ପ୍ଲାଷ୍ଟିକ୍‌ ଟ୍ୟୁବ୍‌ରେ ଏକ ଢମଣା ସାପ ଫସିଯାଇ ବେଶ୍‌ କଲବଲ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ଲାଷ୍ଟିକ୍‌ ଟ୍ୟୁବ୍‌ରେ ଏକ ଢମଣା ସାପ ଫସିଯାଇ ବେଶ୍‌ କଲବଲ ହୋଇଛି । ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ ଟ୍ୟୁବ୍‌କୁ କାଟି ଢମଣାକୁ ନୂଆ ଜୀବନ ଦେଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସାପଟିକୁ ପ୍ରାକୃତିକ ପରିବେଶ ମଧ୍ୟରେ ଛାଡ଼ି ଦିଆଯାଇଛି ।ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଦିଲ୍ଲୀପ ମାନାଙ୍କ ଘର ଅଗଣାରେ ଏକ ବିରାଟକାୟ ଢମଣା ଅତି କଷ୍ଟରେ ଧୀରେ ଧୀରେ ଚାଲୁଥିବା ସେ ଦେଖିଥିଲେ । ସାପଟି ମୁଣ୍ଡଠାରୁ ପ୍ରାୟ ଏକ ଫୁଟ ମଧ୍ୟରେ ଏକ ଧଳା ରଙ୍ଗର ପ୍ଲାଷ୍ଟିକ୍‌ ଟ୍ୟୁବ୍‌ ଫସି ରହିଥିବା ଦେଖିଥିଲେ ଦିଲ୍ଲୀପ । ସେ ସଙ୍ଗେ ସଙ୍ଗେ ସ୍ନେକ୍‌ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ । ଖବରପାଇ ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ ଶ୍ୟାମଳେନ୍ଦୁ ଆଦିତ୍ୟ ଦିଲ୍ଲୀପଙ୍କ ଘରେ ପହଞ୍ଚିଥିଲେ । ସାଢ଼େ ୫ ଫୁଟ ଢମଣା ସାପଟିକୁ ଶ୍ୟାମଳେନ୍ଦୁ ଧରିଥିଲେ । ଅତି ଯତ୍ନର ସହ କଇଁଚି ସାହାଯ୍ୟରେ ଶ୍ୟାମଳେନ୍ଦୁ ପ୍ଲାଷ୍ଟିକ୍‌ ଟ୍ୟୁବ୍‌ଟିକୁ କାଟି ବାହାର କରି ଦେଇଥିଲେ । ଟ୍ୟୁବ୍‌ଟି ଲାଖି ରହିବା ଯୋଗୁଁ ସାପ ଦେହରେ ସାମାନ୍ୟ କ୍ଷତ ହୋଇଥିଲା । କ୍ଷତ ସ୍ଥାନରେ ଶ୍ୟାମଳେନ୍ଦୁ ଆଣ୍ଟିବାୟୋଟିକ୍‌ ମଲମ ଲଗାଇବା ପରେ ତାକୁ ପ୍ରାକୃତିକ ପରିବେଶ ମଧ୍ୟରେ ଛାଡ଼ି ଦିଆ ଯାଇଥିଲା । ସାପଟି କୌଣସି ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଉକ୍ତ ପ୍ଲାଷ୍ଟିକ୍‌ ଟ୍ୟୁବ୍‌ ଭିତରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲା । ଟ୍ୟୁବ୍‌ଟି ଚାପି ହୋଇ ରହିବା ଫଳରେ ସାପର ଫୁସ୍‌ଫୁସ୍‌ ପ୍ରସାରିତ ହୋଇପାରୁ ନଥିଲା ଏବଂ ତାକୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଖାଲି ସେତିକି ନୁହେଁ, ସେହି ଟ୍ୟୁବ୍‌ ଦେହରେ ଥିଲେ ସାପଟି ଶିକାର କରିପାରି ନଥାନ୍ତା । ଫଳରେ ସାପଟି ଖୁବ୍‌ କମ୍‌ ଦିନ ଭିତରେ ମରି ଯାଇଥାନ୍ତା ବୋଲି ସ୍ନେକ୍‌ ହେଲ୍ପ ଲାଇନ୍‌ର ସଂପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ