ପୁଣି ମାତିଲେ ଲୁଟେରା, ଫୋକସ ରେ ତାଲା ପଡ଼ିଥିବା ବନ୍ଦ ଘର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ମାତିଲେ ଲୁଟେରା । ଲୁଟିନେଲେ ଲକ୍ଷାଧିକ ଟଙ୍କା ର ସୁନା ଗହଣା । ଗୋଟିଏ ରାତିରେ ଚାରି ପରିବାରର ବୁଲେଇଲେ କଳାକନା । ଲୁଟେରା ଙ୍କ ଫୋକସ୍ ରେ ତାଲା ପଡ଼ି ରହିଥିବା ବନ୍ଦ ଘର । ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ଚୋରୀ କରୁଛନ୍ତି ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ତାରାସିଙ୍ଗି ଥାନା ଅଞ୍ଚଳରେ । ଭଞ୍ଜନଗର ବ୍ଲକ ଲେମ୍ଭଇ ଗ୍ରାମ ପଞ୍ଚାୟତ ର ରଘୁନାଥ ସାହିରେ ଗତ ଦୁଇ ଦିନ ତଳେ ବିଳମ୍ବିତ ରାତିରେ ପ୍ରାୟ ଚାରି ପରିବାର ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ସାହିର ବିଶୁ ପ୍ରଧାନଙ୍କ ଘରୁ ନଗଦ ତିରିଶି ହଜାର ଟଙ୍କା ସହ ଚାରୋଟି ସୁନା ମୁଦି, ମଙ୍ଗଳସୂତ୍ର, ବାଙ୍କ ପତିରି, ସୁନା ଚେନ୍ ଏବଂ ଝୁମ୍ପାଫୁଲ ସମେତ ଅନେକ ମୂଲ୍ୟବାନ ସାମଗ୍ରୀ । ଠିକ୍ ସେହିପରି ବିପ୍ର ପ୍ରଧାନଙ୍କ ଘରୁ ମଧ୍ୟ ନଗଦ ଦଶ ହଜାର ଟଙ୍କା ସହ ସୁନା ମୁଦି ଓ ସୁନାଫୁଲ । ଲଡୁ ବେହେରାଙ୍କ ଘରୁ ନଗଦ ଟଙ୍କା ପାଞ୍ଚ ହଜାର ଦୁଇଶହ ଏବଂ ଉଦୟ ବେହେରାଙ୍କ ଘରୁ ନଗଦ ପାଞ୍ଚ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।ଗତ ମାର୍ଚ୍ଚ ମାସ ୦୨ ତାରିଖରେ ଗେରେଡ଼ା ପଞ୍ଚାୟତ ର କେପିଟି ଓ ଭୁସୁଭୂଷା ଗାଁରେ ଘର ତାଲା ଭାଙ୍ଗି ଚୋରି ହୋଇଥିବା ବେଳେ ଏବେ ପୁଣି ସମାନ ଢଙ୍ଗରେ ଚୋରି ଘଟଣା ନଜର କୁ ଆସିଛି । ଲୋକଙ୍କ ନିଦ ହଜେଇ ଦେଲେଣି ଏହି ଲୁଟେରା ଗ୍ୟାଙ୍ଗ । ତେବେ ଏଠାରେ ପୋଲିସ୍ ର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ ? ଆଉ କେତେ ଦିନ ଯାଏଁ ଏମିତି ଲୁଟେରା ର ଶିକାର ହୋଉଥିବେ ସାଧାରଣ ଲୋକେ । ଆଉ କେତେ ସାଇତି ରଖିଥିବା ଧନ ସଂପତ୍ତି ଚୋରି ହେଲାପରେ ଚେତିବ ପ୍ରଶାସନ ।