ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତିଙ୍କ ମାତୃ ବିୟୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତିଙ୍କ ମାତା ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଶରତ ଚନ୍ଦ୍ର ମହାନ୍ତିଙ୍କ ଧର୍ମପତ୍ନୀ ମମତା ମହାନ୍ତିଙ୍କର ଭୁବନେଶ୍ୱରରେ ବାର୍ଦ୍ଧକ୍ୟ ଜନିତ ରୋଗରେ ୭୮ବର୍ଷ ବୟସରେ ଗତ ବୁଧବାର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବରପାଇ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ରାଧାକାନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତା ମହାନ୍ତିଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସେ ଜଣେ ସମାଜସେବୀ, ଧର୍ମପ୍ରାଣ, ପରୋପକାରୀ ଓ ମିଷ୍ଠଭାଷୀ ମହିୟସୀ ମହିଳା ଥିଲେ। ସ୍ଥାନୀୟ ଅଂଚଳରେ ତାଙ୍କୁ ସମସ୍ତେ ମା’ବୋଲି ଡାକୁଥିଲେ । ତାଙ୍କ ମର ଶରୀରକୁ ଭୂବନେଶ୍ୱରରୁ ଚଉଦକୁଲାଟସ୍ଥିତ ବାସଭବନକୁ ଅଣାଯାଇ ଗ୍ରାମ ପରିକ୍ରମା ପୂର୍ବକ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସାନମାଣିତିଆ ପଂଚାୟତର ପୂର୍ବତନ ସରପଂଚ ଜୟପ୍ରକାଶ ଗିରି, କପାଳେଶ୍ୱର ପଂଚାୟତର ପୂର୍ବତନ ସରପଂଚ ଜ୍ଞାନରଞ୍ଜନ ମହାନ୍ତି, କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ଚନ୍ଦନପୁର ପଂଚାୟତର ପୂର୍ବତନ ସରପଂଚ ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ତାଙ୍କର ଶେଷଦର୍ଶନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।