ପୁଲିସ ଗାଡି ଭଙ୍ଗାରୁଜା ଘଟଣାରେ ୫ ଅଟକ
ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍): ଆମ୍ବୋ ବାଲିଘାଟ ବିବାଦରେ ଗତ ୨୮ତାରିଖରେ କରଗୋଳା ଗ୍ରାମବାସୀଙ୍କ ସହ ପୁଲିସର ମୁହାଁ ମୁହିଁ ଓ ଗାଡି ଭଙ୍ଗାରୁଜା ଘଟଣାରେ ନନ୍ଦିପଦା ପୁଲିସ ଗତକାଲି ରାତିରେ କରଗୋଳା ଗ୍ରାମରେ ପସି ୫ଜଣଙ୍କୁ ଉଠାଇ ଆଣିଛି । ଏହି ଗ୍ରାମବାସୀଙ୍କୁ ଆନନ୍ଦପୁର ଥାନାରେ ରଖାଯାଇଥିବାବେଳେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଲିଜ ବାଲିଘାଟରୁ ବାଲି ଉତ୍ତୋଳନ ବନ୍ଦ ଥିବାବେଳେ ଗତ ୨୮ତାରିଖ ଦିନ ଲିଜ ଧାରୀକୁ ସୁରକ୍ଷା ଦେଇ ବାଲି ଉତ୍ତୋଳନ କରିବା ପାଇଁ ଯାଇଥିବାବେଳେ ପୁଲିସ ଓ ପ୍ରଶାସନକୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ । ଆମ୍ବୋ ବାଲିଘାଟକୁ ଲିଜ ଦିଆଯାଇଥିବାରୁ କରଗୋଳା ସୀମାରୁ ବାଲି ଉତ୍ତୋଳନକୁ ସେମାନେ ବାରଣ କରିଥିଲେ । ଫଳରେ ପୁଲିସ ଓ ପ୍ରଶାସନ ସହିତ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ରାତିରେ ପୁଲିସ ଫେରି ଆସୁଥିବାବେଳେ ପୁଲିସ ଗାଡି ଉପରକୁ ଟେକା ପଥର ମାଡ ହେବାରୁ ତିନୋଟି ଗାଡିର କାଚ ଭାଙ୍ଗିରୁଜି ଯାଇଥିଲା । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଗତକାଲି ରାତିରେ ଗାଁରେ ଚଢ଼ାଉ କରି ବାଦଲ ଜେନା, ବନମାଳୀ ଜେନା, ମଥୁରା ଜେନା, କୋଦଣ୍ଡ ଜେନା, ପ୍ରମୋଦ ଜେନା ପ୍ରମୁଖଙ୍କୁ ଗିରଫ କରିଛି ।