ପୂର୍ତ୍ତବିଭାଗର ଅବସରପ୍ରାପ୍ତ କର୍ମଚାରୀମାନେ ଆମରଣ ଅନଶନ ସ୍ଥଗିତ ରଖିବାକୁ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କର ପୂର୍ତ୍ତବିଭାଗ-୧ ଅଧିନରେ ଦୀର୍ଘବର୍ଷ କାର୍ଯ୍ୟ କରି ଚାକିରିରୁ ଗତ ୪/୫ ବର୍ଷ ତଳେ ଅବସର ନେଇଥିବା କେତେକ କର୍ମଚାରୀଙ୍କୁ ସେମାନଙ୍କର ଆଇନଗତ ପେନସନ୍ ଭବିଷ୍ୟନିଧି ପାଣ୍ଠିରୁମିଳିନାହିଁ । ଡିଭିଜନ୍-୧ର କର୍ତ୍ତୃପକ୍ଷ ଭବିଷ୍ୟନିଧି କମିଶନରଙ୍କୁ ଏହି କର୍ମଚାରୀମାନଙ୍କ ସଠିକ୍ ନିଯୁକ୍ତି ତାରିଖ, ମାସିକ ବେତନ ପ୍ରଭୃତି ଆବଶ୍ୟକୀୟ ତଥ୍ୟ ଦେଉନଥିବାରୁ ଏହି କର୍ମଚାରୀମାନେ ସେମାନଙ୍କର ଆଇନଗତ ପେନସନ୍ ଓ ଭବିଷ୍ୟନିଧି ପାଣ୍ଠିରେ ଥିବା ଟଙ୍କା ଫେରିପାଇ ପାରୁନାହାନ୍ତି । ଏହି କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କ ଗ୍ରାଚ୍ୟୁଇଟି ବାବଦକୁ ଅର୍ଥ ପ୍ରଦାନ କରାଯାଉନାହିଁ । ତେଣୁ ଏହି ବୟସ୍କ କର୍ମଚାରୀ ତଥା ବରିଷ୍ଠ ନାଗରିକମାନେ ମାର୍ଚ୍ଚ ମାସରେ ଓ ୨ୟଥର ପାଇଁ ମଇ ମାସରେ ଦୀର୍ଘଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଡିଭିଜନ୍-୧ ଅଫିସ୍ ପରିସରରେ ପ୍ରାୟ ଦୁଇମାସ ଧରି ଗଣଧାରଣାରେ ବସିଥିଲେ । କିନ୍ତୁ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ଏମାନଙ୍କ ଦାବି କିମ୍ବା ଭବିଷ୍ୟନିଧି କମିଶନରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି । ବାଲେଶ୍ୱରର କେତେକ ବରିଷ୍ଠ ଶ୍ରମିକନେତା ଓ ସାମାଜିକ ସଂଗଠନ କର୍ମକର୍ତ୍ତାଙ୍କ ଅନୁରୋଧ କ୍ରମେ କର୍ମଚାରୀମାନେ ଗଣଧାରଣାରୁ ନିବୃତ୍ତ ହୋଇଥିଲେ । ପୁନଶ୍ଚ ସେମାନଙ୍କର ଦାବିପୂରଣ ପାଇଁ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରୁ ଏହି ବରିଷ୍ଠ ନାଗରିକମାନେ ଆମରଣ ଅନଶନରେ ବସିବା ପାଇଁ ନୋଟିସ୍ ଦେଇଛନ୍ତି ।ଶନିବାର ଦିନ ପୂର୍ବାହ୍ଣରେ ସ୍ଥାନୀୟ ଉଠାଜଳ ସେଚନ କର୍ମଚାରୀ ସଂଘ ଗୃହରେ ଏହି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଆହ୍ୱାନ କରି ଟ୍ରେଡ଼୍ ୟୁନିୟନ୍ ଆସୋସିଏସନ୍ କୋର୍ଡ଼ିନେସନ୍ କମିଟି (ଟିୟୁଏସିସି)ର ଅଧ୍ୟକ୍ଷ ତଥା ବିଧାୟକ ପ୍ରଦୀପ୍ତ ପଣ୍ଡା, ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯାମୀ ପ୍ରଧାନ, ଇପିଏଫ୍ ପେନସନର୍ସ ଆସୋସିଏସନ୍ ଜିଲ୍ଲା ସଂପାଦକ ବିଷ୍ଣୁପ୍ରସାଦ ମହାନ୍ତି ଓ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସୀତାରାମ ପ୍ରଧାନ, ଏଆଇଟିୟୁସିର କାର୍ଯ୍ୟକାରୀ ସଭାପତି ମାୟାଧର ନାୟକ ଓ ଆଇନଜୀବୀ ପଦ୍ମଲୋଚନ ପତି ପ୍ରମୁଖ ପ୍ରସ୍ତାବିତ ଆମରଣ ଅନଶନରୁ ନିବୃତ୍ତ ହୋଇ ଅନ୍ୟାନ୍ୟ ଗଣତାନ୍ତ୍ରିକ ଧାରାରେ ଆନ୍ଦୋଳନ ଓ ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ । ଦୀର୍ଘ ଆଲୋଚନା ପରେ ଅବସରପ୍ରାପ୍ତ କର୍ମଚାରୀଙ୍କ ନେତ୍ରୀ ସୁଧାଂଶୁବାଳା ମହାପାତ୍ର ଓ ରାମଚନ୍ଦ୍ର ଜେନା ପ୍ରମୁଖ ପ୍ରସ୍ତାବିତ ଆମରଣ ଅନଶନକୁ ସାମୟିକଭାବେ ସ୍ଥଗିତ ରଖିବାକୁ ସହମତି ପ୍ରକାଶ କରିଛନ୍ତି । ତୁରନ୍ତ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ଆଇନଗତ ପ୍ରାପ୍ୟ ପାଇବାରେ ସହାୟତା ପ୍ରଦାନ କରିବେ ବୋଲି ଉପସ୍ଥିତମାନେ ଆଶା କରିଛନ୍ତି । ନଚେତ୍ ବାଲେଶ୍ୱରର ସମସ୍ତ ଶ୍ରମିକ କର୍ମଚାରୀ ଓ ସାମାଜିକ ସଂଗଠନମାନେ ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଦାବି ଏବଂ ଆନ୍ଦୋଳନକୁ ସମର୍ଥନ ଜଣାଇ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।


