ପେଟ୍ରୋଲିୟମ ପଦାର୍ଥର ଅତ୍ୟଧିକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇ(ଏମ) ପକ୍ଷରୁ ଗଣ ବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲର ଦର ବୃଦ୍ଧିକୁ ତୁରନ୍ତ ହ୍ରାସ କରିବା ଦାବିରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଗତ ମାର୍ଚ୍ଚମାସ ୨୨ତାରିଖ ଠାରୁ ଲଗାତର ଭାବେ ୧୧ଥର ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଘଟିଛି । ରନ୍ଧନ ଗ୍ୟାସ ଏହି ସମୟ ମଧ୍ୟରେ ୫୦ ଟଙ୍କା ବୃଦ୍ଧି ପାଇଛି । ତୈଳଦର ବୃଦ୍ଧି ଯୋଗୁଁ ସବୁ ଜିନିଷର ମୂଲ୍ୟ ବଢିବା ସହିତ ବସ, ଟ୍ରକ, ଟ୍ୟାକ୍ସି ଓ ଅଟୋର ଭଡା ମଧ୍ୟ ବଢିଛି । ଦୁଇ ଚକିଆ ଓ ଚାରିଚକିଆ ଗାଡି ବ୍ୟବହାର କରୁଥିବା ଲୋକଙ୍କୁ ପ୍ରତି ଲିଟର ପିଛା ୭ଟଙ୍କା ଅଧିକ ଦେବାକୁ ପଡୁଛି । ଅର୍ଥାତ ଜଣେ ଗୋଟିଏ ଲିଟର ତେଲ ବ୍ୟବହାର କଲେ ମାସକୁ ୩ହଜାର ଟଙ୍କା ଅଧିକ ଖର୍ଚ୍ଚ କରୁଛି । ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବ୍ୟାରଲେ ପ୍ରତି ୧୧୦ଡଲାର ହେଲେ ଲିଟର ପ୍ରତି ମୂଲ୍ୟ ୪୫ଟଙ୍କା ହେବାକଥା । ମାତ୍ର ସରକାର ତେଲ ଉପରେ ୫୫ଟଙ୍କାରୁ ଅଧିକ ଅତିରିକ୍ତ ଟିକସ ବସାଇଛନ୍ତି । ଏହା ଦେଶବାସୀଙ୍କୁ ଦିନ ଦିପହରରେ ଲୁଟ । ତୈଳ ଦର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଖାଉଟି ସାମଗ୍ରୀର ଦର ଆକାଶ ଛୁଆଁ ହେଲାଣି । ଅତ୍ୟଧିକ ଟିକସ ଲୋକଙ୍କ ପାଖରୁ ଆଦାୟ କରି ବଛା ବଛା ପୁଞ୍ଜିପତି ଓ କର୍ପୋରେଟରମାନଙ୍କୁ ନାନା ଉପାୟରେ ଟିକସ ରିହାତି ଓ ଛାଡ କରିବା ଯୋଗୁଁ ଦରଦାମ ବୃଦ୍ଧି ଘଟୁଛି । ଦେଶ ତଥା ଆମ ରାଜ୍ୟର ସାଧାରଣ ଜନତା ଏହି ମୂଲ୍ୟ ବୃଦ୍ଧିରେ ସନ୍ତୁଳିତ ହେଉଛନ୍ତି । ତେଲ ଉପରୁ ବିପୁଳ ପରିମାଣର ଟିକସ ପ୍ରତ୍ୟାହାର କରି ଲୋକଙ୍କୁ ଲୁଟ କରିବା ବନ୍ଦ କରାଯିବାକୁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିବା ପାଇଁ ସି.ପି.ଆଇ.(ଏମ) ଜିଲ୍ଲା କମିଟି ପକ୍ଷରୁ ଆଜିର ଗଣ ବିକ୍ଷୋଭ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପିତାମ୍ବର ସାମଲଙ୍କୁ ପ୍ରଦାନ କରାଯାଇଛି । ଆଜିର ବିକ୍ଷୋଭରେ ସଭାପତିତ୍ୱ କରିଥିଲେ ପାର୍ଟିର ବରିଷ୍ଠ ନେତା ଜଗତଜୀବନ ଦାଶ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, ମାଧବ ଦାସ, ଜିଲ୍ଲା କମିଟି ସଭ୍ୟ କାଳି ପ୍ରସାଦ ନାୟକ, ଶ୍ରମିକ ନେତା ଧନେଶ୍ୱର ରାଉତ, ରମେଶ ଚନ୍ଦ୍ର ମଲିକ, କୃଷକ ନେତା ବିଜୟ ଦାସ, ଦାଶରଥି ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସୁଷମା ପଣ୍ଡା, କେଦାର ବେହୁରା, ମଥୁରୀ ମଲିକ, ରମେଶ ପ୍ରଧାନ, ଲକ୍ଷ୍ମୀପ୍ରିୟା ପଣ୍ଡା, ଉମାକାନ୍ତ ତ୍ରିପାଠୀ, ସତ୍ୟନାରାୟଣ ରାଉତ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ