ପିଡିଏସ ଚାଉଳ ଜବତ୍ କଲେ ଗ୍ରାମବାସୀ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘର ନିକଟରୁ ପିଡିଏସ ଚାଉଳ ବିକ୍ରୀବେଳେ ଆନନ୍ଦପୁର ପୁଲିସ ଦ୍ୱାରା ଜବଦ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ପଞ୍ଚୁଗୋଛିଆ ପଞ୍ଚାୟତ ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଘରୁ ଆଜି ଏକ ଟାଟାଏସି ଗାଡିରେ ଚାଉଳ ଲୋଡିଂ କରାଯାଉଥିବା ବେଳେ କିଛି ଗ୍ରାମବାସୀ ଏହାକୁ ଅଟକାଇ ପୁଲିସକୁ ସୁଚନା ଦେଇଥିଲେ । ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଉଳ ବୋଝେଇ ଟାଟାଏସି ଗାଡିଟିକୁ ଆନନ୍ଦପୁର ଥାନାକୁ ନେଇ ଯାଇଛନ୍ତି । ପଞ୍ଚାୟତ ବଣ୍ଟନ ଦାୟିତ୍ୱରେ ଥିବା ଜଣେ କର୍ମଚାରୀଙ୍କ ଘରୁ ଏହି ଚାଉଳ ବାହାରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପଞ୍ଚାୟତର ଅନେକ ଲୋକ ଠିକ ସମୟରେ ପିଡିଏସ ସାମଗ୍ରୀ ପାଊନଥିବାବେଳେ ଏହି ଚାଉଳ କେଉଁଆଡୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ସେ ଆମ ପଞ୍ଚାୟତର ଚାଉଳ ଠିକ ଅଛି । ହିତାଧିକାରୀମାନେ ପାଉଥିବା ଚାଉଳକୁ ବାହାରେ ବିକ୍ରୀ କରୁଥିବାବେଳେ କେହି ଯଦି କିଣି ରଖନ୍ତି ଆମେ କଣ କରିବୁ ବୋଲି କହିଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରେ ଆମେ ଏ ସମ୍ପର୍କରେ ଖବର ପାଇଛି ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ।