ପ୍ଲାଜମା ଥେରାପିରେ ହେବ କରୋନା ଚିକିତ୍ସା
ତୁର୍କୀରେ କରୋନା ଆକ୍ରାନ୍ତଙ୍କ ସମ୍ଭାବ୍ୟ ଚିକିତ୍ସା ଭାବେ ପ୍ଲାଜମା ଥେରାପି ପରୀକ୍ଷା ଆରମ୍ଭ ହୋଇଛି । ତୁର୍କୀର ରେଡ କ୍ରିସେଣ୍ଟ ସୋସାଇଟିର ଅଧ୍ୟକ୍ଷ କେରେମ କିନିକ କହିଛନ୍ତି ତାଙ୍କ ଟିମ ସେହି ସବୁ ବ୍ୟକ୍ତିମାନଙ୍କଠାରୁ ରକ୍ତଦାନର ଆଶା କରିଛନ୍ତି ଯେଉଁମାନେ ୧୪ ଦିନ ମଧ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହି ସୁସ୍ଥ ରୋଗୀଙ୍କ ସାହାଯ୍ୟରେ ହିଁ ଅନ୍ୟ କରୋନା ଆକ୍ରାନ୍ତଙ୍କ ସମ୍ଭାବ୍ୟ ଚିକିତ୍ସା କରାଯାଇପାରିବ ବୋଲି ଆଶା କରାଯାଉଛି । କିନିକଙ୍କ କହିବାନୁସାରେ କୋଭିଡ-୧୯ରେ ଆକ୍ରାନ୍ତ ହେବା ପରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ରକ୍ତଦାନ କରିପାରିବେ । ତୁର୍କୀର ଏକ ଆଗଧାଡ଼ିର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କୁରସେଟ ଡେମିର ନାମକ ଜଣେ ଡାକ୍ତର ସେ ଦେଶର ପ୍ରଥମ ପ୍ଲାଜମା ଡୋନର । ଡେମିର ରେଡ କ୍ରିସେଣ୍ଟ ସେଣ୍ଟରକୁ ସେମାନଙ୍କ ଗବେଷଣାରେ ସହାୟତା କରିବା ଉଦେ୍ଧଶ୍ୟରେ ନିଜ ପ୍ଲାଜମା ଦେଇଛନ୍ତି । ତୁର୍କୀର କେତେ ଜଣ ବିଶେଷଜ୍ଞ ଡାକ୍ତର କୁହନ୍ତି, କୌଣସି ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିର ପ୍ଲାଜମାରେ ଆଣ୍ଟିବଡ଼ି ଥାଏ ଯାହାକୁ ଅନ୍ୟ ସଂକ୍ରମିତଙ୍କ ଶରୀରକୁ ସ୍ଥାନାନ୍ତର କରାଯାଇପାରିବ । ଉଲ୍ଲେଖଯୋଗ୍ୟ ଯେ ତୁର୍କୀରେ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଅଧିକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ଏହି ଘାତକ ଭାଇରସ ପ୍ରଭାବରେ ୬୪୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।


