ପ୍ରବାସୀ ଶ୍ରମିକ,ମହିଳା ଓ ଶିଶୁଙ୍କ ଉପଯୁକ୍ତ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ପ୍ରବାସୀ ଶ୍ରମିକ,ମହିଳା ଓ ଶିଶୁମାନଙ୍କ ଉପଯୁକ୍ତ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ନରହରି ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମହାମାରୀ କରୋନାର ସଂକ୍ରମଣ ସାରାଦେଶ ତଥା ଆମ ରାଜ୍ୟରେ ବ୍ୟାପକ ଭାବେ ମାଡିଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ମାର୍ଚ୍ଚମାସରୁ ତାଲାବନ୍ଦ ଘୋଷଣା କରିଛନ୍ତି । ଫଳରେ ରାଜ୍ୟ ବାହାରେ ବିଭିନ୍ନ ଶିଳ୍ପ ଓ କାରାଖାନାରେ କାମ କରୁଥିବା ଶ୍ରମିକମାନେ କାମ ହରାଇ ନିଜ ନିଜ ଗାଁକୁ ଫେରିଆସିବାରେ ଲାଗିଛନ୍ତି । ମାତ୍ର ସେମାନଙ୍କ ଫେରିବା ପାଇଁ ସରକାର କୈାଣସି ବନ୍ଦୋବସ୍ତ କରିନାହାନ୍ତି । ତେଣୁ ଶହ ଶହ ଶ୍ରମିକ,ମହିଳା ଓ ଶିଶୁ ଚାଲି ଚାଲି ନିଜ ଗ୍ରାମକୁ ଫେରିବାକୁ ବାଧ୍ୟ ହେଉଛନ୍ତି । କେଉଁଠି ଗର୍ଭବତୀ ମହିଳା ରାସ୍ତାରେ ପିଲା ଜନ୍ମ କରି ଚାଲୁଛି ତ କେଉଁଠି ଖାଦ୍ୟ,ପାନୀୟ ଓ ଚିକିତ୍ସା ଅଭାବରୁ ଅନେକ ରାସ୍ତା କଡରେ ପଡି ମରୁଛନ୍ତି । ଯେଉଁମାନେ ବାହାରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି ସେମାନଙ୍କ ପ୍ରତି ଅମାନବୀୟ ଘଟଣା ଘଟୁଛି । ପୋଲିସ ପ୍ରଶାସନ ମଧ୍ୟ ଅତ୍ୟନ୍ତ ଅମାନବୀୟ ଓ ବର୍ବୋରଚିତ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଅପର ପକ୍ଷରେ ଦୀର୍ଘ ଦିନରୁ ମଦକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ଏବଂ ମହିଳାମାନଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିବା ବେଳେ ମଦକୁ ବନ୍ଦ କରିବା ପରିବର୍ତ୍ତେ ଏବେ ମଦକୁ ଅନଲାଇନରେ ଘରେ ଘରେ ପହଁଚାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ । ଏହି ଅମାନବୀୟ ଓ ଅଗଣତାନ୍ତ୍ରିକ ପଦକ୍ଷେପ ବିରୋଧରେ ‘ସାରା ଭାରତ ପ୍ରବାସୀ ଶ୍ରମିକ,ମହିଳା ଓ ଶିଶୁ ବଂଚାଅ ଦିବସ’ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଜିଲ୍ଲା କମିଟି ପକ୍ଷରୁ ପ୍ରବାସୀ ଶ୍ରମିକ,ମହିଳା,ଶିଶୁମାନଙ୍କ ନିରାପଦ ପତ୍ୟାବର୍ତ୍ତନ ସୁନିଶ୍ଚିତ କରିବା,ସେମାନଙ୍କୁ ଉପଯୁକ୍ତ ଖାଦ୍ୟ,ଚିକିତ୍ସା ଓ ଆଶ୍ରୟସ୍ଥଳ ଯୋଗାଇଦେବା,ସେମାନଙ୍କ ଉପରେ ଅମାନବୀୟ ବ୍ୟବହାର ବନ୍ଦ କରାଯିବା, ଆଶା, ଅଙ୍ଗନୱାଡି, ପାଚିକାଙ୍କ ସମେତ ସମସ୍ତ ମହିଳା ଶ୍ରମିକଙ୍କୁ ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ କରାଯିବା,ଗରୀବ ପ୍ରସୁତି ମହିଳା ଓ ଶିଶୁମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବା,ମଦ ବିକ୍ରୀ ସଂପୂର୍ଣ୍ଣ ନିଷିଦ୍ଧ କରାଯିବା,ଘରୋଇ ହିଂସା ବନ୍ଦ ପାଇଁ ପଦକ୍ଷେପ,ଦୈନିକ ଶ୍ରମ ଦିବସ ୧୨ଘଂଟା ବଦଳରେ ୮ଘଂଟା କରାଯିବା,ଅମ୍ଫାନ ବାତ୍ୟାରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ କରାଯିବା ପ୍ରଭୃତି ଦାବି କରାଯାଇଛି । ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଜିଲ୍ଲା କମିଟି ପକ୍ଷରୁ ହୀରାମଣି ରାଉତ,ଜୟନ୍ତୀ ଜେନା,ଏଲିନା ସାମନ୍ତରାୟ,ବ୍ରଜବାଳା ନାୟକ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।