ପ୍ରତିଶ୍ରୁତି ପରେ ଛଟେଇ ଶ୍ରମିକଙ୍କ ଧାରଣା ପ୍ରତ୍ୟାହାର
ଯୋଡା, (ସମୀର କୁମାର ଦାସ):ଯୋଡା ଖଣିମଣ୍ଡଳ ଜୁରୁଡି ସ୍ଥିତ ଓଡିଶା ଖଣି ନିଗମର ଜିଲିଂ-ଲଙ୍ଗାଲଟା ଖଣିରେ କେଉଁଝର ମାଇନିଂ ଫରେଷ୍ଟ ୱାର୍କର୍ସ ୟୁନିୟନ ପକ୍ଷରୁ ଛଟେଇ ଶ୍ରମିକ ମାନଙ୍କୁ ଖଣିରେ ପୁନଃନିଯୁକ୍ତି ଦାବୀରେ ଚାଲିଥିବା ଶ୍ରମିକ ଧାରଣା ମଙ୍ଗଳବାର ପ୍ରତ୍ୟାହୃତ ହୋଇଛି । ବଡବିଲ ଏସ୍ଡିପିଓ ହିମାଂଶୁ ଭୁଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷୀକ ଆଲୋଚନା ହୋଇଥିଲା । ଶ୍ରମିକ ସଂଘର ଦାବୀ ସମ୍ପର୍କରେ ଓଡିଶା ଖଣି ନିଗମର ଠିକାସଂସ୍ଥା, ଶ୍ରମିକ ସଂଘର ପ୍ରତିନିଧି ମାନେ ଉପସ୍ଥିତ ରହି ଦୀର୍ଘ ସମୟ ଆଲୋଚନା ପରେ ଛଟେଇ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବାପାଇଁ ନିଷ୍ପତି ହୋଇଥିଲା । ପ୍ରାଥମିକ ସ୍ତରରେ ଆବଶ୍ୟକ ଡ୍ରାଇଭର, ଅପରେଟର ଓ ହେଲପର ମାନଙ୍କୁ ନିଯୁକ୍ତି ଦେବାସହ ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦିଆଯିବା ସହ ସମସ୍ତ ଛଟେଇ ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ଉଦ୍ଧେଶ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ଏହି ଆଲୋଚନାରେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ମହେଶ୍ୱର ରାଉତ, କାର୍ଯ୍ୟକାରୀ ସଭାପତି ବିଦ୍ୟାଧର ମହାନ୍ତ, ସମ୍ପାଦକ କପିଳ ମହାନ୍ତି, ଓଡିଶା ଖଣି ନିଗମର ରିଜନାଲ ମ୍ୟାନେଜର ପି.କେ ସାହୁ, ଖଣି ପରିଚାଳକ ଚିନ୍ମୟ ପରିଡା, ଖଣି ନିଗମରେ କାର୍ଯ୍ୟ କରୁଥିବା ଠିକାସଂସ୍ଥାର ପ୍ରତିନିଧି ଡାଇରେକ୍ଟର ଜେମ୍ସ ଜସେଫ୍ ଓ ଭକ୍ତପ୍ରସାଦ ସେଠୀ ଉପସ୍ଥିତ ଥିଲେ । ଶ୍ରମିକ ମାନଙ୍କୁ ନିଯୁକ୍ତି ଓ କାର୍ଯ୍ୟ ଦିଆଯିବାର ପ୍ରତିଶ୍ରୁତି ମିଳିବା ପରେ ଶ୍ରମିକ ଧାରଣା ପ୍ରତ୍ୟାହାର ହୋଇଥିଲା ।


