ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଓ ପ୍ରଖ୍ୟାତ ଜଳପ୍ରପାତ ଥିବା ଗଣ୍ଡାହାତୀରେ ହାଇଟେକ ଗ୍ରୁପ ରିସୋର୍ଟସ୍ ନିର୍ମାଣ କରିବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପୁରାଣ ପ୍ରସିଦ୍ଧ ତଥା ଓଡିଶାର ହିମାଳୟ ମହେନ୍ଦ୍ରଗିରି ଶିଖରରେ ସୁବିଧା ଏବଂ ଆନ୍ଧ୍ର-ଓଡିଶାରେ ପ୍ରଖ୍ୟାତ ଲାଭ କରିଥିବା ଗଣ୍ଡାହାତୀ ଜଳପ୍ରପାତ ଠାରେ ପର୍ଯ୍ୟଟକଙ୍କ ପାଇଁ ହାଇଟେକ୍ ଗ୍ରୁପ ପକ୍ଷରୁ ରିସୋର୍ଟସ୍ ନିର୍ମାଣ କରାଯିବା ସୁଚନା ମିଳିଛି । ଏ ନେଇ ହାଇଟେକ୍ର ଅଧ୍ୟକ୍ଷ ଡ.ତିରୁପତି ପାଣୀଗ୍ରାହୀଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ୍ ଗଜପତିର ପ୍ରାଚୀନ ମହେନ୍ଦ୍ରଗିରି ଏବଂ ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳ ଗ୍ରସ୍ତ କରି ସମସ୍ତ ଅନୁଧ୍ୟାନ କରିବା ସହ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଏହି ଦୁଇଟି ସ୍ଥାନରେ ରାତ୍ରୀଯାପନ ଓ ବିଶ୍ରାମ ନେବା ପାଇଁ ବିଶ୍ରାମକେନ୍ଦ୍ର ଆଜି ପର୍ଯନ୍ତ ନିର୍ମାଣ ହୋଇପାରି ନାହିଁ । ଗଜପତି ଜିଲ୍ଲାବାସୀଙ୍କ ସମେତ ବହୁ ପର୍ଯ୍ୟଟକ ଏହି ଦୁଇଟି ସ୍ଥାନରେ ରାତ୍ରୀଯାପନ ଓ ବିଶ୍ରାମ ନେବା ପାଇଁ ବିଶ୍ରାମକେନ୍ଦ୍ର ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା । ହାଇଟେକ୍ର ଅଧ୍ୟକ୍ଷ ଡ.ତିରୁପତି ପାଣୀଗ୍ରାହୀ ମହେନ୍ଦ୍ରଗିରି ଏବଂ ଗଣ୍ଡାହାତୀ ପରିଦର୍ଶନ ପରେ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ । ମହେନ୍ଦ୍ରଗିରି ଶିଖରରେ ବାସ କରୁଥିବା ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷୀ୍ମବାବାଙ୍କୁ ଭେଟିବା ପରେ ସେ ତିରୁପତିଙ୍କୁ ପର୍ଯ୍ୟଟକଙ୍କ ସମସ୍ୟା ଓ ସେମାନଙ୍କ ରାତ୍ରୀ ଯାପନ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନ ଥିବା କହିଥିଲେ । ଆଲୋଚନା ପରେ ବେସରକାରୀ ଜମିରେ ରାତ୍ରୀ ଯାପନ ଗୃହ ନିର୍ମାଣ କରିବା ପାଇଁ ତାଙ୍କ ଅନୁଷ୍ଠାନ ପ୍ରୟାସ କରିବ ବୋଲି ଡ.ତିରୁପତି ପାଣୀଗ୍ରାହୀ କହିଥିଲେ । ସେହିପରି ଲକ୍ଷ୍ମୀବାବାଙ୍କ ଆଶ୍ରମର ଉନ୍ନତି ପାଇଁ ମଧ୍ୟ ସେ ପ୍ରତିଶୃତି ଦେଇଥିଲେ । ମହେନ୍ଦ୍ରଗିରି ଓ ଗଣ୍ଡାହାତୀ ଜଳପ୍ରପାତ ନିକଟରେ ଏକ ରିସୋର୍ଟସ୍ ନିର୍ମାଣ ପାଇଁ ପୂର୍ବରୁ ହାଇଟେକ୍ ଗ୍ରୁପ୍ ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ଏହି ଦୁଇଟି ଅଞ୍ଚଳ ପରିଦର୍ଶନ ପରେ ୨୦୨୨ମଧ୍ୟରେ ଏହା ଲୋକାର୍ପଣ କରି ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆରମ୍ଭ ହେବ ବୋଲି ଡ.ତିରୁପତି ପାଣୀଗ୍ରାହୀ ସୂଚନା ଦେଇଛନ୍ତି । ହାଇଟେକ୍ ଗ୍ରୁପର ଏହି ନିଷ୍ପତ୍ତି ପରେ ମହେନ୍ଦ୍ରାଞ୍ଚଳରେ ରହୁଥିବା ବନବାସୀମାନେ ତାଳ,ମୃଦଙ୍ଗ,ଘଣ୍ଟି ବାଦନ କରି ଡ.ତିରୁପତି ପାଣୀଗ୍ରାହୀଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରିବା ସହ ଭୁୟସୀ ପ୍ରଶଂସା କରିଥିଲେ ।