସଆଇ ସୁନିଲ କଣ୍ଡୋଗିରିଙ୍କ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ