ସୁପ୍ରିମକୋର୍ଟକୁ ଗଲା ଆୟୁଷ୍ମାନ୍ଙ୍କ ଫିଲ୍ମ “ବାଲା’
ମୁମ୍ବାଇ : ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ “ବାଲା’କୁ ନେଇ ଉଠିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । “ଉଜଡା ଚମନ୍’ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ସୁପ୍ରିମକୋର୍ଟରେ “ବାଲା’ ଫିଲ୍ମ ରିଲିଜ୍କୁ ରୋକିବା ପାଇଁ ଏକ ପିଟିସନ୍ ଦାୟର୍ କରିଛନ୍ତି । ଯେଉଁ ପିଟିସନ୍ରେ ସେ ଲେଖିଛନ୍ତି, “ବାଲା’ ଫିଲ୍ମର ନିର୍ଦ୍ଦେଶକ ଦିନେଶ ବିଜାନ୍ କପି ରାଇଟସ୍ର ଉଲ୍ଲଙ୍ଘନ କରିଛନ୍ତି । ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ୪ ନଭେମ୍ବରରେ ଶୁଣାଣି କରିବେ ।
ସୂଚନାଯୋଗ୍ୟ, ଫିଲ୍ମ “ଉଜଡା ଚମନ୍’ର ନିର୍ମାତା “ବାଲା’ ଫିଲ୍ମ ଉପରେ କପି ରାଇଟସ୍ ଉଲ୍ଲଙ୍ଘନର ଅଭିଯୋଗ ଲଗାଇଛନ୍ତି । ନିର୍ମାତାଙ୍କ କହିବା ଅନୁସାରେ କନ୍ନଡ ଫିଲ୍ମ “ଓଣ୍ଡୁ ମୋତ୍ତେୟେ କାଥେ’ର ରିମେକ୍ ହେଉଛି “ଉଜଡା ଚମନ୍’ । ତାଙ୍କ ପାଖରେ ଓରିଜିନାଲ୍ ଫିଲ୍ମର କପି ରାଇଟ୍ ରହିଛି । ଏକ ଖବରକାଗଜକୁ ଇଣ୍ଟରଭ୍ୟୁ ଦେଇ ଏହାର ନିର୍ଦ୍ଦେଶକ କହିଛନ୍ତି, “ମୋତେ ଲାଗୁଛି ଭଲ କାହାଣୀକୁ ଅଧିକରୁ ଅଧିକ ଦର୍ଶକ ଦେଖିବା ଦରକାର । ମୋର କମ୍ପାନୀ ପାନାରୋମା ଷ୍ଟୁଡିଓ ଏହିପରି ରତ୍ନକୁ ସର୍ବଦା ଖୋଜିଥାଏ । ପୂର୍ବରୁ ରିଲିଜ୍ ହୋଇଥିବା ମୋ ଫିଲ୍ମ “ଅଲୋନ୍’ ଓ “ଦୃଶ୍ୟମ୍’ ମଧ୍ୟ ଅଫିସିଆଲ୍ ରିମେକ୍ । ୨୦୧୮ରେ ଆମକୁ “ଓଣ୍ଡୁ ମୋତ୍ତେୟେ କାଥେ’ର କାହାଣୀ ମିଳିଥିଲା । ୨୦୧୯ରେ ଏହାର ହିନ୍ଦୀ ରିମେକ୍ ରିଲିଜ୍ କରିବୁ ବୋଲି ଆମେ ଆଶା ରଖିଥିଲୁ । ଏଥିପାଇଁ ମୋ ଟିମ୍ ଏହି ଫିଲ୍ମକୁ ୮ ନଭେମ୍ବରରେ ରିଲିଜ୍ କରିବା ପାଇଁ ନିଷ୍ପତ୍ତି ନେଇଛି । କିନ୍ତୁ ଫିଲ୍ମ ରିଲିଜ୍ର ଗୋଟିଏ ଦିନ ପୂର୍ବରୁ ୭ ନଭେମ୍ବରରେ “ବାଲା’ ଫିଲ୍ମର ରିଲିଜ୍ ଡେଟ୍ ରଖାଯାଇଛି । ଯାହାର ପ୍ରଭାବ ଆମ ଫିଲ୍ମ ଉପରେ ପଡ଼ିବ ।’


