ପେରିଟୋନିଆଲ୍ ଡାଏଲିସିସ୍: କିଡ୍ନୀ ରୋଗୀଙ୍କ ପାଇଁ ଏକ ସୁରକ୍ଷିତ ସମାଧାନ
ସମ୍ପ୍ରତି ପୃଥିବୀରେ ନନ୍-କମ୍ୟୁନିକେବୁଲ୍ ରୋଗ ସମସ୍ୟା ବଢ଼ିବାରେ ଲାଗିଛି । ଭାରତରେ ଏଭଳି ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଏଭଳି ଏକ ରୋଗ ମଧ୍ୟରେ କ୍ରୋନିକ୍ କିଡ୍ନୀ ଡିଜିଜ୍(ସିକେଡି) ଏବେ ବହୁ ଲୋକଙ୍କଠାରେ ଦେଖିବାକୁ ମିଳୁଛି । ଏହାକୁ କ୍ରୋନିକ୍ ରେନାଲ ଫେଲ୍ୟୁର, କ୍ରୋନିକ୍ ରେନାଲ୍ ଡିଜିଜ୍ ଅବା କ୍ରୋନିକ୍ କିଡ୍ନୀ ଫେଲ୍ୟୁର ମଧ୍ୟ କୁହାଯାଇଥାଏ । ତେବେ ଏହି ଡିଜିଜ୍ ସମ୍ପୂର୍ଣ୍ଣ ଭାବେ ଶରୀରରେ କାୟା ବିସ୍ତାର କରିବା ପର୍ଯ୍ୟନ୍ତ ଏହାକୁ ଚିହ୍ନଟ ଅବା ଜାଣିହୋଇ ପାରି ନ ଥାଏ । ଫଳରେ ଭାରତରେ ଏଭଳି ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସଂଖ୍ୟା ବଢ଼ିବା ସହିତ ରୋଗୀଙ୍କ ସଂଖ୍ୟା ବି ବଢ଼ି ଚାଲିଛି ।
ଦି ଲାନ୍ସେଟ୍ ଗ୍ଲୋବାଲ ହେଲଥ୍ ରିପୋର୍ଟ ଅନୁସାରେ ଭାରତରେ କିଡ୍ନୀ ଫେଲ୍ୟୁର ସଂଖ୍ୟା ଅନ୍ୟ ବିକଶିତ ରାଷ୍ଟ୍ର ତୁଳନାରେ ବଢ଼ିବାରେ ଲାଗିଛି । ନୂତନ ପିଢ଼ିରଙ୍କଠାରେ କ୍ରୋନିକ୍ କିଡ୍ନୀ ଡିଜିଜ୍ ମୋଟ ଜନସଂଖ୍ୟାର ୮-୧୭ ପ୍ରତିଶତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏଣ୍ଡ୍ ଷ୍ଟେଜ୍ କିଡ୍ନୀ ଫେଲ୍ୟୁର(ଇଏସ୍କେଏଫ୍) ପ୍ରାୟ ୧୦-୨୦ ପ୍ରତିଶତଙ୍କଠାରେ ଦେଖିବାକୁ ମିଳୁଛି । ଭାରତରେ କ୍ରୋନିକ୍ କିଡ୍ନୀ ଡିଜିଜ୍ ସ୍ଥଳ ବିଶେଷରେ ଏଣ୍ଡ୍ ଷ୍ଟେଜ୍ କିଡ୍ନୀ ଫେଲ୍ୟୁରରେ ପରିଣତ ହେଉଥିବା ଦେଖିବାକୁ ମିଳୁଛି । ପ୍ରତିବର୍ଷ ଭାରତରେ ପ୍ରାୟ ୨.୨ ଲକ୍ଷ ନୂଆ ଏଣ୍ଡ ଷ୍ଟେଜ୍ ରେନାଲ ଡିଜିଜ୍(ଇଏସ୍ଆର୍ଡି) ରୋଗୀ ସୃଷ୍ଟି ହେଉଛି । ପ୍ରତିବର୍ଷ ୩.୪ କୋଟି ଡାଏଲିସିସ୍ ମଧ୍ୟ ହେଉଛି ।
ଏସମ୍ପର୍କରେ କଟକ ଏସ୍ସିବି ମେଡ଼ିକାଲ କଲେଜର ମୁଖ୍ୟ ପ୍ରଫେସର ଡ. ଚିତରଞ୍ଜନ କର କୁହନ୍ତି, ଭାରତରେ କ୍ରୋନିକ୍ କିଡ୍ନୀ ଡିଜିଜ୍ ରୋଗୀଙ୍କ ବଢ଼ି ଚାଲିଛି । ତେବେ ଏହି କ୍ଷେତ୍ରରେ ପେରିଟୋନିଆଲ୍ ଡାଏଲିସିସ୍(ପିଡ଼ି) ସଫଳ ସମାଧାନ ଭାବେ ବଶେ୍ ପରିଚିତି ହାସଲ କରିପାରିଛି । ଏଥିରେ କମ୍ ରିସ୍କ୍ ରହିଛି । ଏହା ଭଲ ଉପଚାର ଉପଲବ୍ଧ କରାଇବା ସହିତ ଏଥିରେ କମ୍ ଖର୍ଚ୍ଚ ମଧ୍ୟ ହୋଇଥାଏ । ଏହା ରୋଗୀଙ୍କୁ ନିଜ ଇଛା ଅନୁସାରେ ସ୍ୱାଧୀନ ଭାବେ ଏଭଳି କରିବାକୁ ସହାୟତା କରିଥାଏ ।
ପେରିଟୋନିଆଲ୍ ଡାଏଲିସିସ୍(ପିଡ଼ି) ଏକ ପ୍ରକାର ଷ୍ଟାଣ୍ଡାର୍ଡ ଡାଏଲିସିସ୍ ଥେରାପି । ଏହା ତଳିପେଟରେ ଥିବା ପେରିଟୋନିଅମ୍ ସହାୟତାରେ ରକ୍ତରେ ଥିବା ବିଭିନ୍ନ ଫ୍ଲୁଇଡ୍ ଏକ୍ସଚେଞ୍ଜ୍ କରିଥାଏ । ତଳିପେଟର ଚର୍ମରେ ଏକ କ୍ୟାଥେଟର ଲଗାଯାଇ ଶରୀରରେ ଥିବା ବର୍ଜ୍ୟ ପଦାର୍ଥର ସଫା ଏକ ଡାଏଲାଇସେଟ୍ ଦ୍ୱାରା କରାଯାଇଥାଏ । ଏକ ଟ୍ୟୁବ୍ ଦ୍ୱାରା ଏହା ତଳିପେଟରେ ଥିବା ବର୍ଜ୍ୟ ସଫା କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଏହି ପ୍ରକ୍ରିୟାରେ ଶରୀର ମଧ୍ୟକୁ ରକ୍ତ ପ୍ରବେଶ କରାଯାଇ ନ ଥାଏ ।
ଏ ସମ୍ପର୍କରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ବରିଷ୍ଠ ନେଫ୍ରୋଲୋଜି କନସଲଟାଂଟ୍ ଡ. ବିବେକାନନ୍ଦ ପଣ୍ଡା କୁହନ୍ତି, ପେରିଟୋନିଆଲ୍ ଡାଏଲିସିସ୍ ଭାରତରେ କ୍ରୋନିକ୍ କିଡ୍ନୀ ସମସ୍ୟା ଭୋଗୁଥିବା ବହୁ ରୋଗୀଙ୍କ ଜୀବନଶୈଳୀ ସହିତ ଜଡ଼ିତ ହୋଇଯାଇଛି । ନବଜାତ ଶିଶୁ ଏବଂ ଛୋଟ ପିଲାଙ୍କ ପାଇଁ ଏହା ବେଶ୍ ଉପଯୋଗୀ ହୋଇପାରିଛି । ଅଭିଭାବକ ଅବା କେୟାର ଟେକରଙ୍କ ପେରିଟୋନିଆଲ୍ ଡାଏଲିସିସ୍ ସୁଫଳ ଦେବା ସହିତ ଛୋଟ ପିଲାଙ୍କ ଜୀବନଶୈଳୀକୁ ସ୍ୱାଭାବିକ କରିପାରିଥାଏ । ଏଥିପାଇଁ ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ ।
ପେରିଟୋନିଆଲ୍ ଡାଏଲିସିସ୍ ଘରେ କରି ହୋଇଥାଏ । ଏହା ରୋଗୀ ଅବା ଯେ କୌଣସି ପରିବାର ସଦସ୍ୟ ଉପଯୁକ୍ତ ତାଲିମ ପରେ କରି ପାରିଥାନ୍ତି । ଏହା ଦ୍ୱାରା ହାର୍ଟ ଉପରେ ମଧ୍ୟ ଚାପ ପଡ଼ି ନ ଥାଏ କିମ୍ବା ବିଶେଷ କିଛି ଜଟିଳ ସ୍ଥିତି ଉତ୍ପନ୍ନ ହୁଏ ନାହିଁ । ତେବେ ପରିଷ୍କାର ପରିଚ୍ଛନ୍ନତାର ଏଥିରେ ଆବଶ୍ୟକତା ପଡ଼ିଥାଏ । ଭଲ ଭାବେ ହାତ ଧୋଇ ଏହା କରିବାକୁ ପଡ଼ିଥାଏ । ଯାହାଦ୍ୱାରା ସଂକ୍ରମଣ ଆଶଙ୍କା କମ୍ ହୋଇପାରିଥାଏ ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ୍ କାର୍ଯ୍ୟକ୍ରମ(ପିଏମ୍ଏନ୍ଡିପି)ରେ ପେରିଟୋନିଆଲ୍ ଡାଏଲିସିସ୍ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ ଗରିବ ରେଖା ତଳେ(ବିପିଏଲ୍) ବାସ କରୁଥିବା ରୋଗୀଙ୍କ ପାଇଁ ଏହାର ସେବା ପ୍ରଣାଳୀ ୧୦୦ ପ୍ରତିଶତ ମାଗଣା ରଖାଯାଇଛି । ତେବେ ଅଣ-ବିପିଏଲ୍ ରୋଗୀ ଜିଲ୍ଲା ହସ୍ପିଟାଲରେ ଏହାକୁ ବିପିଏଲ୍ ରୋଗୀ ପୈଠ କରୁଥିବା ମୂଲ୍ୟରେ ହାସଲ କରିପାରିବେ । ୨୦୧୬ରେ ଭାରତ ସରକାର ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ହେମୋଡାଏଲିସିସ୍ ଏବେ ବେଶ୍ ବିକଶିତ ହୋଇପାରିଛି । କ୍ରୋନିକ୍ ରେନାଲ ଫେଲ୍ୟୁର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପେରିଟୋନିଆଲ୍ ଡାଏଲିସିସ୍କୁ ଦେଶର ସମସ୍ତ ରାଜ୍ୟରେ ଉପଲବ୍ଧ କରାଯାଇଛି । ଦେଶରେ କ୍ରୋନିକ୍ କିଡ୍ନୀ ଡିଜିଜ୍ ରୋଗୀଙ୍କକ ସଂଖ୍ୟା ବଢୁଥିବାବେଳେ ପ୍ରତିବର୍ଷ ନୂଆ ରୋଗୀଙ୍କ ସଂଖ୍ୟ ବି ବୃଦ୍ଧି ପାଉଛି । ଆଗାମୀ ଦିନରେ ଏହା ୫ଗୁଣା ବଢ଼ିବାର ଆଶଙ୍କା ରହିଛି । ଏପରିସ୍ଥଳେ ପେରିଟୋନିଆଲ୍ ଡାଏଲିସିସ୍ ଭଳି ପ୍ରଣାଳୀର ଉପଯୋଗ ଦ୍ୱାରା ଛୋଟ ପିଲା, ବୟସ୍କ ଆଦି କିଡ୍ନୀ ରୋଗୀଙ୍କୁ କମ୍ ଖର୍ଚ୍ଚରେ ଉଚ୍ଚ ଗୁଣବର୍ତାଯୁକ୍ତ ସୁରକ୍ଷିତ ଚିକିତ୍ସା ସହଜରେ ଯୋଗାଇ ଦିଆଯାଇ ପାରିବ ।