ପ୍ରତିଶୃତି ପରେ କାର୍ଯ୍ୟବନ୍ଦରୁ ଓହରିଲେ ସୁରକ୍ଷା ଓ ସଫେଇ କର୍ମଚାରୀ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ସୁରକ୍ଷା ଓ ସଫେଇ କର୍ମଚାରୀ ଏବଂ ସହାୟକ ମାନେ ମାସିକ ଦରମା ନ ପାଇବାରୁ ଆଜି ସକାଳେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲର ଡିନ ତଥା ହସପିଟାଲ ଅଧିକ୍ଷକ ଡାକ୍ତର ପ୍ରଫେସର ଡାକ୍ତର ସୁଶାନ୍ତ କୁମାର ସାହୁ ଏବଂ ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା ଘଟଣାସ୍ଥଳକୁ ଆସି ବୁଝାସୁଝା କରିଥିଲେ । ପରେ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯାଇଥିଲା । ପ୍ରତି ମାସର ୫ ତାରିଖ ଦିନ ଦରମା ଯେପରି ସମସ୍ତ କାର୍ଯ୍ୟରତ ସୁରକ୍ଷା ଓ ସଫେଇ କର୍ମଚାରୀ ଏବଂ ସହାୟକ ମାନେ ପାଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରାଯାଇଥିଲା । ଏହି ଦରମା ଉପରେ ପରିବାର ପ୍ରତିପୋଷଣ କରାଯାଉଛି ଏହା ଯଦି ବିଳମ୍ବରେ ମିଳିବ ତେବେ ଆମ୍ଭେମାନେ କିପରି ଚଳିବୁ ବୋଲି ସୁରକ୍ଷା କର୍ମୀମାନେ କହିଛନ୍ତି । ପ୍ରତି ମାସ ୫ ତାରିଖ ଦିନ ଯଦି ଦରମା ମିଳୁ ନାହିଁ ତେବେ ମୋ ନଜରକୁ ତୁରନ୍ତ ଆଣିବାକୁ ଅଧିକ୍ଷକ ଡାକ୍ତର ସାହୁ କହିଥିଲେ । ଆଲୋଚନା ପରେ ପ୍ରତିଶୃତି ମିଳିବାରୁ ସମସ୍ତେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ।