ପ୍ରଶାସନର ନଜର ପଡିବ କେବେ
ନାଉଗାଁ,ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ରାସ୍ତା ନିର୍ମାଣ କରାଯାଉଛି । ରକ୍ଷାଣବେକ୍ଷଣ ପାଇଁ ମଧ୍ୟ ବର୍ଷକୁ ବର୍ଷ ଲକ୍ଷ ଲକ୍ଷ ଟଙ୍କା ମଂଜୁର ହୋଇ ଖର୍ଚ୍ଚ ହେଉଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋବୃତୀ ଯୋଗୁଁ ରାସ୍ତାର ସଠିକ କାର୍ଯ୍ୟ ହୋଇପାରୁନାହିଁ । ରାସ୍ତା ଅଣଓସାରିଆ ହେଉଥିବା ବେଳେ ଉଭୟ ପାଶ୍ୱର୍ ଅସମତଳ ରହୁଛି । ଏପରିକି ନିୟମ ଅନୁଯାଇ ରାସ୍ତାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରେଡିୟମର ସୂଚନା ଫଳକ ଲଗାଯାଉନାହିଁ । ଯାହାଫଳରେ ଅଜଣା ଗାଡି ଚାଳକମାନେ ରାସ୍ତା ବିଷୟରେ ନ ଜାଣି ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ପୂର୍ତ ବିଭାଗ ଜଗତସିଂହପୁର ବିଭାଜନ ଅଧିନ ନାଉଗାଁ ବ୍ଲକସ୍ଥିତ କୋକିଢିଅ-ତେଲସରା ରାସ୍ତାରେ । ଏହି ରାସ୍ତାରେ ୮ମାସ ମଧ୍ୟରେ ଦୁର୍ଘଟଣାରେ ୫ ନିରୀହ ଜୀବନ ଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ ନାଉଗାଁ ବ୍ଲକର କୋକିଢିଅ ଠାରୁ ତେଲସରା ପର୍ଯ୍ୟନ୍ତ ୧୧ କିମି ରାସ୍ତା ପୂର୍ତ ବିଭାଗ ଅଧିନରେ ରହିଛି । ଏହି ରାସ୍ତାର କିଛି ଅଂଶ ପିଚୁ ରହିଥିବା ବେଳେ କିଛି ଅଂଶ କଂକ୍ରିଟ ରାସ୍ତା ରହିଛି । ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ରାସ୍ତାର ଉଭୟ ପାଶ୍ୱର୍ ଘାସ ସଫେଇ କରାଯାଇ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ ହେଉଛି । ଏହା ସହିତ ପ୍ରତିବର୍ଷ ପିଚୁ ରାସ୍ତାକୁ ମରାମତି ନାଁରେ ନିମ୍ନମାନର କାର୍ଯ୍ୟ କରାଯାଇ ଠିକଦାର ଓ ଯନ୍ତ୍ରୀ ମାଲାମାଲ ହେଉଛନ୍ତି । ସେହିପରି ବିଭାଗ ପକ୍ଷରୁ ନିଜ ଲୋକଙ୍କୁ ଠିକାଦାର ଭାବେ ଚୟନ କରି କଂକ୍ରିଟ ରାସ୍ତାକୁ ମରାମତି ଦାୟିତ୍ୱ ଦେଇଥିଲେ । ଯାହାଫଳରେ ଉକ୍ତ ଠିକଦାରମାନେ ରାସ୍ତା ଉପରେ ୬ ଏମଏମର ଲୁହା ରଡ ବିଛାଇ ୨ଇଂଚର ଢଳେଇ ପକ୍କା ଯାଇଥିଲା । ଯାହାକି ୩ ମାସ ନପୁରୁଣୁ ଉକ୍ତ ଢଳେଇ ଗୁଡିକ ଛାଡି ଯିବାରୁ ଲୁହା ରଡ ସବୁ ଉପରକୁ ବାହାରିଥିବା ଦେଖିବାକୁ ମିଳୁଛି । ଏପରିକି ଗଂଗଦାହାଟ ନିକଟସ୍ଥ ଉକ୍ତ ରାସ୍ତାର କଳର୍ଭଟର ହୋମ ପାଇପି ଫାଟି ଯିବାରୁ ରାସ୍ତାର ମଧ୍ୟ ଭାଗ ଦବି ଖାଲରେ ପରିଣତ ହୋଇଥିଲା । ଯାହାକୁ କି ବିଭାଗ ପକ୍ଷରୁ ୬ମାସ ତଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ପୂର୍ଣ୍ଣବାର ଦବି ଖାଲରେ ପରିଣତ ହୋଇଥିବା ଦେଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ରାସ୍ତାଟି ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ୮ଟି ପଂଚାୟତର ମୁଖ୍ୟ ରାସ୍ତା । ଏହି ରାସ୍ତା ଦେଇ ପ୍ରତି ଦିନ ଶହ ଶହ ଲୋକ ଯାତାୟତ କରୁଛନ୍ତି । କିନ୍ତୁ ଉକ୍ତ ରାସ୍ତାର ବହୁତ ସ୍ଥାନରେ ବାଙ୍କ ଓ ଅଣଓସାରିଆ ରହିଛି । କିନ୍ତୁ ବିଭାଗ ପକ୍ଷରୁ ଉକ୍ତ ସ୍ଥାନକୁ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ରେଡିୟମ ସୂଚନା ଫଳକରେ ସୂଚନା ଦେବା ପାଇଁ ନିୟମ ଥିବା ବେଳେ ତାହା କରାଯାଉନାହିଁ । ଫଳରେ ଅଜଣା ଲୋକମାନେ ରାସ୍ତାକୁ ସଠିକ ନଜାଣି ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଫଳସୂରୁପ ଏହି ରାସ୍ତାରେ ୮ ମାସରେ ତେଂଟୋଇ ଠାରୁ ବଂଧମୁଣ୍ଡା ମଧ୍ୟରେ ଦୁର୍ଘଟଣା ଘଟି ୫ଜଣଙ୍କର ଜୀବନ ହାନି ଘଟିଥିବା ଜଣାଯାଇଛି । ଏହା ସତ୍ୱେ ବିଭାଗର ଚେତା ପଶୁ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଆନ୍ଦୋଳନାତ୍ମକର ଦାନା ବାନ୍ଧୁ ଥିବା ଜଣାଯାଇଛି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବୃଦ୍ଧିଜୀବି ମହଲରେ ଦାବି ହୋଇଛି ।