ପ୍ରାକୃତିକ ବିପର୍ଯ୍ୟୟର କାରଣ ଓ ନିରାକରଣ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ।

ପ୍ରକୃତି ହେଉଛି ଈଶ୍ବରଙ୍କ ଅନନ୍ୟ କୃତି। ଏହା ସମସ୍ତ ପ୍ରାଣୀ ଜଗତ ପାଇଁ ଭଗବାନଙ୍କ ବରଦାନ ସଦୃଶ। ସାଧାରଣ ଭାଷାରେ କହିବାକୁ ଗଲେ ପ୍ରକୃତି ହେଉଛି ସମସ୍ତ ମାନବ ସମାଜର ଏବଂ ଜୀବଜଗତର ଜନ୍ମଦାତ୍ରୀ ଓ ପାଳନକର୍ତ୍ତ୍ରୀ। ଏହାର ପ୍ରାକୃତିକ ସ୍ଵରୂପ ଅତ୍ୟନ୍ତ ଶାନ୍ତ, ସ୍ନିଗ୍ଧ ଏବଂ ମନୋହର। ଯାହା ମାନବ ଜୀବନକୁ ଆନନ୍ଦିତ ଓ ବିକଶିତ କରିଥାଏ। କିନ୍ତୁ କିଛି ଅଜ୍ଞ ଲୋକଙ୍କ ମତରେ ଏ ପ୍ରକୃତି ହେଉଛି ନିର୍ଜୀବ, ଭୌତିକ ନିୟମ ଏବଂ ରାସାୟନିକ ପ୍ରକ୍ରିୟାର ଏକ ଜଟିଳ ସମାହାର। ଏଥିରେ କୌଣସି ପ୍ରକାର ଭାବପ୍ରବଣତା ବା ଚେତନାଶୀଳ ସତ୍ତା ଦେଖିବାକୁ ମିଳେନା। ତେଣୁ ଏହି ପ୍ରକୃତିକୁ ଏକ ବିଜ୍ଞାନର ଯନ୍ତ୍ର କିମ୍ବା ବ୍ୟବସ୍ଥା ଭାବରେ ବିଚାରକୁ ନେଇଛନ୍ତି। ପରନ୍ତୁ ଭାରତୀୟ ସଂସ୍କୃତିର ଶାସ୍ତ୍ରୀୟ ପରମ୍ପରାରେ ପ୍ରକୃତିକୁ ଏକ ଜୀବନ୍ତ ସତ୍ତା, ତ୍ରିଗୁଣାତ୍ମିକା, ନିତ୍ୟା, ଦେବୀ ଓ ମାତୃଶକ୍ତି ଭାବରେ ପରିଗଣିତ କରାଯାଉଛି। ତତ୍ ସହିତ ଆମର ଦର୍ଶନ, ସାହିତ୍ୟ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ପ୍ରକୃତିକୁ ଚେତନ ବୋଲି କୁହାଯାଇଛି। କାରଣ ସେମାନେ ଜାଣିବା ଆବଶ୍ୟକ ଯେ, କେବେବି କୌଣସି ପରିସ୍ଥିତିରେ ଗୋଟିଏ ନିର୍ଜୀବ ପଦାର୍ଥ ସଜୀବ ପଦାର୍ଥକୁ ଉତ୍ପନ୍ନ କରିବା ଅସମ୍ଭବ। ଅତଃ ପ୍ରକୃତି ନିର୍ଜୀବ ନୁହେଁ ସେ ସଜୀବ। ଯେତେବେଳେ ଏହି ପ୍ରକୃତିକୁ କୁଠାର ଘାତ କରାଯାଏ, ସେତେବେଳେ ସେ ନିଜର ସନ୍ତୁଳନ ହରାଇ ବସେ ଏବଂ ତା’ ରୂପ ଅତି ଭୟଙ୍କର ହୋଇଯାଏ। ପରିଣାମ ସ୍ଵରୂପ ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ, ସୁନାମି ଏବଂ ଆଗ୍ନେୟଗିରି ଉଦ୍‌ଗୀରଣ ଆଦି ପ୍ରମୁଖ ସମସ୍ୟା ଦେଖାଦିଏ। ଏହି ବିପର୍ଯ୍ୟୟଗୁଡ଼ିକ ମାନବ ସମାଜ ତଥା ଜୀବ-ଜନ୍ତୁଙ୍କ ଉପରେ ଅତ୍ୟନ୍ତ ଗଭୀର ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ଛାଡିଯାଏ। ଯାହାକୁ ଦାର୍ଶନିକ ଶାସ୍ତ୍ରରେ ଆଧିଦୈବିକ ତାପ କୁହାଯାଇଛି। ଏହି ତାପର ମହତ୍ତ୍ବକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହାଠୁ ମୁକ୍ତି ପାଇବା ହିଁ ଏହାର ନିରାକରଣ ଉପାୟ।

ଭାରତୀୟ ଆଧ୍ୟାତ୍ମିକ ଶାସ୍ତ୍ର ଓ ଆସ୍ତିକ ଦର୍ଶନ ଅନୁଯାୟୀ ତ୍ରିତାପର ଅର୍ଥ ହେଉଛି ତିନୋଟି ଦୁଃଖ, କଷ୍ଟ ବା ବିପତ୍ତି। ଯାହାକୁ ମନୁଷ୍ୟ ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ଭାବରେ ଭୋଗକରେ। ଏଥିମଧ୍ୟରୁ ଆଧିଦୈବିକ’ ଶବ୍ଦଟି ‘ଅଧି’ ଏବଂ ‘ଦୈବ’ର ମିଶ୍ରଣରୁ ସୃଷ୍ଟି ହୋଇଛି, ଯା’ର ଅର୍ଥ ହେଉଛି ଦୈବୀ ବା ପ୍ରାକୃତିକ ଶକ୍ତି ଦ୍ୱାରା ନିୟନ୍ତ୍ରିତ। ଯେଉଁ ଦୁଃଖ ବା କ୍ଳେଶ ମନୁଷ୍ୟର ନିଜସ୍ୱ ଚେଷ୍ଟା ବା ଅନ୍ୟ କୌଣସି ସାଧାରଣ ଜୀବ ଦ୍ୱାରା ସୃଷ୍ଟି ନହୋଇ, ପ୍ରକୃତିର ଅଦୃଶ୍ୟ ଶକ୍ତି ଦ୍ୱାରା ସୃଷ୍ଟି ହୁଏ, ତାହାକୁ ଆଧିଦୈବିକ ତାପ କୁହାଯାଏ। ବୈଦିକ କାଳରୁ କୁହାଯାଇଛି ଯେ, ପ୍ରତ୍ୟେକ ପ୍ରାକୃତିକ ଉପାଦାନ ଯଥା: ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ଏହି ପଞ୍ଚଭୂତ ପଛରେ ଏକ ଏକ ଅଦୃଶ୍ୟ ଶକ୍ତି ବିଦ୍ୟମାନ ରହିଛି। ଯେତେବେଳେ ଏହି ପ୍ରାକୃତିକ ସନ୍ତୁଳନ ବିଗିଡ଼ିଯାଏ, ସେତେବେଳେ ତାହା ମହାମାରୀ, ଭୂମିକମ୍ପ, ବାତ୍ୟା କିମ୍ବା ମରୁଡ଼ି ଆକାରରେ ପ୍ରତିଫଳନ ହୋଇଥାଏ। ବିଜ୍ଞାନ ଭାଷାରେ ଏହାକୁ ଆମେ ‘ପ୍ରାକୃତିକ ବିପର୍ଯ୍ୟୟ’ (Natural Disasters) ବୋଲି କହିଥାଉ।

ଆଧିଦୈବିକ ତାପ ସବୁଠାରୁ ଅନିୟନ୍ତ୍ରିତ ଏବଂ ମାରାତ୍ମକ, କାରଣ ଏହାର ଉପରେ ମନୁଷ୍ୟର କୌଣସି ସହଜ ନିୟନ୍ତ୍ରଣ ରହେନା। ଏହି ତାପ ସାଧାରଣତଃ ଭାବେ ଜନ୍ମ ନେଇଥାଏ ମନୁଷ୍ୟର ସ୍ୱାର୍ଥପରତା ନିମନ୍ତେ। ସ୍ୱାର୍ଥପର ମଣିଷ ସଦା ସର୍ବଦା ପ୍ରକୃତି ପ୍ରଦତ୍ତ ବସ୍ତୁକୁ ଉପଭୋଗ କରିବାରେ ବ୍ୟସ୍ତରହେ। ସେ ଜାଣେନା ପ୍ରକୃତି ଏକ ଉପଭୋଗ୍ୟ ବସ୍ତୁ ନୁହେଁ। ତଥାପି ତାକୁ ହେୟଜ୍ଞାନ କରି ତା’ ସାଙ୍ଗରେ ଖେଳିଥାଏ। ପରିଣାମ ସ୍ଵରୂପ ଅକାରଣରେ ବିପତ୍ତିକୁ ନିମନ୍ତ୍ରଣ କରିବସେ। ପରନ୍ତୁ ଆମର ବୈଦିକ ସୁରୀମାନେ ପ୍ରକୃତିକୁ ଉପଭୋଗ କରିବା ପରିବର୍ତ୍ତେ ତ୍ୟାଗପୂର୍ଣ୍ଣ ଭାବରେ ଉପଯୋଗ କରୁଥିଲେ। ଏହାର ଉଦାହରଣ ଈଶାବାସ୍ୟ ଉପନିଷଦର ପ୍ରଥମ ମନ୍ତ୍ରରେ ଯାହା ଦେଖିବାକୁ ମିଳେ:
ଓଁ ଈଶା ବାସ୍ୟମିଦଂ ସର୍ଵଂ ଯତ୍କିଞ୍ଚ ଜଗତ୍ୟାଂ ଜଗତ୍
ତେନ ତ୍ୟକ୍ତେନ ଭୁଞ୍ଜୀଥା ମା ଗୃଧଃ କଷ୍ୟସ୍ଵିଦ୍ଧନମ୍ ।।
ଅର୍ଥାତ୍: ସମଗ୍ର ସଂସାର ହେଉଛି ଈଶ୍ୱରଙ୍କର । ସଂସାରର ସମସ୍ତ ବସ୍ତୁ ଭୋଗ ନିମିତ୍ତ ନୁହଁ , ଏହା ତ୍ୟାଗ ପୂର୍ବକ ଈଶ୍ୱରଙ୍କ ପ୍ରୀତି ପାଇଁ ବିନିଯୋଗ କରିବା ବିଦେହ । ଏଣୁ ମନିଷୀମାନେ କହି ଯାଇଛନ୍ତି -” ଦେବାରେ ଯେତେ ଆନନ୍ଦ ଥାଏ ତାହା ନେବାରେ ନଥାଏ ” । ତଥାପି ଅଜ୍ଞ ମନୁଷ୍ୟ ନିଜ ସ୍ୱାର୍ଥରେ ଅନ୍ଧହୋଇ ସାଂସାରିକ ଦ୍ରବ୍ୟକୁ ଭୋଗ ନିମିତ୍ତ ପ୍ରବୃତ୍ତ ହୋଇଥାଏ । ଯାହାଫଳରେ ପ୍ରକୃତି ନିଜର ବିକଟାଳରୂପ ଧରି ବହୁ ଧନ-ଜୀବନ କ୍ଷତି କରିନିଏ।

ପ୍ରକୃତିର କୋପ ମନୁଷ୍ୟଙ୍କ ପାଇଁ ଏକ ଚେତାବନୀ। ଏହା ମାନଵ ସମାଜକୁ ସ୍ମରଣ କରାଇଦିଏ ଯେ ବିଜ୍ଞାନ ଯେତେ ପ୍ରଗତି କଲେ ମଧ୍ୟ, ମହାଜାଗତିକ ଓ ପ୍ରାକୃତିକ ଶକ୍ତି ଆଗରେ ଏ ମଣିଷ ସଦାବେଳେ ତୁଚ୍ଛ ଓ ଅସହାୟ। ତେଣୁ ଆମର ସନାତନ ଧର୍ମ ଗ୍ରନ୍ଥ ବେଦ-ବେଦାନ୍ତାଦିରେ ପ୍ରକୃତିକୁ ଶ୍ରେୟମଣି ବିବିଧ ଉପଚାରମାନ ଉଲ୍ଲେଖ କରାଯାଇଅଛି। ସେଥି ମଧ୍ୟରୁ ସର୍ବଶ୍ରେଷ୍ଠ ଅଟେ ଯଜ୍ଞ କର୍ମ। କାରଣ ଏହାର ପଛରେ ରହିଛି ଵୈଜ୍ଞାନିକ ସିଦ୍ଧାନ୍ତ। ଆମେ ପ୍ରକୃତିକୁ ଯାହା ଦେଇଥାଉ, ସେ ଆମକୁ ତାଠାରୁ ସତ ବା ସହସ୍ରାଧିକ ରୂପରେ ପ୍ରଦାନ କରିଥାଏ। ଏହା ହେଉଛି ପ୍ରକୃତିର ସିଦ୍ଧାନ୍ତ। ଯେପରି କ୍ଷେତରେ ଏକ ମୁଠି ଧାନ ବା ବିହନ ବୁଣିଲେ, ସେ ଅନେକ ଗୁଣରେ ଆମକୁ ଦେଇଥାଏ। ସେଭଳି ଅଗ୍ନିରେ ହବନ ସାମଗ୍ରୀ ଓ ଘୃତ ଆହୁତି ଦେବା ଦ୍ୱାରା ପରିବେଶ ବିଶୁଦ୍ଧ ରହିବା ସହ ଦେଵତାମାନେ ପ୍ରସନ୍ନ ହୁଅନ୍ତି। ତେଣୁ ଶ୍ରୀମଦ୍ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟରେ ଶ୍ରୀକୃଷ୍ଣ କହିଛନ୍ତି:
ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା ପୁରୋବାଚ ପ୍ରଜାପତିଃ ।
ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ।।୧୦।।
ବ୍ରହ୍ମା ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସହିତ ସୃଷ୍ଟି କଲେ ଏବଂ କହିଲେ “ଏହି ଯଜ୍ଞ ଗୁଡିକର ଅନୁଷ୍ଠାନ କରି ସମୃଦ୍ଧି ଲାଭ କର । ତୁମେ ଯାହା କିଛି ପାଇବାକୁ ଇଚ୍ଛା କରୁଛ, ସେମାନେ ତୁମକୁ ତାହା ପ୍ରଦାନ କରିବେ ।”
ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ ।
ପରସ୍ୱରଂ ଭାବୟନ୍ତଃ ଶ୍ରେୟଃ ପରମବାପ୍‌ସ୍ୟଥ ।।୧୧।।
ତୁମ୍ଭମାନଙ୍କର ଯଜ୍ଞଦିକ କର୍ମଦ୍ୱାରା ସ୍ୱର୍ଗର ଦେବତା ମାନେ ତୃପ୍ତ ହେବେ, ଏବଂ ଦେବତା ଓ ମନୁଷ୍ୟମାନଙ୍କର ପରସ୍ପର ସହଯୋଗରେ ସର୍ବତ୍ର ସମସ୍ତଙ୍କ ପାଇଁ ସମୃଦ୍ଧି ବିରାଜମାନ କରିବ ।
ଇଷ୍ଟାନ୍ ଭୋଗାନ୍ ହି ବୋ ଦେବା, ଦାସ୍ୟନ୍ତେ ଯଜ୍ଞ ଭାବିତାଃ ।
ତୈର୍ଦତ୍ତାନପ୍ରଦାୟୈଭ୍ୟୋ ଯୋ ଭୁଙ୍‌ତେ ସ୍ତେନ ଏବ ସଃ ।୧୨।।
ଯଜ୍ଞାଦିି କରିବା ଦ୍ୱାରା ଦେବତା ମାନେ ଖୁସି ହୋଇ, ତୁମ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରନ୍ତି କିନ୍ତୁ ଏହି ଅବଦାନକୁ, ଦେବତାମାନଙ୍କୁ ଅର୍ପଣ ନ କରି ଯେଉଁ ମାନେ ନିଜେ ହିଁ ଉପଭୋଗ କରନ୍ତି, ସେମାନେ ଚୋର ଅଟନ୍ତି । ସେଭଳି ଶୁକ୍ଳ ଯଜୁର୍ବେଦରେ ଯଜ୍ଞର ମହତ୍ତ୍ୱକୁ ପ୍ରକାଶ କରିବାକୁ ଯାଇ କୁହାଯାଇଛି: “ଇୟଂ ତେ ଯଜ୍ଞିୟା ତନୂଃ”। ଅର୍ଥାତ୍ ଏହି ସମଗ୍ର ସୃଷ୍ଟି ବା ପ୍ରକୃତି ହେଉଛି ଭଗବାନଙ୍କର ଏକ ଯଜ୍ଞମୟ ସ୍ୱରୂପ। ଉକ୍ତ ସ୍ୱରୂପରେ ଅଗ୍ନିଦେବତାଙ୍କୁ ପ୍ରାର୍ଥନା କରି କୁହାଯାଏ ଯେ, ହେ ଅଗ୍ନିଦେବ! ଏହି ଯେଉଁ ଯଜ୍ଞକୁଣ୍ଡର ଶିଖା ହିଁ ତୁମର ପ୍ରକୃତ ପବିତ୍ର ଶରୀର, ଯେଉଁଥିରେ ଆମେ ଆହୁତି ପ୍ରଦାନ କରୁଛୁ। ସେହି ହବି ହିଁ ଆମକୁ ରକ୍ଷାକରେ।

ପ୍ରକୃତି ହେଉଛି ସର୍ଵ ଶକ୍ତିମାନ, ଅତଃ ତାର ସମ୍ମାନ କରିବାର ଆବଶ୍ୟକ। ଯାହା କି ଆମ ଭାରତୀୟ ସଂସ୍କୃତିର ଏକ ପଵିତ୍ର ପରମ୍ପରା। ଏହାକୁ ପାଥେୟ କରି ଆମ ପୂର୍ବ ପୁରୁଷ ବା ମୁନି-ୠଷିମାନେ ପ୍ରକୃତିକୁ ଦେବତ୍ଵ ସ୍ୱରୂପରେ ପୂଜନ କରିବା ସହିତ ଶାନ୍ତି ମନ୍ତ୍ର ପଠନ କରୁଥିଲେ, ଯଥା:
ଓଁ ଦ୍ୟୌଃ ଶାନ୍ତିରନ୍ତରୀକ୍ଷଂ ଶାନ୍ତିଃ
ପୃଥିବୀ ଶାନ୍ତିରାପଃ ଶାନ୍ତିରୋଷଧୟଃ ଶାନ୍ତିଃ ।
ବନସ୍ପତୟଃ ଶାନ୍ତିର୍ବିଶ୍ୱେଦେବାଃ ଶାନ୍ତିର୍ବ୍ରହ୍ମ ଶାନ୍ତିଃ
ସର୍ବଂ ଶାନ୍ତିଃ ଶାନ୍ତିରେବ ଶାନ୍ତିଃ ସା ମା ଶାନ୍ତିରେଧି ॥
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥
ଏହି ମନ୍ତ୍ର ମାଧ୍ଯମରେ ସ୍ୱର୍ଗଲୋକ (ଦ୍ୟୌଃ) ବା ଆକାଶରେ ଶାନ୍ତି ବିରାଜମାନ କରୁ। ଅନ୍ତରୀକ୍ଷ ଅର୍ଥାତ୍ ଆକାଶ ଓ ପୃଥିବୀର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ ଶାନ୍ତ ରହୁ। ପୃଥିବୀ ମାତା ଶାନ୍ତ ରହନ୍ତୁ। ସମଗ୍ର ଜଳତତ୍ତ୍ୱ ବା ଆପଃ ଶାନ୍ତ ଓ ପ୍ରସନ୍ନ ରହୁ। ସମସ୍ତ ପ୍ରକାରର ଔଷଧୀୟ ବୃକ୍ଷରାଜି ଏବଂ ବନସ୍ପତି ଓ ଜଙ୍ଗଲ ଶାନ୍ତରହି ଶାନ୍ତି ପ୍ରଦାନ କରନ୍ତୁ।ସଂସାରର ସମସ୍ତ ଦେବତା ବା ଦିବ୍ୟ ଶକ୍ତି ପ୍ରସନ୍ନ ରୁହନ୍ତୁ। ପରମବ୍ରହ୍ମ- ପରମାତ୍ମାଙ୍କ ସୃଷ୍ଟିରେ ଶାନ୍ତି ବିରାଜମାନ ହେଉ। ସବୁ ଜୀବଙ୍କ ମଧ୍ୟରେ କେବଳ ଶାନ୍ତି ହିଁ ଶାନ୍ତି ବିରାଜମାନ କରୁ। ପ୍ରତିସ୍ଥାନରେ କେବଳ ପ୍ରକୃତ ଶାନ୍ତିର ପ୍ରବାହ ହେଉ। ତତ୍ ସହିତ ସେହି ପରମ ଶାନ୍ତି ମୋତେ ମଧ୍ୟ ପ୍ରାପ୍ତ ହୋଇ ମୋ ଅନ୍ତରରେ ଶାନ୍ତି ପ୍ରତିଷ୍ଠା କରୁ ଏବଂ ଆମର ତ୍ରିବିଧ ତାପ (ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ କଷ୍ଟ) ଶାନ୍ତ ହେଉ।

ଆମର ଜୀବନ ଶୈଳୀରେ ସଂଯମ ଏବଂ “ସର୍ବେ ଭବନ୍ତୁ ସୁଖିନଃ” ଭାବନା ମନରେ ରଖି ବ୍ୟାପକ ବୃକ୍ଷରୋପଣ ଏବଂ ତାର ସଂରକ୍ଷଣ, ନଦୀ-ନାଳ ଓ ଜଳାଶୟ ଗୁଡ଼ିକର ରକ୍ଷଣା ବେକ୍ଷଣ ସହିତ ବାୟମଣ୍ଡଳର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ନିତାନ୍ତ ଜରୁରୀ। ଆମେ ଜାଣିଛେ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ଶକ୍ତିକୁ ରୋକିବା ମନୁଷ୍ୟ ପକ୍ଷେ ଅସମ୍ଭବ, ମାତ୍ର ସତର୍କତା ଓ ସନ୍ତୁଳନ ଦ୍ୱାରା ଏହାର ପ୍ରଭାବକୁ ବହୁ ମାତ୍ରାରେ କମାଇ ପାରିବା। ଏହା ସହ ଆଧୁନିକ ପ୍ରଦ୍ୟୋଗିକୀ ବ୍ୟବହାର କରି ବାତ୍ୟା, ସୁନାମି ବା ବନ୍ୟାର ଆଗୁଆ ସୂଚନା ପାଇ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ, ଯାହାଦ୍ୱାରା ଧନଜୀବନ ରକ୍ଷା ହୋଇଯିବ। ଭୟଭୀତ ନହୋଇ, ବିଜ୍ଞାନର ସତର୍କତା ଏବଂ ଆଧ୍ୟାତ୍ମିକତାର ସଂଯମକୁ ପାଥେୟ କରି ପ୍ରକୃତିସହ ଭଦ୍ର ଆଚରଣ ଦ୍ୱାରା ଜୀବନ ନିର୍ବାହ ହିଁ ଏହି ପ୍ରଳୟଙ୍କରୀ ଆଧିଦୈବିକ ତାପରୁ ବଞ୍ଚିବାର ଏକମାତ୍ର ଶ୍ରେଷ୍ଠ ମାର୍ଗ ଅଟେ। ଯଦି ଆମେ ପ୍ରକୃତିର ସମ୍ପଦକୁ ଅମାନୁଷିକ ଭାବେ ଲୁତିବା, ତେବେ ଆମକୁ ଏହିଭଳି ଖଣ୍ଡପ୍ରଳୟର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ପରିବେଶ ସୁରକ୍ଷା ପ୍ରତି ସଜାଗ ହେବା, ସବୁଜିମା ବୃଦ୍ଧି କରିବା ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଆଜିର ସମୟରେ ସବୁଠାରୁ ବଡ଼ ଆବଶ୍ୟକତା। ସଂକ୍ଷିପ୍ତରେ କହିବାକୁ ଗଲେ ଯଦି ଆମେ ପ୍ରକୃତିକୁ ଉଚିତ ସମ୍ମାନ ଦେବା, ତେବେ ପ୍ରକୃତି ଆମକୁ ନିଶ୍ଚିତ ଭାବେ ସୁରକ୍ଷା ପ୍ରଦାନ କରିବ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ