ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ କାର୍ଯ୍ୟରେ ମନ୍ଥରତା : ଅଧପନ୍ତରିଆ ହୋଇ ପଡି ରହିଛି ପୋଲ କାର୍ଯ୍ୟ
ବନ୍ତ, (ଚାନ୍ଦିନୀ ମହାନ୍ତି) :-କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଲୋକମାନଙ୍କ ଗମନାଗମନ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ନିର୍ମାଣ କାର୍ଯ୍ୟ ଦାୟୀତ୍ୱ ନେଉଥିବା ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ସମସ୍ୟା ଦେଖାଯାଇଛି ବନ୍ତ ବ୍ଲକ ସେଣ୍ଡତୀରା ପଞ୍ଚାୟତରେ । ଉକ୍ତ ପଞ୍ଚାୟତ ଅଧିନ କୁମ୍ଭାରିଆ ଠାରୁ ବରପଦା ଭାୟା ଡାଳିମ୍ବଗଢିଆ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୩କିମି ୭ ଶହ ମିଟର ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର ହୋଇଥିଲା । ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ୬ ମାସ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ଆରମ୍ଭରୁ ନିମ୍ନମାନର କାର୍ଯ୍ୟ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି । ଗତ କିଛି ମାସ ତଳେ ମାଟି ରାସ୍ତା ଉପରେ କାମଚଳା ଭାବେ କିଛି ମୋରମ ପକାଯାଇଥିଲା । ତାହା ଏବେ ବର୍ଷାରେ ନଷ୍ଟ ହୋଇଯିବା ସହ ରାସ୍ତା ତମାମ କାଦୁଅ ହୋଇଯାଇଛି । ରାସ୍ତାର ଦୁଇ ପାଶ୍ୱର୍ରେ ମାଟି ପକା ଯାଇଥିବା ବେଳେ ପାଣି ନିଷ୍କାସନ ହୋଇପାରୁନାହିଁ । ଫଳରେ ରାସ୍ତା ଉପରେ ପାଣି ଜମି ରହି କାଦୁଅ ହେଉଥିବା ଦେଖାଯାଇଛି । ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଡଷ୍ଟ ପକାଇବା ପାଇଁ ଠିକାଦାରଙ୍କୁ କହିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କରାଯାଉନାହିଁ । ସେହିପରି ଗୋବିନ୍ଦପୁର ଡିଷ୍ଟ୍ରିବ୍ୟୁଟର କେନାଲ ଉପରେ ତିଆରି କରାଯାଉଥିବା ଏକ ପୋଲ ଦୀର୍ଘ ଦିନ ହେବ ଅଧପନ୍ତରିଆ ହୋଇ ପଡି ରହିଛି । ଆଗକୁ କେନାଲ ପାଣି ଛଡା ଯିବାକୁ ଥିବା ବେଳେ ପୋଲ କାର୍ଯ୍ୟକୁ ଶେଷ କରାଯାଉନଥିବା ଦେଖାଯାଇଛି । ପ୍ରାୟ ଦେଢ ମାସ ହେବ କାର୍ଯ୍ୟରେ ମନ୍ଥରତା ପ୍ରକାଶ ପାଇଛି । ଏବେ ଲଘୁଚାଷ ବର୍ଷା ହେବା ଯୋଗୁ ରତାଗଢିଆ, ଡାଳିମ୍ବଗଢିଆ, ଆଦିବାସୀ ସାହି, କୁମ୍ଭାରିଆ ଆଦି ଗ୍ରାମର ଲୋକ ମାନେ ଘରୁ ବାହାରି ପାରୁନାହାନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।


