ପୁଣ୍ୟ କାର୍ତ୍ତିକରେ ପାବନ ଶ୍ରୀକ୍ଷେତ୍ର ସଦା ଚଳଚଞ୍ଚଳ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ପାବନଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପୁଣ୍ୟ କାର୍ତ୍ତିକ ମାସରେ ପ୍ରତ୍ୟହ ଭୋର ୫ଟାରୁ ରାତି ୧୦ଟା ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଭକ୍ତ ମାନଙ୍କ ସମାଗମରେ ସଦା ଚଳଚଞ୍ଚଳ ରହୁଥିବା ଦେଖିବାକୁ ମିଳିଛି । ବିଶେଷତଃ ପ୍ରତ୍ୟୁଷରୁ କାର୍ତ୍ତିକ ବ୍ରତ ଓ ସ୍ନାନ ପାଳନକାରି ଭକ୍ତ ମାନଙ୍କ ଗହଳ ଚହଳ ଲାଗିରହୁଛି । ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁ ମାନଙ୍କ ରାଧାଦାମୋଦର ବେଶ ପ୍ରତ୍ୟହ ମାତ୍ର ୨ ଘଣ୍ଟା ପାଇଁ ହୋଇଥାଏ ଏବଂ ଏହା ଦୁର୍ଲଭ ଓ ଆକର୍ଷଣୀୟ ହୋଇଥିବାରୁ ଦର୍ଶନ ଓ ଭୋଗରାଗ ସକାଶେ ଭକ୍ତମାନେ ମନ୍ଦିରକୁ ଆସିଥାନ୍ତି । ଏହି ଅବଧି ମଧ୍ୟରେ କାର୍ତ୍ତିକ ବ୍ରତଧାରୀ ମାନଙ୍କ ମନ୍ଦିର ପରିସରରେ ରାଧାଦାମୋଦର ପୂଜା, ଭଜନ, କିର୍ତ୍ତନ, ବେଢାଚୁଲା ନୀତି ସଂପନ୍ନ ହୋଇଥାଏ । ସବୁଠାରୁ ଆକର୍ଷଣୀୟ ହେଲା ଭଜନ ଭାରତୀ ପକ୍ଷରୁ ବାଳିକା ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ରାସଲୀଳା ପ୍ରଦର୍ଶନ କରିଥାନ୍ତି । ମହାପ୍ରଭୁ ମାନଙ୍କ ପରବର୍ତ୍ତି ନିତ୍ୟାନି ବେଶ ଓ ବିଶେଷ ଦିବସ ମାନଙ୍କରେ ସ୍ୱତନ୍ତ୍ର ବେଶ ଓ ପୂଜାର୍ଚ୍ଚନା ଚାଲିଥାଏ । ମଧ୍ୟାନ୍ନ ଧୂପ ପରେ ମହାପ୍ରସାଦ ସେବନ ଓ ବଣ୍ଟନ ପ୍ରକିୟା ଯୋଗୁଁ ମନ୍ଦିର ପରିସରରେ ଭକ୍ତ ମାନଙ୍କ ବେଶ ଭିଡ଼ ଜମିଥାଏ । ପ୍ରତ୍ୟହ ସନ୍ଧ୍ୟାରେ ପୁନଃ ଭଜନ କିର୍ତ୍ତନ, କାର୍ତ୍ତିକ ପୁରାଣ ପାଠ, ଆକାଶ ଦୀପ ପ୍ରଜ୍ଜଳନ ସାଙ୍ଗକୁ ଶ୍ରୀ ଜୀଊମାନଙ୍କୁ ୧୦୮ ଆଳତି ସମର୍ପଣ ଦର୍ଶନ ସକାଶେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ମନ୍ଦିର ପ୍ରଶାସନ ସେବା ତତ୍ତ୍ୱାବଧାନରେ ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ସେବାପୂଜା, ନିଖୁଣ ବେଶ ବିନ୍ୟାସ କରଯାଉଛି ବୋଲି ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି