ପୁରୁଷ ସାଥୀ କିମ୍ବା ସ୍ୱାମୀଙ୍କ ଶରୀରର ବାସ୍ନା ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ
ପ୍ରତି ମଣିଷ ଶରୀରର ବାସ୍ନା ଭିନ୍ନ । ସେମାନେ ପୁରୁଷ ହୁଅନ୍ତୁ ଅବା ମହିଳା ସେମାନଙ୍କ ଶରୀରର ଏକ ବାସ୍ନା ରହିଛି । ଏହା ମୁଖ୍ୟତଃ ବ୍ୟବହୃତ ପୋଷାକ କିମ୍ବା ବିଛଣାରୁ ବାରି ହୋଇ ପଡ଼ିଥାଏ । ସଂପ୍ରତି କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଶରୀରର ବାସ୍ନା ମାନସିକ ଉତ୍ତେଜନା ଓ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ । ଯଦିଓ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ କଥାଟି ସତ । ଜର୍ଣ୍ଣାଲ ଅଫ୍ ପର୍ସନାଲିଟି ଆଣ୍ଡ୍ ସୋସିଆଲ୍ ସାଇକୋଲୋଜିରେ ପ୍ରକାଶିତ ସନ୍ଦର୍ଭ ଅନୁସାରେ ଅବିବାହିତ ମହିଳାମାନେ ନିଜ ପୁରୁଷ ବନ୍ଧୁ, ବିବାହିତା ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ଶରୀର ବାସ୍ନା ସଂସ୍ପର୍ଶରେ ଆସିଲେ ଚାପମୁକ୍ତ ହୁଅନ୍ତି । ଏହା ସେମାନଙ୍କୁ ମାନସିକ ଉତ୍ତେଜନା ଓ ଚାପରୁ ମୁକୁଳାଇବାରେ ସହାୟକ ହୋଇଥାଏ । ଯେହେତୁ ମହିଳାମାନଙ୍କ ଆଘ୍ରାଣ ଶକ୍ତି ପୁରୁଷଙ୍କଠାରୁ ଶକ୍ତିଶାଳୀ, ତେଣୁ ସ୍ୱାମୀ କିମ୍ବା ପୁରୁଷ ସାଥୀଙ୍କର ଶରୀରର ବାସ୍ନାକୁ ସେମାନେ ସହଜରେ ବାରି ପାରନ୍ତି ଓ ତାହା ସେମାନଙ୍କୁ ଶାନ୍ତ କରିବାରେ ସହାୟକ ହୋଇଥାଏ । ଏହି ଅନୁଧ୍ୟାନ କରିଥିବା ମାର୍ଲସ ହୋର୍ଫଙ୍କ ଅନୁସାରେ ୯୬ ଜଣ ଦମ୍ପତିଙ୍କୁ ନେଇ ଆମେ ଏହି ପରୀକ୍ଷା କରିଥିଲୁ । ମହିଳାମାନଙ୍କୁ ମାନସିକ ଚାପ ମଧ୍ୟରେ ପକାଯାଇ ତା’ପରେ ସେମାନଙ୍କ ସ୍ୱାମୀଙ୍କ ବ୍ୟବହୃତ ପୋଷାକ ଆଘ୍ରାଣ କରିବାକୁ ଦିଆଯାଇଥିଲା । କିଛି ସମୟ ପରେ ସେମାନେ ଶାନ୍ତ ଅନୁଭବ କରିଥିବା ଦେଖାଯାଇଥିଲା ।


