ପୁଣି ଏହି ନାୟକଙ୍କ ସହ ନଜର ଆସିବେ କ୍ରିତି ସାନନ !
ମୁମ୍ୱାଇ: ଗତ ଦୀପାବଳିରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦ ହାଉସ ଫୁଲ ୪’ରେ ପ୍ରଥମ ଥର ଏକାଠି ଆସିଥିଲେ ଅକ୍ଷୟ କୁମାର ଏବଂ କ୍ରିତି ସାନନ । ଏହି ଯୋଡ଼ିକୁ ଫିଲ୍ମଟିରେ ଖୁବ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । ଏବେ ଏହି ଯୋଡ଼ି ପୁଣି ଥରେ ଏକାଠି ଅଭିନୟ କରିବାକୁ ଯାଉଥିବାର ଖବର ମିଳିଛି । ଅକ୍ଷୟ କୁମାର ଏବଂ କ୍ରିତି ସାନନ ଯେଉଁଥିରେ ଦ୍ୱିତୀୟ ଥର ଲାଗି କାମ କରିବେ ସେହି ଫିଲ୍ମର ନାମ ହେଉଛି “ବଚ୍ଚନ ପାଣ୍ଡେଦ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ‘ହାଉସଫୁଲ ୪’ ଫେମ୍ ଫରହଦ ସାମଜୀ । ସଂପ୍ରତି ଫିଲ୍ମଟିର ସ୍କ୍ରିପ୍ଟ କାମ ଚାଲିଥିବା ଜଣାପଡ଼ିଛି । ତେବେ ଏହି ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟ କ୍ରିତିଙ୍କୁ ସାଇନ କରାଯାଇଥିବା କାରଣରୁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । “ବଚ୍ଚନ ପାଣ୍ଡେ’ର ସୁଟିଂ ଆଗାମୀ ବର୍ଷ ଫେବୃଆରି ମାସରେ ଆରମ୍ଭ ହେବ ବୋଲି ଜଣାଯାଇଛି । ଏହାର ପ୍ରଯୋଜନା ସାଜିଦ ନାଡିଆଡୱାଲା କରୁଥିବା ଜଣାଯାଇଛି ।