ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ଏତଲା
ଛତ୍ରପୁର,(ଦେବଦତ୍ତ ମହାରଣା): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ରାଜ୍ୟ ସରକାରଙ୍କ ବିରୋଧରେ ଛତ୍ରପୁର ବିଜେପି ପକ୍ଷରୁ ଛତ୍ରପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ୨୦୨୨ ସୁଦ୍ଧା ଦେଶର ସବୁ ପରିବାରଙ୍କ ମୁଣ୍ଡ ଉପରେ ଛାତ ରହିବ । ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀଙ୍କର ଯୋଜନା । କିନ୍ତୁ ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ରୀତିମତ ଯୋଜନା ଚଳାଇଛନ୍ତି । ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ନିଜ ଯୋଜନା ଭାବେ ବ୍ରାଣ୍ଡିଂ କରି ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରିଥିଲେ । କେନ୍ଦ୍ର ସରକାରଙ୍କ କୌଣସି ସ୍ଥାୟୀ ଯୋଜନାର ନାଁ କୁ ରାଜ୍ୟ ସରକାର ପରିବର୍ତ୍ତନ କରି ପାରିବେ ନାହିଁ କିମ୍ବା ସେହି ଯୋଜନାର ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚକରି ପାରିବେ ନାହିଁ ବୋଲି ଆଇନ୍ରେ ସ୍ପଷ୍ଟ ଉଲ୍ଲେଖ ରହିଛି । ତେଣୁ ରାଜ୍ୟ ସରକାର ଏହାକୁ ଉଲ୍ଲଂଘନ କରୁଥିବାରୁ ତାଙ୍କରି ବିରୋଧରେ ମକଦ୍ଦମା ରୁଜୁ କରିବା ନିମନ୍ତେ ଥାନାରେ ଏକ ଏତଲା ଦିଆଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନଣ୍ଡଳୀ ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଚୈତନ୍ୟ ପ୍ରଧାନ, ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ଛତ୍ରପୁର ପ୍ରଭାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ଗଙ୍ଗାଧର ପଣ୍ଡା, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡା, ସମ୍ପଦ ନାହାକ ପ୍ରମୁଖ ଉପସ୍ଥିତ ରହି ଥାନା ସେକେଣ୍ଡ ଅଫିସର ସତ୍ୟଜିତ୍ ବେଣିଆଙ୍କୁ ଉକ୍ତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।