ପାର୍ବଣ ପ୍ରଦୂଷଣ ରୋକିବା ପାଇଁ ପ୍ରେରଣା ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମ୍ପ୍ରତି ବର୍ଷାଋତୁର ଆଗମନ ସହ ପାର୍ବଣର ଋତୁ ଆସିଛି । ଆମେ ଓଡ଼ିଶାବାସୀ ବାରମାସରେ ତେର ପର୍ବ ପାଳି ଆସୁଥିଲେ ମଧ୍ୟ ଗଣେଶ ପୂଜାଠାରୁ ଦୀପାବଳୀ ପର୍ଯ୍ୟନ୍ତ ଏହି ବର୍ଷା ସମୟରେ ବହୁ ମାଟିମୂର୍ତ୍ତି ନିର୍ମିତ ଦେବାଦେବୀଙ୍କର ପୂଜାର୍ଚ୍ଚନା ମହାଆଡ଼ମ୍ବରରେ କରାଯାଏ । ମାଟି ମୂର୍ତ୍ତିଗୁଡ଼ିକରେ ସଦାସର୍ବଦା ରାସାୟନିକ ରଙ୍ଗ ବ୍ୟବହାର କରିବା ଦ୍ୱାରା ଏଥିରେ ଥିବା ଆର୍ସେନିକ, ପାରଦ, କ୍ରୋମିୟମ, କାଡ଼ମିୟମ ଆଦି ବିଷାକ୍ତ ଭାରି ଧାତୁ ଯାହାକି ନଦୀଜଳକୁ ପ୍ରଦୂଷିତ କରିଥାଏ ଯାହା ମନୁଷ୍ୟ ତଥା ପଶୁପକ୍ଷୀଙ୍କର ପେଟ ଜନିତ ରୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ସେହିପରି ମୂର୍ତ୍ତିଗୁଡ଼ିକୁ ଚିକ୍କଣ କରିବା ପାଇଁ ପ୍ଲାଷ୍ଟର ପ୍ୟାରିସ ଆଦି ପରିବେଶ ପ୍ରଦୂଷଣ ଜନିତ ଦ୍ରବ୍ୟ ବ୍ୟବହାର ହୋଇଥାଏ । ମୂର୍ତ୍ତିଗୁଡ଼ିକୁ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନେଲାବେଳେ ଉଚ୍ଚଶବ୍ଦର ଡ଼ିଜେ ବଜାଇବା ଓ ବାଣ ଫୁଟାଇବା ଦ୍ୱାରା ଶବ୍ଦ ପ୍ରଦୂଷିତ ହୋଇ କର୍ଣ୍ଣରୋଗ, ହୃଦରୋଗ, ମା ପେଟରେ ଥିବା ଶିଶୁ କାଲ ମଧ୍ୟ ହୋଇଥାଏ । ସେହିପରି ବାଣ ଆଦିରୁ ବିଷାକ୍ତ ଧୂଆଁ ଯାହାକି ଯକ୍ଷ୍ମା, ଶ୍ୱାସ, ଫୁସ୍ଫୁସ୍ ଜନିତ ରୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ ତେଣୁ ପାର୍ବଣ ଋତୁରେ ତିଆରି କରାଯାଉଥିବା ମୂର୍ତ୍ତିମାନଙ୍କରେ ପ୍ରାକୃତିକ, ହର୍ବାଲ ରଙ୍ଗ ବ୍ୟବହାର କରିବା, ନଦୀ ପୋଖରୀରେ ମୂର୍ତ୍ତି ଗୁଡ଼ିକ ବିସର୍ଜନ ନକରି ପୂଜା ମଣ୍ଡପ ନିକଟରେ କିମ୍ବା ଅସ୍ଥାୟୀ ଭସାଣୀ ପୁଷ୍କରିଣୀରେ ବିସର୍ଜନ କରିବା, ସ୍ୱଳ୍ପ ଶବ୍ଦଯୁକ୍ତ ଡ଼ାକବାଜି ଯନ୍ତ୍ର ବ୍ୟବହାର କରିବା, ବିଶେଷକରି ବାଣ ନ ଫୁଟାଇବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ସମ୍ମୁଖରେ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ଜଣ ଚିତ୍ରଶିଳ୍ପୀ ଯୋଗଦାନ କରିଥିବା ବେଳେ ରାଜ୍ୟର ୨୦ଟି ଜିଲ୍ଲାରୁ ୨୦୦ ଛାତ୍ରଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପରେ ସେମାନଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭା ଅବସରରେ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ନିଜ ବକ୍ତବ୍ୟରେ କହିଲେ, ଆମେ ନିଜେ ପାର୍ବଣ ସମୟରେ ହେଉଥିବା ବାୟୁ, ଜଳ, ଶବ୍ଦ ପ୍ରଦୂଷଣ ସମ୍ପର୍କରେ ସଚେତନ ନହେଲେ ତାର ପରିଣତ ଆମ୍ଭେମାନେ ଭୋଗିବା ସହିତ ସାମାଜିକବର୍ଗ ତଥା ଜୀବଜନ୍ତୁ ଓ ପଶୁପକ୍ଷୀମାନେ ଭୋଗିବେ । ତେଣୁ ଚିତ୍ର ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଆଜିର ଶିବିରର ମୁଖ୍ୟ ଉଦ୍ଦେଶ୍ୟ । ଏହାପରେ ପ୍ରେରଣାର ସ୍ୱେଚ୍ଛାସେବୀମାନେ ଚାରିଭାଗରେ ବିଭକ୍ତ ହୋଇ ଭୁବନେଶ୍ୱରର ୪୦ଟି ପୂଜା ମଣ୍ଡପ ବୁଲି ପରିବେଶ ପ୍ରଦୂଷଣ ନକରିବା ପାଇଁ ଯେଉଁ ପନ୍ଥା ଅବଲମ୍ବନ କରିବା ଉଚିତ ସେ ସମ୍ପର୍କରେ ପ୍ରଚାରପତ୍ର ବାଣ୍ଟିବା ସହ ପୂଜାର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ବି.କେ. ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବଳଦେବ ମହାରଥା ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଯୁବ ଶିକ୍ଷାବିତ୍ ସାହେବ ପତି, ପ୍ରେରଣାର ସଂଯୋଜନ ମନୋରଞ୍ଜନ ବାରିକ, ବର୍ଷା ଫାଉଣ୍ଡେସନର ସଭାପତି ବର୍ଷା ପୃଷ୍ଟି, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦାନ କରି ପ୍ରଦୂଷଣ କିପରି ଆମ ସମାଜକୁ ରାକ୍ଷସ ଭଳି କବଳିତ କରିଛି । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭୁବନେଶ୍ୱର ଭେଙ୍କଟେଶ୍ୱର ସ୍କୁଲର ପ୍ରଶାନ୍ତ କୁମାର ଦାସ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।