ପ୍ରାର୍ଥନା ସମୟରେ ମସଜିଦ୍ରେ ବିସ୍ଫୋରଣ,୬୨ ମୃତ
କାବୁଲ: ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଥିବା ଏକ ମସଜିଦ୍ରେ ଭୟଙ୍କର ଆତଙ୍କବାଦୀ ହମଲା ହୋଇଛି । ମସଜିଦରେ ପ୍ରାର୍ଥନା ଚାଲିଥିବା ବେଳେ ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି । ଏଥିରେ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଲୋକ ଆହତ ହାଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ତେବେ ଏହା ଆତ୍ମଘାତୀ ହମଲା ନା କେବଳ ପୂର୍ବରୁ ଖଚିତ ବୋମା ଦ୍ୱାରା ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି, ସେକଥା ଜଣାପଡ଼ିନାହିଁ । ନାନଘରହର ଗଭର୍ଣ୍ଣରଙ୍କ ମୁଖପାତ୍ର କହିଛନ୍ତି, ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଶୁକ୍ରବାର ଥିବାରୁ ଶତାଧିକ ଲାକ ନାନଘରହରରେ ଥିବା ମସଜିଦରେ ପ୍ରାର୍ଥନା କରୁଥିଲେ । ଏହି ସମୟରେ ଆତଙ୍କବାଦୀମାନେ ହଠାତ୍ ବିସ୍ଫୋରଣ କରିଥିଲେ । ଫଳରେ ଏତେସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି । ଆହତ ୩୬ ଜଣଙ୍କ ମଧ୍ୟରୁ ୨୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜଲାଲବାଦ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି । ଅନ୍ୟମାନେ ହସ୍କମେନା ଜିଲ୍ଲା କ୍ଲିନରେ ଚିକିତ୍ସିତ ହେଉଛନ୍ତି । ଏହି ପ୍ରଦେଶରେ ଉଭୟ ତାଲିବାନ ଓ ଆଇଏସ୍ ଆତଙ୍କବାଦୀଙ୍କ ଦବଦବା ରହିଛି । ତେବେ ଏହି ଆକ୍ରମଣ ପାଇଁ ଏଯାଏ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଗତକାଲି ୱେଷ୍ଟର୍ଣ୍ଣ ପ୍ରଦେଶର ହେରାଟରେ ମଧ୍ୟ ଆତଙ୍କବାଦୀ ହମଲା ହୋଇଥିଲା । ଏଥିରେ ୪ ଜଣ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ।


