ପୋଖରୀରୁ ମିଳିଲା ମୃତଦେହ , ହତ୍ୟା ସନ୍ଦେହ
ତିର୍ତ୍ତୋଲ , (ଯୁଗାବ୍ଦ ନ୍ୟୁଜ) : ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଟରା ପଞ୍ଚାୟତର ଜଜାଙ୍ଗ ଗ୍ରାମର ବନମାଳୀ ସ୍ୱାଇଁଙ୍କ ପୁଅ ରଶ୍ମୀ ରଞ୍ଜନ ସ୍ୱାଇଁ ବିଗତ ଦୁଇଦିନ ହେଲା ନିଖୋଜ ଥିଲେ । ତାଙ୍କ ମୃତଦେହ ବୁଧବାର କଟରା ପଞ୍ଚାୟତ ନିକଟବର୍ତ୍ତୀ ଏକ ପୋଖରୀରେ ଭାସୁଥିବା ଦେଖାଯାଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ମୃତକଙ୍କ ଦେହରେ କଟାଦାଗ ଥିବା ଦେଖାଯାଇଥିବାବେଳେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୁଚନାନୁସାରେ, ବିଗତ ଦୁଇ ମାସ ତଳେ ମୃତକ ଯୁବକଙ୍କ ସହ ସ୍ଥାନୀୟ ମଦ ଦୋକାନୀଙ୍କ ଗଣ୍ଡଗୋଳ ହୋଇଥିବାବେଳେ ପୋଲିସ ନିକଟରେ ଅଭିଯୋଗ ହେବାପରେ ଘଟଣାଟିର ସମାଧାନ ହୋଇଥିଲା । ଏଥିସହ କଟରା ମିନିବ୍ୟାଙ୍କ ଅର୍ଥ ଆତ୍ମସାତ ଘଟଣାର ଦୋଷୀଙ୍କୁ ଧରିବାକୁ ରଶ୍ମୀ ରଞ୍ଜନ ନେତୃତ୍ୱ ନେଉଥିଲେ । ତେବେ ଉକ୍ତ ଘଟଣା ସହ ମୃତ୍ୟୁର କାରଣ ଜଡିତ ଥିବା ସନ୍ଦେହ କରାଯାଉଛି ।