ପ୍ରାଣନାଥ କଲେଜ ରସାୟନ ବିଜ୍ଞାନ ବିଭାଗର ସେମିନାର ସହ ଆଲୁମିନି ସମାବେଶ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ମୈତ୍ରୀ ଭବନରେ ରସାୟନ ବିଜ୍ଞାନ ବିଭାଗ ତରଫରୁ ଏକ ଆଲୁମିନି ସମାବେଶ ମହାସମାରୋହରେ ଆଲୁମିନି ଆସୋସିଏସନର ସାଧାରଣ ସଂପାଦକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ସ୍ନାତକ ବିଭାଗ ଖୋଲିବା ଦିନଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ମହାମିଳନ ହୋଇଥିବା ଏହି ସ୍ୱତନ୍ତ୍ର ଆଲୁମିନି ଉତ୍ସବରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରି କହିଲେ ଏହା ହେଉଛି ଏକ ମହାମିଳନର ମହୋତ୍ସବ । ଏହା ଶିକ୍ଷକ ଏବଂ ପିଲା ମାନଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଆତ୍ମୀୟତା ଭଳି ଦିବ୍ୟ ଗୁଣ ଗୁଡିକୁ ଦୃଢ଼ କରିବା ସହିତ ପରପିଢ଼ିଙ୍କୁ ଉନ୍ନତିର ଶୀର୍ଷରେ ପହଂଚାଇବା ପାଇଁ ପ୍ରେରଣା ଯୋଗାଇଥାଏ । ଅନୁଷ୍ଠିତ ସେମିନାରରେ ମୁଖ୍ୟ ବକ୍ତା ଭାବରେ ଉତ୍କଳ ୟୁନିଭରସିଟି ରସାୟନ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡ. ଅଜୟ କୁମାର ବେହେରା ଯୋଗଦେଇ କହିଲେ ଏହି ମହାବିଦ୍ୟାଳୟର ରସାୟନ ବିଭାଗର ପୂର୍ବତନ ଛାତ୍ର ଭାବରେ ମୁଁ ଗର୍ବିତ । ଏହି ମହାବିଦ୍ୟାଳୟର ମହାନତା ଯୋଗୁଁ ଆଜି ସାରା ଦେଶରେ ଏହାର ଛାତ୍ରଛାତ୍ରୀମାନେ ଅନେକ ଉଚ୍ଚ ପଦପଦବୀର ଅଧିକାରୀ ହୋଇପାରିଛନ୍ତି । ଆମେ ଯଦି ଏହି ଆଲୁମିନି ସଂଗଠନ ମାଧ୍ୟମରେ ମହାବିଦ୍ୟାଳୟର ସମସ୍ତ ବିଭାଗର ପୂର୍ବତନ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ଏକାଠି କରିପାରିବା ତେବେ ଏହି ମହାବିଦ୍ୟାଳୟ ସାରା ଭାରତ ବର୍ଷରେ ଏକ ଶୀର୍ଷ ସ୍ଥାନରେ ପହଂଚିପାରିବ । ସମ୍ମାନୀତ ବକ୍ତା ଭାବରେ ଫରେଷ୍ଟର ନିରଂଜନ ମହାପାତ୍ର ଯୋଗଦେଇ ରସାୟନ ବିଜ୍ଞାନର ବିଶେଷତା ଏବଂ ତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ରସାୟନ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ରାଧା ବିନୋଦ ଦାସ କାନୁନ୍‌ଗୋ ଯୋଗଦେଇ ନିଜର ଦୀର୍ଘ ୫୦ ବର୍ଷର ରସାୟନ ବିଜ୍ଞାନ ପଢାଇବାର ଅନୁଭୂତିକୁ ଅତ୍ୟନ୍ତ ସୁନ୍ଦର ଭାବରେ ବଖାଣିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଅଜନ୍ତା ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବର ପ୍ରାରମ୍ଭରେ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମ ପ୍ରମୁଖ ଡକ୍ଟର ପ୍ରଣବ କିଶୋର ମହାନ୍ତି ଏହି ଉତ୍ସବରେ ସଭାପତିତ୍ୱ କରି ତାଙ୍କ ସ୍ୱାଗତ ଭାଷଣରେ କହିଲେ ରସାୟନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଲୁମିନି ଉତ୍ସବ ପାଇଁ ଯେଉଁ ଉଦ୍ଦିପନା ରହିଛି ତାହାକୁ ଅହୁରି ଉତ୍ସାହ ପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ । ଶେଷରେ ମୁଖ୍ୟ ଅତିଥି ରସାୟନ ବିଭାଗରେ ୨୦୨୨ ଷଷ୍ଠ ସେମିଷ୍ଟାର ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଦୀନେଶ କୁମାର ପାଲ, ତୃତୀୟ ସେମିଷ୍ଟାରରେ ସର୍ବୋଚ୍ଚ ନମ୍ବର ରଖିଥିବା ତୃତୀୟ ବର୍ଷ ଛାତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ, ପ୍ରଥମ ସେମିଷ୍ଟାରରେ ସର୍ବୋଚ୍ଚ ନମ୍ବର ରଖିଥିବା ଦ୍ୱିତୀୟ ବର୍ଷ ଛାତ୍ରୀ ଅଂଜଳି ଖୁସ୍‌ୱା ଏବଂ ସାଧାରନ ଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଥମ ବର୍ଷ ଛାତ୍ରୀ ବିଷ୍ଣୁପ୍ରିୟା ସାହୁଙ୍କୁ ସ୍ମୃତିଫଳକ, ଶ୍ରୀଫଳ ଏବଂ ଉତରୀ ଦେଇ ପୁରସ୍କୃତ କରିବା ସହ ସଦ୍ୟ ପିଏଚ୍‌ଡି ପ୍ରାପ୍ତ ଆଲୁମିନି ସଦସ୍ୟ ଅଧ୍ୟାପକ ଡକ୍ଟର ଶୈଳେନ୍ଦ୍ର ମିଶ୍ର, ଦୀର୍ଘ ବର୍ଷ ଧରି ଅଧ୍ୟାପନା କରୁଥିବା ଆଲୁମିନି ସଦସ୍ୟ ଅଧ୍ୟାପକ ଶୁଶାନ୍ତ କୁମାର ମିଶ୍ର, ସଦ୍ୟ ଓଡିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଥିବା ଆଲୁମିନି ସଦସ୍ୟ ବିଶ୍ୱଜିତ ଦାଶ, ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫେସନ୍ ଟେକ୍ନୋଲୋଜୀର ସହନିର୍ଦ୍ଦେଶକ ଆଲୁମିନି ସଦସ୍ୟ ଅଜିତ୍ କୁମାର ସାହୁଙ୍କୁ ଶ୍ରୀଫଳ ଏବଂ ଉତରୀ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଲୁମିନି ଆସୋସିଏସନର ନୂତନ ସଭାପତି ଭାବରେ ବଡ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଶେଖର ଦାସ, ନୂତନ ଉପସଭାପତି ଭାବରେ ଅଧ୍ୟାପକ ଶୁସାନ୍ତ କୁମାର ମିଶ୍ର ଏବଂ ନୂତନ କୋଷାଧ୍ୟକ୍ଷ ଭାବରେ ଅଧ୍ୟାପକ ସମରେସ ମହାରଣାଙ୍କୁ ମନୋନୀତ କରାଯାଇଥିଲା । ପ୍ରାରମ୍ଭରେ ସ୍ୱର୍ଗତ ଡକ୍ଟର ପଠାଣି ସୁନ୍ଦର ମାନସିଂହଙ୍କ ଉଦ୍ଦେଶ୍ୟରେ ନିରବ ପ୍ରର୍ଥନା ହୋଇଥିବାବେଳେ ଶେଷରେ ସହସଂପାଦକ ଡକ୍ଟର ଶୈଳେନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ସଂଯୋଜକ ସରୋଜ ପାଲଟାସିଂହ, ସହବ୍ୟବସ୍ଥା ସଂଯୋଜକ ଗଦାଧର ରଥ, ମୁଖ୍ୟ ସଂଯୋଜିକା ସିପ୍ରା ମହାନ୍ତି, ସଂଯୋଜିକା ଡଲି ମିଶ୍ର, ସହ ସଂଯୋଜିକା ଅନୁରାଧା ବିଧାର, ସହ ସଂପାଦକ ଶାରଳା ପଟ୍ଟନାୟକ ଏବଂ ବିଶ୍ୱ ଭୂଷଣ ସାହୁ, ଛାତ୍ର ନେତା ବିଷ୍ଣୁ ପ୍ରସାଦ ଡେଙ୍ଗ, ସସ୍ମିତା ପ୍ରିୟଦର୍ଶିନୀ, କେଦାର ମହାପାତ୍ର ପ୍ରମୁଖଙ୍କ ସମେତ ଅନୁଷ୍ଠାନର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀ ତଥା ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ