ପୁରୁଷ ବନ୍ଧ୍ୟାକରଣରେ ମୁନିଷିପେଣ୍ଠ ସିଏଚ୍ସି ଜିଲ୍ଲାରେ ପ୍ରଥମ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ପରିବାର ନିୟୋଜନ ଯୋଜନାରେ ମହିଳାଙ୍କ ଭଳି ପୁରୁଷଙ୍କ ମଧ୍ୟ ବନ୍ଧ୍ୟାକରଣ ବ୍ୟବସ୍ଥା ରହିଛି । ଏହି ଯୋଜନାର ପୁରୁଷ ବନ୍ଧ୍ୟାକରଣ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ଆଜି ପୁରସ୍କୃତ ହୋଇଛି । ଏହି ଯୋଜନାରେ ଗତମାସ ୨୧ ତାରିଖ ଠାରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ୯୬ ଜଣ ପୁରୁଷଙ୍କ ବନ୍ଧ୍ୟାକରଣ ହୋଇଥିଲା । ସେଥଇ ମଧ୍ୟରୁ ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍କେନ୍ଦ୍ରରେ ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ଯୋଜନାର ଅଧିକାରୀ ବରୁଣ କୁମାର ପାଣିଗ୍ରାହୀଙ୍କ ଆୟୋଜନରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଏ.ତନୁଜାଙ୍କ ପ୍ରତ୍ୟକ୍ଷତତ୍ତ୍ୱାବଧାନରେ ୨୭ ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରି ସଫଳତା ହାସଲ କରିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରିଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର କାହ୍ନୁଚରଣ ପାତ୍ର ଓ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିପିଏମ୍ ସିମାଞ୍ଚଳ ପ୍ରଧାନ ଏହି ପୁରସ୍କୃତ ଗ୍ରହଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍.ଜଗଦୀଶ ପଟ୍ଟନାୟକ, ଡାକ୍ତର ସରୋଜିନୀ ଦେବୀ, ଡିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀ,ଡିପିୟୁଏଚ୍ ଶକ୍ତି ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ଯୋଜନାରେ ସାନଖେମୁଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨୦ ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରି ଦ୍ୱିତୀୟ ଏବଂ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୨ ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରି ତୃତୀୟ ସ୍ଥାନରେ ରହିଛନ୍ତି ।