ପ୍ଲାନିଂରେ ତୃଟି, ଭାଙ୍ଗୁଛି କଲଭର୍ଟ, ବିପଦପୂର୍ଣ୍ଣ ଅବସ୍ଥାରେ ପଡିଆପଡା-ତ୍ରିକୋଣା ରାସ୍ତା
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଗ୍ରାମ୍ୟ ଉନ୍ନୟନ ବିଭାଗର ତୃଟିପୂର୍ଣ୍ଣ ପ୍ଲାନିଂ ଯୋଗୁଁ କଲଭର୍ଟ ଭାଙ୍ଗି ରାସ୍ତାରେ ୧୦ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଉକ୍ତ ରାସ୍ତାରେ କେତେବେଳେ ଯେ କାହାର ଜୀବନହାନି ହେବ ତାହା କହିହେବ ନାହିଁ । ପ୍ରକାଶ ଯେ, ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ପଡିଆପଡା-ତ୍ରିକୋଣା ରାସ୍ତା ଗତ ଏକ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପଡିଆପଡା ଠାରୁ ତ୍ରିକୋଣା ୧ କିିମି ଦୂରତ୍ୱ ବିଶିଷ୍ଟ ରାସ୍ତାରେ ଏଷ୍ଟିମେଟ ଅନୁଯାୟୀ ୪ଟି କଲଭର୍ଟ ନିର୍ମାଣ ହୋଇଥିଲା । ମାତ୍ର ପଡିଆପଡା ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାର ଆରମ୍ଭରୁ ମୁଖ୍ୟ କଲଭର୍ଟ ନିର୍ମାଣ କରାଯାଇଥିଲା । କଲଭର୍ଟ ନିର୍ମାଣ ହେବାର ଏକ ବର୍ଷ ପରେ ତାହା ଭାଂଗି ନଷ୍ଟ ହେବା ସହ ରାସ୍ତାରେ ୧୦ ଫୁଟ ଗଭୀର ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଦିନ ସମୟରେ ଲୋକ ମାନେ ଯାତାୟତ କରିବାକୁ ଭୟ କରୁଛନ୍ତି । ଅପରପକ୍ଷେ ବନ୍ତ, ଟିଲୋ, ମାଳତୀରା ଆଦି ଅଞ୍ଚଳର ବର୍ଷାଜଳ ପଡିଆପଡା ଗ୍ରାମ ପାଶ୍ୱର୍ ଦେଇ କପାଳୀ ନଦୀକୁ ନିଷ୍କାସନ ହେଉଥିବା ବେଳେ ଉକ୍ତ ରାସ୍ତା ନିର୍ମାଣ ହେବା ପରେ ଉକ୍ତ ବର୍ଷା ଜଳ ସଂପୃକ୍ତ ରାସ୍ତା ଉପରେ ପ୍ରବାହିତ ହେଉଛି । ସେହିପରି ଉକ୍ତ କଲଭର୍ଟ ନିର୍ମାଣ ସମୟରେ କପାଳୀ ନଦୀକୁ ଯାଇଥିବାର ନାଳର ଉଭୟ ପାଶ୍ୱର୍ରେ ପଥର ପେକିଂ କରାଯାଇନାହିଁ । ଫଳରେ ପ୍ରବାହିତ ଅତ୍ୟଧିକ ବର୍ଷାଜଳ ଦ୍ୱାରା ଉକ୍ତ କଲଭର୍ଟ କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି । ଏହି ରାସ୍ତା ଦେଇ ଘରପଦା, ରାଣୀପୁର, ପଡିଆପଡା ଆଦି ଗ୍ରାମର ଲୋକ ମାନେ ଭଦ୍ରକ-ଆନନ୍ଦପୁର ରାଜ୍ୟରାଜପଥର ତ୍ରିକୋଣା ଛକକୁ ବାହାରୁ ଥିବା ବେଳେ ପିଲା ମାନେ ବିଭିନ୍ନ ସ୍କୁଲ ଓ କଲେଜକୁ ଯାତାୟତ କରିଥାନ୍ତି । ମାତ୍ର ଉକ୍ତ ରାସ୍ତାର ଅବସ୍ଥା ଏବେ ବିପଦସଂକୁଳ ହୋଇପଡିଥିବାରୁ ସାଧାରଣଲୋକେ ଯାତାୟତ କରିବାକୁ ଭୟ କରୁଛନ୍ତି । ଏସଂପର୍କରେ ଗ୍ରାମବାସୀ ମାନେ ସଂପୃକ୍ତ ବିଭାଗକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ତେବେ ଏସଂପର୍କରେ ସଂପୃକ୍ତ ଠିକାଦାରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପଡିଆପଡା ଗ୍ରାମ ମୁଣ୍ଡରେ ଅନ୍ୟ ଅଞ୍ଚଳରୁ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଉକ୍ତ ରାସ୍ତାରେ ଅଧିକ କଲଭର୍ଟ ନିର୍ମାଣ କରିବାର ଆବଶ୍ୟକତା ରହିଛି । ତେବେ ସଂପୃକ୍ତ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ରମାକାନ୍ତ ସ୍ୱାଇଁ, ମାନସ କୁମାର ବିଶ୍ୱାଳ, ବିଶ୍ୱନାଥ ବେହେରା, ଶ୍ରୀଧର ସ୍ୱାଇଁ, ରଥମଣି ଚଢେଇ, ମନମୋହନ ଜେନାଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।