ପ୍ରମାଣ ଅଭାବରୁ ପତ୍ନୀ ଓ ଝିଅ ଖଲାସ, ସ୍ୱାମୀଙ୍କୁ ଜେଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଏକ ହତ୍ୟା ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ବିଶ୍ୱଜିତ ମହାନ୍ତି ମୁଖ୍ୟ ଅଭିଯୁକ୍ତ ଭାଗିରଥୀ ବାରିକ(୬୭)କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିବା ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ବଡିହ ଗ୍ରାମର ପ୍ରତାପ ରାଉତ ଓ ତାଙ୍କ ପିତା ଅର୍ଜ୍ଜୁନ ରାଉତ(୫୩) ଗତ ୧୮.୦୪.୨୦୧୪ରିଖ ରାତି ୮ଟାବେଳେ ସେହି ଗ୍ରାମର ତରୁଣ କୁମାର ଜେନାଙ୍କୁ ନେଇ ତାଙ୍କ ଘରେ ଛାଡିବାକୁ ଯାଉଥିବା ବେଳେ ସେହି ଗ୍ରାମର ଭାଗିରଥୀ ବାରିକ, ତାଙ୍କ ପତ୍ନୀ ବିଦୁଲତା ବାରିକ, ଝିଅ ଲିଲିରାଣୀ ବାରିକ, ରତିକାନ୍ତ ମହାପାତ୍ରଙ୍କ ସମେତ ୧୨ଜଣ ଖଣ୍ଡା, ଭୂଜାଲୀ, ଲୁହାରଡ୍ , ଇଟା ଓ ପଥର ପ୍ରଭୃତିରେ ଅର୍ଜ୍ଜୁନଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଫଳରେ ଅର୍ଜ୍ଜୁନଙ୍କୁ ଗୁରୁତ୍ତର ଅବସ୍ଥାରେ ପ୍ରଥମେ ଆଳି ଗୋଷ୍ଠିକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ଅର୍ଜ୍ଜୁନଙ୍କୁ ଆଳିରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆଳିରୁ କେନ୍ଦ୍ରାପଡା ଆସୁଥିବା ବେଳେ ବାଟରେ ଅର୍ଜ୍ଜୁନଙ୍କର ମୃତ୍ୟୁ ହୋଇଯାଇଥିଲା । ଏସମ୍ପର୍କରେ ଅର୍ଜ୍ଜୁନଙ୍କ ପୁଅ ପ୍ରତାପ ରାଉତ ଆଳି ଥାନାରେ ଅଭିଯୋଗ କରିବା ପରେ ଥାନା କେଶ ନମ୍ବର – ୧୦୪/୨୦୧୪ରେ ଆଇପିସିର ଦଫା ୧୪୭, ୧୪୮, ୩୦୭, ୩୦୨, ୫୦୬, ୧୪୯ ଓ ୨୭ଆର୍ମସ ଆକ୍ଟରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ପୋଲିସ ଅଦାଲତରେ ଫାଇନାଲ ରିପୋର୍ଟ ଦାଖଲ କରିବା ପରେ କୋର୍ଟରେ ସେହି ମାମଲାର ଶୁଣାଣୀ ଚାଲିଥିଲା । ଜି.ଆର. କେଶ ନମ୍ବର- ୧୬୪/୨୦୧୪ ଓ ଏସଟି କେଶ ନମ୍ବର- ୨୩୭/୨୦୧୪ରେ ସେହି ମାମଲାର ବିଚାର କରି ଜିଲ୍ଲାଦୈାରାଜଜ ବିଶ୍ୱଜିତ ମହାନ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ ଭାଗିରଥୀ ବାରିକ(୬୭)କୁ ୩୦୨ଦଫାରେ ଆଜିବନୀ ସଶ୍ରମ କାରାଦଣ୍ଡାଦେଶ ସହ ୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ୩୦୭ଦଫାରେ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୩ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୪ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ଆଇପିସିର ୫୦୬ ଓ ୧୪୮ ଦଫା ଏବଂ ୨୭ଆର୍ମସ ଆକ୍ଟରେ ୨ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡାଦେଶ ସହ ୫ଶହ ଟଙ୍କା ଲେଖାଁଏ ଜୋରିମାନାରେ ଦଣ୍ଡିତ କରାଯାଇଛି । ଜୋରିମାନା ଅନାଦେୟ ଅଧିକ ଏକମାସ କରି ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ବିଦ୍ୟୁଲତା ବାରିକ, ଲିଲିରାଣୀ ବାରିକ ଓ ରତିକାନ୍ତ ମହାପାତ୍ରଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଦେଇଛନ୍ତି । ଅନ୍ୟ ୮ଜଣ ସହ ଅଭିଯୁକ୍ତ କୋର୍ଟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ଶୁଣାଣୀ ହୋଇପାରିନାହିଁ । ସରକାରଙ୍କ ପକ୍ଷରୁ କ୍ୟାଡର ପିପି ମାନସରଞ୍ଜନ ବେହେରା କୋର୍ଟରେ ମାମଲାର ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ