ପେନସନ ଟଙ୍କା ଚୋରି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ଛତ୍ରପୁର, (ଦେବଦତ୍ତ ମହାରଣା):ଘରେ ପଶି ପେନସନ ଟଙ୍କା ଚୋରି କରିବା ତଥା ଅନ୍ୟାନ୍ୟ କାଗଜପତ୍ର ଚୋରି ଅଭିଯୋଗରେ ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମର ଏନ. ନୀଳ ପାତ୍ରଙ୍କୁ ଆଜି ଛତ୍ରପୁର ସବଡିଭିଜନାଲ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ ଦୋଷୀ ସାବ୍ୟସ୍ତ କରିଛନ୍ତି | ପ୍ରକାଶଯୋଗ୍ୟ ଯେ, ତା ୧୫-୧୧-୨୦୧୯ ରିଖ ଦିନ ୩ଟା ୨୦ମିନିଟ ସମୟରେ ଅଭିଯୁକ୍ତ ନିଜ ଗ୍ରାମର ଏତଲାକାରିଣୀ ଏ. ସୁବାମା ସ୍ୱାମୀ (୮୦ବର୍ଷ)ଙ୍କ ଘର ଭିତରକୁ ପଶି ଟେବୁଲ ଉପରେ ରଖାଯାଇଥିବା ୩ମାସର ପେନସନ ବାବଦ ୧୫୦୦ ଟଙ୍କା ତଥା ପେନସନ ବହି, ବ୍ୟାଙ୍କ ଖାତା, ଆଧାର କାର୍ଡ ଓ ଭୋଟର କାର୍ଡ ନେଇ ପଳାଇଯାଇଥିଲା । ଏତଲାକାରିଣୀ ଏହା ଜାଣିପାରି ଅଭିଯୁକ୍ତକୁ ଟଙ୍କା ତଥା କାଗଜପତ୍ର ଫେରାଇ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ଅଭିଯୁକ୍ତ କିଛି ବି ଫେରାଇବାକୁ ରାଜି ହୋଇନଥିଲେ। ବାର୍ଦ୍ଧକ୍ୟ କାରଣରୁ ତଥା ନିଜ ପୁଅ ଝିଅ ପାଖରେ ନଥିବାରୁ ଏତାଲାକାରିଣୀ ତତକ୍ଷଣାତ ଏତଲା ଦେଇପାରିନଥିଲେ। କିନ୍ତୁ ପରେ ଏ ସଂକ୍ରାନ୍ତରେ ଛତ୍ରପୁର ଥାନା ଆସି ୦୨-୧୨-୨୦୧୯ ରିଖ ଦିନ ଅଭିଯୁକ୍ତଙ୍କ ନାମରେ ଏତଲା ଦିଆଯାଇଥିଲା | କେସ୍ ନମ୍ବର୍ ୩୧୪/୨୦୧୯ରେ ମାମଲା ରୁଜୁ କରି ଛତ୍ରପୁର ପୋଲିସ୍, ଅଭିଯୁକ୍ତକୁ ଗିରଫ କରି କୋର୍ଟ୍ ଚାଲାଣ କରିଥିଲେ | ବିଭିନ୍ନ ସାକ୍ଷ୍ୟ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ବିଚାରପତି ଆଜି ତା ୦୬-୧୦-୨୦୨୦ ଦିନ, ଅଭିଯୁକ୍ତ ଏନ. ନୀଳ ପାତ୍ରଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୮୦ (ଘର ଭିତରେ ଚୋରି କରିବା)ରେ ଦୋଷୀ ସାବ୍ୟସ୍ତ କରି ୧୦ମାସର ସଶ୍ରମ କାରାଦଣ୍ଡ ତଥା ୫୦୦ ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି । ଜୋରିମାନା ଅନାଦେୟ ଅନ୍ତେ ଆଉ ୧୫ଦିନର ସଶ୍ରମ କାରାଦଣ୍ଡ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ, ଆଜିର ଏହି ରାୟ ଶୁଣାଇବା ସମୟରେ ମାନ୍ୟବର ବିଚାରପତି ସମାଜରେ ଦିନକୁ ଦିନ ଚୋରି ମାମଲା ବୃଦ୍ଧି ପାଇବାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ ନହେଲେ ସମାଜରେ ସ୍ଥିରତା ତଥା ଶୃଙ୍ଖଳା ଆସିବ ନାହିଁ ବୋଲି ନିଜର ମତବ୍ୟକ୍ତ କରିଥିଲେ । ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ଶ୍ରୀ ରାଜେଶ୍ କୁମାର୍ ମିଶ୍ର ଓ ଏପିପି ଶ୍ରୀ ସୌରି ପ୍ରସାଦ ବେହେରା ଏହି ମାମଲା ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ