ପିଣ୍ଡଳ ଠାରେ ଦଶ ଦୋଳ ମେଳଣ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳି ପଞ୍ଚାୟତ ପିଣ୍ଡଳ ଗ୍ରାମର ମା ବାଗେଶ୍ୱରୀ ଙ୍କ ପୀଠ ଠାରେ ରବିବାର ସଂଧ୍ୟା ରେ ଆଖପାଖ ୧୦ ଟି ଗାଁ ର ଦୋଳ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥିଲା। ଏହି ଦୋଳ ମେଳଣ ଭାଇଚାରା ର ନିଦର୍ଶନ ଭାବେ ରହି ଆସିଛି କାହିଁ କେଉଁ କାଳରୁ ବୋଲି କହିଛନ୍ତି ଦେସ୍ଥଳି ପଞ୍ଚାୟତ ର ସରପଞ୍ଚ ମକରଧ୍ଵଜ ସ୍ଵାଇଁ। ନିକଟସ୍ଥ ଓଟର, ସିମିଳି, ବରିମୁଣ୍ଡ,ସୋମଣା ଶାସନ,ବଣହରା, ତିରୁଣା,କଣ୍ଟି,ଦୂର୍ଗେଶ୍ୱର, ବଉଲାଙ୍ଗ ପ୍ରଭୃତି ଗାଁ ର ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ଚତୁର୍ଦ୍ଦଶୀ ତିଥି ସଂଧ୍ୟା ରେ ସ୍ୱ ସ୍ୱ ସୁ ସଜ୍ଜିତ ବିମାନ ରେ ଉପବେଶନ କରି ବିଭିନ୍ନ ସ୍ଥାନରେ ବସା ଓ ଦ୍ଵାରୀ ଭୋଗ ଖାଇ ଖାଇ ପିଣ୍ଡଳ ଗ୍ରାମ ମଧ୍ୟସ୍ଥ ଠାକୁରାଣୀ ପୀଠ ଠାରେ ପହଞ୍ଚିଥିଲେ। ସେଠାରେ ସରପଞ୍ଚ ଶ୍ରୀ ସ୍ଵାଇଁ ଓ ଗ୍ରାମବାସୀ ପବିତ୍ର ମୋହନ ରଥ, ଜୟରାମ ସ୍ଵାଇଁ, ବଂଶୀଧର ନାୟକ, ସଦାଶିବ ନାୟକ ପ୍ରମୁଖ ଠାକୁର ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ପୂର୍ବରୁ ଗ୍ରାମବାସୀ ମାନେ ପ୍ରସ୍ତୁତ କରିଥିବା ବେଦୀ ଉପରକୁ ପାଛୋଟି ନେଇଥିଲେ। ପ୍ରଥମେ ଥାନପତି ସୋମଣା ଶାସନ ଗାଁ ର ଠାକୁର ଙ୍କ ବିମାନ ଦୋଳ ବେଦୀ ରେ ବସିବା ପରେ ଅନ୍ୟ ଠାକୁର ମାନେ ବସିଥିଲେ। ଗ୍ରାମ ବାସୀ ଙ୍କ ପକ୍ଷରୁ ଠାକୁର ମାନଙ୍କ ନିକଟରେ ଉଖୁଡା, କୋରାଖଇ, ଚଣା, ସାକର, ଗଞ୍ଜେଇ ଲଡୁ, ବିଭିନ୍ନ ପ୍ରକାର ଫଳ ମୂଳ ଓ ଭାଙ୍ଗ ପଣା ଭୋଗ ଲାଗି କରିଥିଲେ।ଏହା ପରେ ଦଶ ଦୋଳ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥିଲା। ମେଳଣ ପରେ ଠାକୁର ମାନେ ନିଜ ନିଜ ଗାଁ କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୋଳ ମେଳଣ ପାଇଁ ପୀଠ ଠାରେ ସଂଧ୍ୟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଳା ବସିଥିଲା। ହଜାର ହଜାର ଲୋକ ସମବେତ ହୋଇ ଏହି ମେଳଣ କୁ ଉପଭୋଗ କରିଥିଲେ। ନୟାହାଟ ଫାଣ୍ଡି ଅଧିକାରୀ କୁନାଲ କୁମାର ସଦଳବଳେ ମେଳଣ ସ୍ଥଳୀ ରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।