ପୋଲସରା ପଞ୍ଚାୟତ ସମିତିର ସପ୍ତମ ବୈଠକ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ଓ ଏହାର ବିକାଶକୁ ତ୍ବରାନ୍ବିତ କରିବାକୁ ନେଇ ଜୁଲାଇ ୭ ତାରିଖ ଦିନ ପୋଲସରା ପଞ୍ଚାୟତ ସମିତି ସଭା ଗୃହରେ ସପ୍ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମର ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡା ପୂର୍ବ ସଭାର ବିବରଣୀ ପଠନ କରିବା ସହ ଚଳିତ ଅଧିବେଶନ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ପୋଲସରା ବ୍ଲକର ବିକାଶ ଓ ଉନ୍ନତି ପାଇଁ ଆଲୋଚନା ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର ଯୋଜନାରେ ଜନସାଧାରଣ ଯେପରି ଉପକୃତ ହୋଇପାରିବେ ସେଥିପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ବିଧାୟକ ଶ୍ରୀ ସାହୁ ଆହ୍ଵାନ ଦେଇଥିଲେ। ପ୍ରତି ଗ୍ରାମର ଆବଶ୍ୟକତାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ଜନପ୍ରତିନିଧିମାନଙ୍କୁ ବିଧାୟକ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପୋଲସରା ବ୍ଲକର କୃଷି, ଜଳସେଚନ ସୁବିଧା, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ଉଦ୍ୟାନ ସମନ୍ବିତ ଶିଶୁ ବିକାଶ ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୬୨୪ ଗୃହ ଆସିଥିବା ବେଳେ ସେଥିମଧ୍ୟରୁ ୧୪୦୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ସେହିପରି ଫନୀ ବାତ୍ୟାଜନିତ ଗୃହ ପ୍ରଦାନରେ ୩୨୦ ହିତାଧିକାରୀ ମାନଙ୍କ ମଧ୍ୟରୁ ୩୦୫ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି ବଳକା ୧୫ ଜଣ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତା ଜନିତ ତ୍ରୁଟି ଥିବାରୁ ତାହା ବିଳମ୍ବ ହେଉଥିବା ନେଇ ବିଡିଓ ପ୍ରକାଶ କରିଥିଲେ । ବୈଠକରେରେ ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ଝୁନୁ ଦାସ, ବିକ୍ରମ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ସାଂସଦ ପ୍ରତିନିଧି ପ୍ରତାପ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗ, ଉଦ୍ୟାନ ବିଭାଗ, ବନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳ ସେଚନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଅଗ୍ନିଶମ ବିଭାଗ ପ୍ରଭୃତି ବିଭାଗୀୟ ଅଧିକାରୀ, ବ୍ଲକ କର୍ମଚାରୀ ଙ୍କ ସମେତ ନିର୍ବାଚିତ ପ୍ରତିନିଧି ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।


