ପୋଡାମାରୀ କଲେଜରେ ବନ ମହୋତ୍ସବ ପାଳିତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଏବଂ ବନ ବିଭାଗର ମିଳିତସଂଯୋଜନାରେ ୭୫ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁଡ଼ାମାରୀ ବନବିଭାଗୀୟ ଅଧିକାରୀକର୍ମଚାରୀ,କଲେଜ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀଙ୍କ ମିଳିତ ସମାବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଇ.ପ୍ରଦୀପ କୁମାର ପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିଜୟ କୁମାର ବୁଡ଼ ଏବଂ ମୁଖ୍ୟବକ୍ତା ଭାବେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ବିଶିଷ୍ଟ ବ୍ୟକ୍ତିତ୍ୱ ଡଃ ଅନନ୍ତରାମ କର ଯୋଗଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ସଚେତନତା ସଭାରେ ମଞ୍ଚାଷିନ ଅତିଥି ସମୂହ ପରିବର୍ତ୍ତିତ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣରେ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଶିକ୍ଷାର୍ଥୀଙ୍କୁ ଅବଗତ କରିଥିଲେ । ଏହା ସହିତ ବୃକ୍ଷ ରୋପଣ ଏହା ଏକ ଦାୟିତ୍ୱବୋଧ ରହିବା ସହ ପ୍ରତି ବୃକ୍ଷ ବଞ୍ଚିବା ନେଇ ରକ୍ଷଣାବେକ୍ଷଣର ଗୁରୁତ୍ୱାରୋପ କରିଥିଲେ ।ଉପସ୍ଥିତ ଅତିଥିଙ୍କ ସହ ଛାତ୍ରଛାତ୍ରୀମାନେ ସାମୁହିକ ଭାବେ କଲେଜପରିସରରେ ଶତାଧିକ ବୃକ୍ଷ ଚାରା ରୋପଣ ସହ ରକ୍ଷଣାବେକ୍ଷଣର ଶପଥ ପାଠ କରିଥିଲେ ।ଅଧ୍ୟାପକ ଦୁର୍ଯ୍ୟୋଧନ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟାବଳୀ ନେଇ କଲେଜ କର୍ମଚାରୀ ଶ୍ରୀମତୀ ମଧୁମିତା ପଲେଇ , ରମେଶ ଚନ୍ଦ୍ର ଗୌଡ଼ ଏବଂ ସୁରେନ୍ଦ୍ର ବେହେରାଙ୍କୁ ଉପଢ଼ୌକନ ପ୍ରଦାନ ସହ ସମ୍ମାନିତକରାଯାଇଥିଲା ।ଅଧ୍ୟାପିକା ଅଧ୍ୟାପକ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀ ସମୂହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।