ପ୍ରାଣୀଙ୍କ ସେବା କରି ଆତ୍ମସନ୍ତୋଷ ପାଉଛନ୍ତି କୃଷ୍ଣଚନ୍ଦ୍ର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପ୍ରାଣୀଧନ ସହାୟକ କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ କୃଷ୍ଣଚନ୍ଦ୍ର ଲେଙ୍କା ସଦାସର୍ବଦା ପ୍ରାଣୀଙ୍କ ସେବାରେ ନିଜକୁ ନିୟାଜିତ କରିଛନ୍ତି । ଖବର ପାଇଲେ ଯେଉଁଠି ଯେତେ କାମରେ ଥାଆନ୍ତୁ ନା କାହିଁକି ପ୍ରାଣୀ ଚିକିତ୍ସା ପାଇଁ ସେ ଦୌଡି ଯାଇଥାନ୍ତି । ଦିନରାତି ଏକ କରି ୫ରୁ ୬ ଦୁର୍ଘଟଣା କିମ୍ବା ମାରଣାସ୍ତ୍ରରେ ଆହତ ବୁଲା ଷଣ୍ଢଙ୍କର ଚିକିତ୍ସା କରିଥାନ୍ତି । ସେବା ମନୋଭାବ ପାଇଁ ସେ ବସନ୍ତିଆ, ବନ୍ତ, ଟିଲୋ, ରାମଚନ୍ଦ୍ରପୁର ପଞ୍ଚାୟତବାସୀଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ସେ ଗର୍ଭବତୀ ଗାଈ, ଆହତ ଷଣ୍ଢ, କୁକୁର, ବ୍ରତ ହେବାକୁ ଥିବା ବୋଦା ଓ ଅଣ୍ଡିରା ବାଛୁରୀ, କ୍ୟାନସର ତଥା ମସ୍ତିଷ୍କ ରୋଗରେ ପୀଡ଼ିତ ପ୍ରାଣୀଙ୍କ ଚିକିତ୍ସା କରିଥାନ୍ତି । ନିଜସ୍ୱ ଅର୍ଥରେ ସେ ଔଷଧପତ୍ର କିଣି ପ୍ରାଣୀଙ୍କ ଚିକିତ୍ସା କରିଥାନ୍ତି । ପ୍ରାଣୀଙ୍କ ସେବା କରି ସେ ଆତ୍ମସନ୍ତୋଷ ଲାଭ କରୁଥିବା କହିଛନ୍ତି ।


