ପୁରୀରେ ଆର୍ନ୍ତଜାତୀୟ ବିମାନ ବନ୍ଦର ପ୍ରସ୍ତାବ ସରକାରଙ୍କ ନିର୍ବାଚନୀ ଚାଲ
ଭୁବନେଶ୍ୱର, (ୱାଇଏନ୍ଏସ୍): ପ୍ରଥମେ ଗଞ୍ଜାମ ଓ ଏବେ ପୁରୀରେ ବିମାନବନ୍ଦର ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର । କାହିଁକି ଓ କଣ’ ପାଇଁ , ନା ଆଗକୁ ନିର୍ବାଚନ, ତେଣୁକରି ଲୋକଙ୍କୁ ତ ଟିକେ ଭୁଆଁ ବୁଲାଇବାକୁ ପଡିବ ନା ନାହିଁ । ଗଞ୍ଜାମରେ ଇଲେକ୍ସନ ସମୟରେ ରଙ୍ଗେଇଲୁଣ୍ଡାରେ ବିମାନବନ୍ଦର ହେବ ବୋଲି ଗଞ୍ଜାମବାସୀଙ୍କୁ ସ୍ୱପ୍ନ ଦେଖାଇ ଭୋଟ ଅକ୍ତିଆର କରିବା ପରେ ଏବେ ହେବାକୁ ଥିବା ପିପିଲି ଉପନିର୍ବାଚନକ ପାଇଁ ଏହା ଆଉ ଏକ ରାଜ୍ୟ ସରକାରଙ୍କ ଚାଲ । ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଆର୍ନ୍ତଜାତୀୟ ବିମାନ ବନ୍ଦର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ଚିଠି କେବଳ ପିପିଲି ଉପନିର୍ବାଚନକୁ ଆଖି ଆଗରେ ରଖି ସମଗ୍ର ପୁରୀ ଜିଲ୍ଲାବାସୀଙ୍କୁ ବିଜେଡ଼ି ଭୁତେଇବା ପାଇଁ ପ୍ରୟାସ ବୋଲି କଂଗ୍ରେସ ଅଭିଯୋଗ କରିଛି ।
କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ କେନ୍ଦ୍ର ବେସସାମରିକ ବିମାନ ଚଳାଚଳ ବିଭାଗ ଗ୍ରୀନ୍ଫିଲଡ୍ ଏୟାରପୋର୍ଟ ପଲିସ୍କୁ ପାଥେୟ କରି ଭୁବନେଶ୍ୱର ନିକଟରେ ଗ୍ରୀନ୍ଫିଲଡ୍ ଏୟାରପୋର୍ଟ ପାଇଁ ରାଜ୍ୟ ସରାକରଙ୍କ ଠାରୁ ପ୍ରସ୍ତାବ ମାଗିଥିଲେ । ରାଜ୍ୟ ସରକାର ଭୁବନେଶ୍ୱରରେ ଯେଉଁ ତିନୋଟି ସ୍ଥାନ ଆର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ ଦେଇଥିଲେ ତାହା ଫିଜିବିଲିଟ୍ ନହେବାରୁ ଚତୁର୍ଥ ପ୍ରସ୍ତାବ ଦେବାପାଇଁ ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କୁ କହିଥିଲେ । ରାଜ୍ୟ ସରକାର ଭୁବନେଶ୍ୱର ନିକଟରେ ଚତୁର୍ଥ ପ୍ରସ୍ତାବ ନଦେଇ ୧୯.୪.୨୦୨୧ ରେ ପୁରୀରେ ଗ୍ରୀନଫିଲଡ୍ ଏୟାରପୋର୍ଟ ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଗତ ୨୭ ମେ ୨୦୧୪ ତାରିଖରେ ରାଜ୍ୟ ସରକାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ତାର ପାଶ୍ୱବର୍ତି ଅଂଚଳକୁ ନୋଫ୍ଲାଇନିଂ ଜୋନ କରିବାପାଇଁ ଡାଇରେକ୍ଟର ଜେନେରାଲ ଅଫ ସିଭିଲ୍ ଆଭିଏସନକୁ ଚିଠି ଲେଖିଥିଲେ । ଯାହାକୁ ଡିଜିସିଏ ଅଗ୍ରାହ କରିଦେଇଥିଲେ । ଏଠି ପ୍ରଶ୍ନ ଆସୁଛି ଯେଉଁ ରାଜ୍ୟ ସରକାର ଠିକ ୫ବର୍ଷ ତଳେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ତାର ପାଶ୍ୱବର୍ତି ଅଂଚଳକୁ ନୋଫ୍ଲାଇନିଂଜୋନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବେ ସେହି ଅଂଚଳରେ ଏକ ଆର୍ନ୍ତଜାତୀକ ବିମାନ ବନ୍ଦର ପାଇଁ ପ୍ରସ୍ତାବ ଦେବା କେବଳ ମାତ୍ର ପିପିଲି ଉପନିର୍ବାଚନକୁ ଆଖି ଆଗରେ ରଖି ପିପିଲି ତଥା ପୁରୀ ଜିଲ୍ଲାବାସୀଙ୍କୁ ଭ୍ରମିତ କରିବା ଛଡ଼ା ଆଉ କିଛି ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ଠାରୁ ପୁରୀର ଆକାଶ ମାର୍ଗରେ ଦୁରତା ମାତ୍ର ୪୯ କିଲୋମିଟର ଏବଂ ୪୯ କିଲୋମିଟର ମଧ୍ୟରେ ଦୁଇଟି ବିମାନ ବନ୍ଦର ଯାହା ଏୟାରପୋର୍ଟ ଅଥରଟି ଅଫ ଇଣ୍ଡିଆର ଗାଇଡଲାଇନ ବାହାରେ ।ସେହିପରି ପିପିଲିର ପୂର୍ବତନ ବିଧାୟକ ବିପିନ ଦାସ କହିଥିଲେ ପିପିଲିରେ ଯାହା ବିକାଶ ହୋଇଛି କଂଗ୍ରେସ ସରକାର ସମୟରେ ହିଁ ହୋଇଛି ଏବଂ ବ୍ୟକ୍ତିଗତ ଭାବରେ ମୁଁ ଏହାର ମୁକସାଖୀ । ସ୍ୱର୍ଗୀୟ ପୂର୍ବତନ ବିଧାୟକ କେବଳ ପିପିଲିରେ ଅରାଜକତା ହିଁ ସୃଷ୍ଟି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟ ସୁନ୍ଦର ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


