ପୁଲିସ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ପୁଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି ଉତ୍ସବକୁ ଉଦଘାଟନ କରିବା ସହ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ସମୟୋପଯୋଗୀ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପ୍ରତି ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥାର ଅନୁପନ୍ଥୀ ହୋଇପାରିଛି ବୋଲି ସେ କହିଥିଲେ । ତେବେ ବିଦ୍ୟାଳୟର ଛାତ୍ରୀମାନଙ୍କ ଶୌଚାଳୟ ନିର୍ମାଣ ନିମନ୍ତେ ସେ ତାଙ୍କ ବିଧାୟକ ହାତପାଣ୍ଠିରୁ ୫ଲକ୍ଷ ଟଙ୍କା ପ୍ରଦାନ ପାଇଁ ଶ୍ରୀ ଦାସ ଘୋଷଣା କରିଥିଲେ । ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଜିଲା ପୁଲିସର ନାମ ବହନ କରୁଥିବା ଏହି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁପ୍ରକାର ସହଯୋଗ କରିବେ ବୋଲି ଏସପି ଶ୍ରୀମତୀ ନାଥ ପ୍ରତିଶ୍ରୁତି ଦେଇଥିଲେ । ସମାଜ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ଶିକ୍ଷକ ସଂଘ ‘ଓଷ୍ଟା’ର ଜିଲା ସଭାପତି ବାଦଲ ଚନ୍ଦ୍ର ପାତ୍ର, ପୁଲିସ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ନିରଂଜନ ସାହୁ, ବିଦ୍ୟାଳୟ ଏସଏମସି ସଭାପତି ଶଙ୍କର୍ଷଣ ମହାନ୍ତି ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜୀବନର ସଫଳତାର ଦିଗ ସମ୍ପର୍କରେ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷକ ପଙ୍କଜ କୁମାର ଦାସ ଏହି ଉତ୍ସବରେ ସଭାପତିତ୍ୱ କରିବା ସହିତ ବିଦ୍ୟାଳୟ ପରିଚାଳନା ଓ ଶିକ୍ଷାଦାନ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ସଂସ୍କୃତ ଶିକ୍ଷକ ନଗେନ କୁମାର ସିଂ ବେଦପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ସୁଷମା ଦେ ଓ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଶିକ୍ଷକ ଗୌରଗୋପାଳ ଦେ ଅତିଥି ପରିଚୟ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । କଲ୍ୟାଣୀ ସାହୁ, ଇନ୍ଦୁମତି ପ୍ରଧାନ, ବର୍ଷା ସେନାପତି, ରୀତା ଦାସଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ